କେବେ ଓଡ଼ିଆ ବୁଝିବ ଗୁଗୁଲ ? ଦେଶର ୯ଟି ଭାଷା ପରେ ଓଡ଼ିଆ ଭାଷାରେ ଅନୁବାଦ ପାଇଁ ଅପେକ୍ଷା

47

କନକ ବ୍ୟୁରୋ : ଗୁଗୁଲରେ କେବେ ମିଳିବ ଓଡ଼ିଆରେ ଅନୁବାଦର ସୁବିଧା? ଓଡ଼ିଆରେ କୁହାଯାଉଥିବା କଥାକୁ କେବେ ବୁଝିବ ଗୁଗୁଲ୍? ଆମେରିକାର ମଲଟି ନେସନାଲ କମ୍ପାନୀ ଗୁଗୁଲ୍ ଭାରତର ୯ଟି ଭାଷାରେ ଅନୁବାଦ ସୁବିଧା ଯୋଗାଇ ଦେଉଥିବା ବେଳେ ୪ କୋଟି ଲୋକଙ୍କ ଭାଷା ଓଡ଼ିଆକୁ କାହିଁକି ସାମିଲ କରିନାହିଁ ସେ ନେଇ ଏବେ ପ୍ରଶ୍ନ ଉଠୁଛି । ଗୁଗୁଲ୍ ଓଡ଼ିଶା ସରକାରଙ୍କ ସହ ଏପ୍ରିଲ ମାସରେ ରାଜିନାମା କରିବା ପରେ ଗୁଗୁଲରେ ଖୋଲାଖୋଲି ଭାବେ ଓଡ଼ିଆ ପାଇଁ ସର୍ଚ୍ଚ ଅପସନ୍ ମିଳିବ ଓ ଅନ୍ୟ ଭାଷାରୁ ଓଡ଼ିଆ ଓ ଓଡ଼ିଆରୁ ଅନ୍ୟ ଭାଷାକୁ ଅନୁବାଦ କରିବା ସହଜ କରିଦେବ ବୋଲି କୁହାଯାଉଛି ।

କମ୍ପ୍ୟୁଟରରେ ଆକୃତି ଓ ଶ୍ରୀଲିପି ଭଳି ପୁରୁଣା ଫଣ୍ଟ ପରିବର୍ତେ ସାରା ବିଶ୍ୱରେ ଗ୍ରହଣୀୟ ହୋଇପାରୁଥିବା ୟନୁିକୋଡ୍ ଫଣ୍ଟ ଏଦିଗରେ ସହାୟକ ହୋଇପାରିବ । ଆକୃତି ଓ ଶ୍ରୀଲିପି ଫଣ୍ଟରେ ଥିବା ତଥ୍ୟକୁ ୟୁନିକୋଡ୍ ଫଣ୍ଟରେ ପରିବର୍ତନ କରିବା ପାଇଁ ଗୁଗୁଲରେ “ଓଡ଼ିଆ ୟୁନିକୋଡ୍ କନଭର୍ଟର’’ ମିଳୁଥିବାରୁ ଅନେକ ଓଡ଼ିଆ ପୋର୍ଟାଲ୍ ଏବେ ତାହା ବ୍ୟବହାର କଲେଣି । ଓଡ଼ିଶା ସରକାର କେବଳ ଗୁଗୁୁଲକୁ ଅନୁମତି ଦେଲେ ଏ ସବୁକାମ ହୋଇଯିବ ବୋଲି କୁହନ୍ତି ଓଡ଼ିଶା ବିଜ୍ଞାନ ଏକାଡେମୀର ସଭାପତି ପ୍ରଫେସର ସଂଘମିତ୍ରା ମହାନ୍ତି ।

ଗୁଗୁଲ୍ ବିଭିନ୍ନ ଭାଷାରେ ଅନୁବାଦ କରିବା ପାଇଁ ଏବେ “ନ୍ୟୁରାଲ୍ ମେସିନ୍ ଟ୍ରାନସଲେସନ୍ ଟେକନୋଲୋଜି’’ ଭଳି ନୂଆ ସଫଟୱେର ବ୍ୟବହାର କରୁଛି । ଓଡ଼ିଆ ସାହିତ୍ୟରେ ରହିଥିବା ଦ୍ରୁଷ୍ପ୍ରାପ୍ୟ ସାହିତ୍ୟ ଓ ଅନ୍ୟ ଲେଖାଗୁଡ଼ିକୁ ବହୁ ପରିମାଣରେ ଇଂଟରନେଟ୍ ଉପଯୋଗୀ କରିବା ପାଇଁ ଓଡ଼ିଶା ସରକାର ଗଠନ କରିଥିବା ଭର୍ଚୁଆଲ ଏକାଡେମୀକୁ ଏ ଦିଗରେ ଅଗ୍ରଣୀ ଭୂମିକା ନେବାକୁ ପଡ଼ିବ । ତେବେ ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକ ଏ ଦିଗରେ ଅଗ୍ରଣୀ ଭୂମିକା ନେଇପାରିବେ ବୋଲି କହୁନ୍ତି ବିଜ୍ଞାନକୁ ଲୋକପ୍ରିୟ କରିବା ଦିଗରେ ଦୀର୍ଘ ବର୍ଷ ହେଲା କାମ କରୁଥିବା “ସୃଜନିକା’’ର ପ୍ରତିଷ୍ଠାତା ନିଖିଳ ମୋହନ ପଟ୍ଟନାୟକ ।

ଗୁଗୁଲରେ ପୃଥିବୀର ୧୦୦ରୁ ଅଧିକ ଭାଷାରେ ଅନୁବାଦର ସୁବିଧା ଆସିଲାଣି । ଭାରତର ୯ଟି ଭାଷାରେ ମଧ୍ୟ ଅନୁବାଦର ସୁବିଧା ମିଳୁଛି । ୪ କୋଟିରୁ ଅଧିକ ଲୋକ ବ୍ୟବହାର କରୁଥିବା ଓଡ଼ିଆ ଭାଷା ପାଇଁ ଗୁଗୁଲ୍ କେବେ ଏ ସୁବିଧା ଯୋଗାଇ ଦେଉଛି, ତା’ ଉପରେ ସମସ୍ତଙ୍କର ନଜର ।