‘କାଳିଆ’ ଯୋଜନାକୁ ନେଇ ଆରମ୍ଭ ହେଲା ହିସାବ ନିକାଶ ! ଉଠିଲା ପ୍ରଶ୍ନ, କେତେ ଲାଭ ପାଇବେ ଚାଷୀ, କେବେ ଲାଗୁ ହେବ ଯୋଜନା ?

188

କନକ ବ୍ୟୁରୋ : କାଳିଆ ଯୋଜନାରୁ ଚାଷୀଙ୍କୁ କେବେ ମିଳିବ ଲାଭ ? କେବେଠାରୁ ଚାଷୀଙ୍କ ପାଖରେ ସିଧାସଳଖ ପହଂଚିବ ସହାୟତା ରାଶି ? କାଳିଆ ଯୋଜନାର ଘୋଷଣା ପରେ ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏପଟେ ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ବିରୋଧୀ ଚାଷୀଙ୍କ ସଂଖ୍ୟାକୁ ନେଇ ଉଠାଇଛନ୍ତି ପ୍ରଶ୍ନ । କେଉଁ ଅଧାରରେ କୃଷକ ଗଣନା ହେଲା ବୋଲି ବିଜେପି ପ୍ରଶ୍ନ କରିଛି । ଅନରୁପ ଢ଼ଙ୍ଗରେ କଂଗ୍ରେସ ବି ଶାସକ ଦଳକୁ କଟାକ୍ଷ କରିଛି ।

ନବୀନଙ୍କ କାଳିଆ ଯୋଜନାକୁ ନେଇ ଆରମ୍ଭ ହୋଇ ଯାଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । କିପରି ଏହା କାର୍ଯ୍ୟକାରୀ ହେବ ଏନେଇ ପ୍ରଶ୍ନ ଉଠୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହାର ସଫଳତା ପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି । ତେବେ ପ୍ରଶ୍ନ ଉଠୁଛି, କେବେ କାର୍ଯ୍ୟକାରୀ ହେବ ‘କାଳିଆ’ ଯୋଜନା? ଆଉ କେବେ ସହାୟତା ପାଇବେ ଚାଷୀ?

ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ଘୋଷଣା ପରେ ଏବେ ପ୍ରଶ୍ନ ଉଠୁଛି, କେବେ କାର୍ଯ୍ୟକାରୀ ହେବ ଏହି ଯୋଜନା । କାରଣ ୩୨ ଲକ୍ଷ ଚାଷୀ, ଭାଗଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କୁ ମିଶାଇଲେ ମୋଟ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୫୭ ଲକ୍ଷ । ତେଣୁ ଏହି ଯୋଜନା କିପରି କାର୍ଯ୍ୟକାରୀ ହେବ ବୋଲି ପ୍ରଶ୍ନ ଉଠାଇଛି ବିଜେପି । ତେବେ ଖୁବଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଦୃଢ଼ୋକ୍ତି ଦେଖାଇଛି ବିଜେଡି । କୃଷକଙ୍କ ପାଇଁ ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ । ଏହାକୁ କଳା ଯୋଜନା ବୋଲି କଟାକ୍ଷ କରିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି । 

ସାରା ଦେଶରେ କୃଷି ଋଣ ଛାଡ଼ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ଚାଷୀଙ୍କ ପାଇଁ ଗତକାଲି କାଳିଆ ଯୋଜନା ଘୋଷଣା କରିଛନ୍ତି ନବୀନ । ଲୋକପ୍ରିୟ କୃଷିଋଣ ଛାଡ଼ ନାରାକୁ ନ ଆପଣେଇ, ଚାଷୀଙ୍କୁ ସହାୟତା ଘୋଷଣା କରିଛନ୍ତି ସରକାର । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ କାମ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା, ଭୂମିହୀନ ଚାଷୀଙ୍କୁ ଜୀବିକା ପାଇଁ ୧୨ ହଜାର ୫୦୦ ଟଙ୍କା ଓ ବୃଦ୍ଧ, ଭିନ୍ନକ୍ଷମ, ରୋଗଗ୍ରସ୍ତ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ସେହିପରି ୨ ଲକ୍ଷ ଟଙ୍କା ବୀମା ଓ ୫୦ ହଜାର ଟଙ୍କାର ବିନା ସୁଧରେ ଋଣ ଦେବା ପାଇଁ ମଧ୍ୟ କାଳିଆ ଯୋଜନାରେ ବ୍ୟବସ୍ଥା ରହିଛି ।