ଭାରତୀୟ ରେଳ ବିଷୟରେ କିଛି ରୋଚକ କଥା । ପ୍ରଥମ ୫୫ ବର୍ଷ ପର୍ଯ୍ୟନ୍ତ ଟ୍ରେନରେ ନଥିଲା ଟଏଲେଟ, ଜାଣନ୍ତୁ କିଏ କହିବା ପରେ ଟ୍ରେନରେ ମିଳିଲା ଟଏଲେଟର ସୁବିଧା

56

ଭାରତୀୟ ରେଳବିଭାଗ କେବଳ ଲୋକଙ୍କୁ ସେବା ଯୋଗାଏ ନାହିଁ । ବରଂ ଏହା ଏପରି ଏକ ବ୍ୟବସ୍ଥା ଯାହାପାଇଁ ଭିନ୍ନ ମନ୍ତ୍ରାଳୟ ମଧ୍ୟ ରହିଛି । ଏହା ଭାରତର ସବୁଠୁ ବଡ ରେଳ ନେଟୱାର୍କ ମଧ୍ୟ । କିନ୍ତୁ ଭାରତୀୟ ରେଳ ବିଭାଗ ସହ ଜଡିତ ଏମିତି କିଛି ତଥ୍ୟ ରହିଛି ଯାହା ଅନେକ ରେଳଯାତ୍ରୀ ଜାଣିନଥିବେ ।
– ଆମେରିକା,ଚୀନ ଋଷ ପରେ ଭାରତୀୟ ରେଳ ବିଭାଗ ହେଉଛି ବିଶ୍ୱର ଚତୁର୍ଥ ବଡ ରେଳ ନେଟୱାର୍କ
– ଭାରତରେ ପ୍ରତିଦିନ ୨.୫ କୋଟି ଲୋକ ରେଳରେ ଯାତ୍ରା କରିଥାନ୍ତି ଯାହା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ତାସମାନିଆର ମୋଟ ଜନସଂଖ୍ୟାରୁ ମଧ୍ୟ ଅଧିକ
– ରିପୋର୍ଟ ଅନୁଯାୟୀ, ଭାରତରେ ଏବେ ପର୍ଯ୍ୟନ୍ତ ୧.୧୫ ଲକ୍ଷ କିଲୋମିଟର ଲମ୍ବର ରେଳ ଲାଇନ ରହିଛି ।
– ଭାରତର ବିଭିନ୍ନ ଟ୍ରେନ ଗୁଡିକ ପ୍ରତିଦିନ ୧୩.୫ ଲକ୍ଷ କିଲୋମିଟର ଲମ୍ବା ଯାତ୍ରା କରିଥାନ୍ତି । ଯାହା ପୃଥିବୀରୁ ଚନ୍ଦ୍ରର ଦୂରତାର ୩.୫ ଗୁଣ ।
– ଭାରତୀୟ ରେଲୱେ ଦୁନିଆର ୯ମ ସର୍ବାଧିକ ଲାଭ କରୁଥିବା ବିଭାଗ ମଧ୍ୟରୁ ଅନ୍ୟତମ
– ସବୁଠୁ ବଡ କଥା ହେଲା, ଭାରତୀୟ ରେଳ ଗାଡି ୫୫ ବର୍ଷ ପର୍ଯ୍ୟନ୍ତ ବିନା ଶୌଚାଳୟରେ ଚାଲୁଥିଲା । ତେବେ ଶୌଚାଳୟର ନିର୍ମାଣ ଜଣେ ଯାତ୍ରୀଙ୍କ ଚିଠି ଯୋଗୁଁ ହୋଇଥିଲା । ୧୯୦୯ ମସିହାରେ ଅଖିଳ ଚନ୍ଦ୍ର ସେନ ନାମକ ଜଣେ ବ୍ୟକ୍ତି ଶୌଚାଳୟ ଯିବାକୁ ଅସୁବିଧାର ସମ୍ମୁଖୀନ ହେବା ପରେ ଏଭଳି ଚିଠି ଲେଖିଥିଲେ ।
– ମେତୁପଲୟମ ଓଟି ନୀଳଗିରି ପାସେଞ୍ଜର ଟ୍ରେନ ଭାରତରେ ଚାଲୁଥିବା ଟ୍ରେନ ଗୁଡିକ ମଧ୍ୟରେ ସବୁଠୁ ଧୀମା । ଏହି ଟ୍ରେନଟି ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଯାତ୍ରା କରିଥାଏ ।
– ସେହିଭଳି ସବୁଠୁ ଦ୍ରୁତ ଗତିରେ ଯାଉଥିବା ଟ୍ରେନ ହେଉଛି ଭୋପାଳର ଶତାବ୍ଦୀ ଏକ୍ସପ୍ରେସ । ଯାହା ଘଣ୍ଟାପ୍ରତି ୧୫୦ କିଲୋମିଟର ବେଗରେ ଯାତ୍ରା କରିଥାଏ । କିନ୍ତୁ ଏବେ ଏହି ରେକର୍ଡ ଦିଲ୍ଲୀରୁ ଆଗ୍ରା ଯାଉଥିବା ସେମି ହାଇସ୍ପିଡ ଟ୍ରେନ ନାଁରେ ହେବାକୁ ଯାଉଛି । ଯାହା ୧୬୦ କିଲୋମିଟର ବେଗରେ ଯାତ୍ରା କରିବ । ଆଉ ଏଥିପାଇଁ ଏହାର ଟ୍ରାଏଲ ମଧ୍ୟ ସରିଛି ।
– ସବୁଠୁ ବଡ ରେଳ ଷ୍ଟେସନ ତାମିଲନାଡୁରେ ଥିବା ବେଳେ ସବୁଠୁ ଛୋଟ ରେଳ ଷ୍ଟେସନ ଓଡିଶାରେ ରହିଛି ।
– ଭାରତରେ ନବାପୁର ନାମକ ଏମିତି ଏକ ରେଳ ଷ୍ଟେସନ ରହିଛି, ଯାହା ଦୁଇଟି ରାଜ୍ୟ ମଧ୍ୟରେ ନିର୍ମାଣ ହୋଇଛି । ଏହାର ଅଧା ଭାଗ ମହାରାଷ୍ଟ୍ରରେ ଥିବା ବେଳେ ଆଉ ଅଧା ଭାଗ ଗୁଜରାଟରେ ରହିଛି ।
– ୨୪ ମାର୍ଚ୍ଚ ୧୯୯୪ରେ ପ୍ରଥମ ଥର ପାଇଁ ଟିଭିରେ ରେଳବଜେଟର ସିଧାପ୍ରସାରଣ କରାଯାଇଥିଲା ।
– ପ୍ରତି ପାଞ୍ଚ ଜଣରୁ ଜଣେ ଇଣ୍ଟରନେଟ ଉପଭୋକ୍ତା ପାଖାପାଖି ଦିନରେ ଥରେ ଭାରତୀୟ ରେଳ ବିଭାଗର ୱେବସାଇଟ ବ୍ୟବହାର କରିଥାନ୍ତି ।
– ଚେନାବ ନଦୀ ଉପରେ ଦୁନିଆର ସବୁଠୁ ଉଚ୍ଚତମ ରେଳୱେ ପୋଲ ରହିଛି, ଯାହା ପ୍ୟାରିସର ଏଫିଲ୍ ଟାୱାର ଠାରୁ ମଧ୍ୟ ଅଧିକ ଉଚ୍ଚ ।