ଯେତେବେଳେ ମରୁ ମରୁ ବଂଚିଥିଲେ ଶୀଲା ଦୀକ୍ଷିତ୍ ! କାରରେ ଲାଗିଥିଲା ଟାଇମ୍ ବମ୍ କିନ୍ତୁ କାହାର ଭୋକିଲା ପେଟ ବଂଚାଇଥିଲା ଶୀଲାଙ୍କ ଜୀବନ ।

787

ଦିଲ୍ଲୀରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଆସନରେ ରହିଥିବା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ୍ ଙ୍କ ଶନିବାର ଦ୍ୱିପ୍ରହର ୩.୫୫ ସମୟରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଛି । ୮୧ ବର୍ଷୀୟା ଏହି ବରିଷ୍ଠ ରାଜନେତ୍ରୀ ହୃଦୟରୋଗରେ ପୀଡିତ ଥିଲେ । ତାଙ୍କ ନିଧନରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ୧୯୮୫ ମସିହାରେ ଶୀଲା ଦୀକ୍ଷିତ୍ ଙ୍କ ଜୀବନ ଯାଉ ଯାଉ ବଂଚିଯାଇଥିଲା । ୨୫ ସେପ୍ଟେମ୍ବର , ୧୯୮୫ ମସିହାରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଚାଲିଥାଏ । ସେହି ସମୟରେ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ୍ ଜୋରସୋରରେ ନିର୍ବାଚନ ପ୍ରଚାରରେ ଲାଗିଥାନ୍ତି । ନିର୍ବାଚନ ପ୍ରଚାରର ଶେଷ ଦିନର କଥା ଶୀଲା ଦୀକ୍ଷିତ୍ ପ୍ରଚାର ସାରି ବିହାରର ଜଣେ ସାଂସଦଙ୍କ କାରରେ ବସି ବଟାଲାରୁ ଅମୃତସର ଯିବା ପାଇଁ ବାହାରିଥାନ୍ତି । ଉକ୍ତ ସମୟରେ କାରରେ ଶୀଲା ଦୀକ୍ଷିତ୍ , ସାଂସଦ,ଜଣେ ସୁରକ୍ଷାକର୍ମୀ ଏବଂ ଡ୍ରାଇଭର୍ ବସିଥିଲେ । ଡ୍ରାଇଭର୍ ଜଣକ ଭୋକିଲା ଥିବାରୁ ଅଧାବାଟରେ ହିଁ ଭୋଜନର କଥା ଉଠାଇଥିଲେ ଏବଂ ଅମୃତସର ପହଁଚିବାରେ ବିଳମ୍ବ ହେବ ତେଣୁ ଭୋଜନ କରିବା ଠିକ୍ ରହିବ ବୋଲି କହିଥିଲେ । ଶୀଲାଙ୍କ ସହମତି ମିଳିବା ପରେ ଏକ ରେସ୍ତୋରାଁରେ କାର୍ ରଖି ସମସ୍ତେ ଭୋଜନ କରିଥିଲେ ।

 

ତେବେ ଭଗବାନଙ୍କ କୃପା କୁହନ୍ତୁ କିମ୍ବା ଆଉ କିଛି କାର୍ ରୁ ବାହାରିବାର କିଛି କ୍ଷଣମାତ୍ରେ ହିଁ ଜୋରଦାର ବିସ୍ଫୋରଣ ହେଲା ଏବଂ ବିସ୍ଫୋରଣ ଆଉ କେଉଁଠି ନୁହଁ ଶୀଲା ବସିଥିବା କାରରେ ହିଁ ହୋଇଥିଲା । ଏତେ ବଡ ଧମାକାରେ କାରର ଟୁକୁଡା ଉଡିବାକୁ ଲାଗିଥିଲା । ଯଦି ଡ୍ରାଇଭର୍ ଭୋଜନ କରିବା ପାଇଁ କାର୍ ନ ରୋକିଥାନ୍ତେ ତେବେ ବହୁତ ବଡ ଅଘଟଣ ଘଟିଯାଇଥାନ୍ତା । ଘଟଣାରେ କାରରେ ଯାତ୍ରା କରୁଥିବା ଲୋକଙ୍କ କିଛି ହୋଇନଥିବା ବେଳେ କାର ପାଖରେ ଠିଆ ହୋଇଥିବା ୨ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ । ଜାଞ୍ଚ୍ ପରେ କାରରେ ଟାଇମ୍ ବମ୍ ଲାଗିଥିବା କଥା ପୋଲିସ୍ କହିଥିଲେ । ଘଟଣାରୁ ସ୍ପଷ୍ଟ ଥିଲା ଯେ ଶୀଲା ଦୀକ୍ଷିତ୍ ଙ୍କୁ ଜୀବନରୁ ମାରିବା ପାଇଁ ଏହା ଷଡଯନ୍ତ୍ର ହୋଇଥିଲା ।