ଦିଲ୍ଲୀପ ଓ ବିଜୟଙ୍କ ଗତି କୁଆଡେ? କେବେ ଏକାଠି ହେବେ ଓ କଣ ନିଷ୍ପତି ନେବେ, ରହିଛି ପୂରା ରାଜ୍ୟବାସୀଙ୍କ ନଜର ।

222

କନକ ବ୍ୟୁରୋ : ବିଜେପି ଓ ବିଧାୟକ ପଦରୁ ଇସ୍ତଫା ଦେବା ପରେ ବିଦେଶ ଗସ୍ତରେ ଯାଇଥିବା ଦିଲ୍ଲୀପ ରାୟ ଓଡିଶା ଫେରିବା ପରେ ଆଜି ରାଉରକେଲାରେ ପହଞ୍ଚିଛନ୍ତି । ତେବେ ଦିଲ୍ଲୀପଙ୍କ ରାଉରକେଲା ଗସ୍ତକୁ ନେଇ ଏବେ ରାଜନୀତି ମହଲରେ ଜୋର ଧରିଛି ଚର୍ଚ୍ଚା । କାରଣ ବିଦେଶ ଗସ୍ତରୁ ଫେରିବା ପରେ ବଡ ନିଷ୍ପତି ନେବେ ବୋଲି କହିଥିଲେ ଦିଲ୍ଲୀପ । ଖାସକରି ଦିଲ୍ଲୀପ କେଉଁ ଦଳରେ ଯୋଗ ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିଥିଲା । କିନ୍ତୁ ଏହି ଚର୍ଚ୍ଚାରେ ଆଉ ଟିକିଏ ସସପେନ୍ସର ଛୁଙ୍କ ମାରିଛନ୍ତି ଦିଲ୍ଲୀପ ।

ରାଉରକେଲାରେ ପହଞ୍ଚିବା ପରେ ଦିଲ୍ଲୀପ କହିଛନ୍ତି, ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତି ନେବି । ତେବେ ବିଜେଡି କିମ୍ବା ଅନ୍ୟ ଦଳରେ ଯୋଗ ଦେବା ନେଇ ପ୍ରଶ୍ନର ଉତ୍ତରରେ ଦିଲ୍ଲୀପ କହିଛନ୍ତି, ସେ ଏ ବାବଦରେ ମଧ୍ୟ କୌଣସି ନିଷ୍ପତି ନେଇନାହାନ୍ତି । ରାଉରକେଲା ବିକାଶର ନାଁ ନେଇ ଦିଲ୍ଲୀପ ମାରିଛନ୍ତି ତେରଛା ବାଣ । ରାଉରକେଲା ଓ ରାଜ୍ୟର ବିକାଶ ପାଇଁ ପଦ ଓ ଦଳ ଛାଡିଛି । ତେବେ ଯେଉଁ ଦୁଇଟି କାରଣ ପାଇଁ ସେ ବିଜେପି ଓ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ତାହା ପୁରା ନ କରିବା ପର୍ଯ୍ୟନ୍ତ ସେ ଚୁପ୍ ବସିବେ ନାହିଁ ବୋଲି କହିଛନ୍ତି ଦିଲ୍ଲୀପ । ଏହାଛଡା ଠିକ୍ ସମୟରେ ଠିକ ନିଷ୍ପତି ନିଆଯିବ କହିବା ସହ ଦିଲ୍ଲୀପ ରାଜ୍ୟ ରାଜନୀତିକୁ ଉଷ୍ମ କରିଛନ୍ତି ।

ଗତ ନଭେମ୍ବର ୩୦ରେ ଦିଲ୍ଲୀପ ରାୟ ରାଉରକେଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଓ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ କାମରେ ବିଳମ୍ବ ଦର୍ଶାଇ ବିଜେପି ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ଦିଲ୍ଲୀପଙ୍କ ସହ ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ବିଜେପି ସହ ୯ ବର୍ଷର ସର୍ମ୍ପକ ଛିନ୍ନ କରିଥିଲେ ।

ବିଜେପିକୁ ବାଏ ବାଏ କରିବା ପରେ ଏହି ଦୁଇ ନେତା କେଉଁ ଦଳକୁ ଯିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ଦୁଇ ନେତା ପୁଣିଥରେ ପୁରୁଣା ଘର ବିଜେଡିକୁ ଫେରି ଆସିବେ ଶୁଣିବାକୁ ମିଳୁଥିଲା । ଏପରିକି ବିଜୁ ଆନୁଗତ୍ୟ କିଛି ନେତାଙ୍କୁ ନେଇ ନୂଆ ଆଞ୍ଚଳିକ ଦଳ ଗଠନ କରାଯିବ ଓ ସେଥିରେ ବିଜୟ ଓ ଦିଲ୍ଲୀପ ନିଜର ନୂଆ ରାଜନୈତିକ ଇନିଂସ ଆରମ୍ଭ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ସେତେବେଳେ ଏନେଇ କୌଣସି ସ୍ପଷ୍ଟ ସଂକେତ ଦେଇନଥିଲେ ଉଭୟ ନେତା । ଏପରିକି ଦିଲ୍ଲୀପ ବିଦେଶ ଗସ୍ତରୁ ଫେରିବା ପରେ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି କହିଥିଲେ ବିଜୟ । ଆଉ ଏସବୁ ଭିତରେ ଦିଲ୍ଲୀପ ବିଦେଶ ଗସ୍ତ ସାରି ଓଡିଶା ଫେରିଛନ୍ତି । ତେଣୁ ଉଭୟ ନେତା କେବେ ଏକାଠି ହେବେ ଓ ରାଜନୈତିକ ଭବିଷ୍ୟତ ନେଇ କଣ ନିଷ୍ପତି ନେବେ ତାହା ଉପରେ ପୂରା ରାଜ୍ୟବାସୀଙ୍କର ନଜର ରହିଛି ।