ଲିକ୍ ହେଉଛି ହ୍ୱାର୍ଟସ ଆପ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ! ସୁପ୍ରିମକୋର୍ଟରେ କମ୍ପାନୀର ଆଫିଡେଭିଟ

23

କନକ ବ୍ୟୁରୋ: ହ୍ୱାର୍ଟସ ଆପ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ଲିକ ହେବାର ସମ୍ଭାବନା ଏବେ ଦୂରେଇଯିବ । ଏନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆଫିଡେଭିଟ ଦାଖଲ କରିଛି ହ୍ୱାର୍ଟସ ଆପ । ଏଥିରେ କୁହାଯାଇଛି, ମୂଳ କମ୍ପାନୀ ଫେସବୁକ ସହ କେବଳ ବ୍ୟବହାରକାରୀଙ୍କ ମୋବାଇଲ ନମ୍ବର, ମୋବାଇଲ ଡିଭାଇସର ପ୍ରକାର ଓ ରେଜିଷ୍ଟ୍ରେସନ ଏବଂ ଲାଷ୍ଟ ସିନ୍ କୁ ସେୟାର କରିବ । ଏହାବ୍ୟତୀତ ଥାର୍ଡ ପାର୍ଟି ପାଖକୁ କୌଣସି ସୂଚନା ଯିବାର ସମ୍ଭାବନା ନାହିଁ ବୋଲି ଆଫିଡେଭିଟରେ କୁହାଯାଇଛି ।

ସୋସିଆଲ ମିଡିଆ ଫେସବୁକ ଓ ହ୍ୱାର୍ଟସଆପର ବହୁଳ ବ୍ୟବହାର ହେଉଥିବା ବେଳେ ଏହାର ଅପବ୍ୟବହାର ହେଉଥିବାର ନଜୀର ମଧ୍ୟ ରହିଛି । ଅନେକ ସମୟରେ ଏହାର ଉପଯୋଗ କରି ବ୍ୟକ୍ତିଗତ ତଥ୍ୟ ଲିକ ହେଉଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି । ତେଣୁ ଏହାର ସବିଶେଷ ବିବରଣୀ ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟ । ଏନେଇ ହ୍ୱାର୍ଟସ ଆପ ଦେଇଥିବା ଆଫିଡେଭିଟରେ କେବଳ ମୂଳ କମ୍ପାନୀ ସହ କିଛି ଅନିବାର୍ଯ୍ୟ ତଥ୍ୟ ସେୟାର କରାଯାଉଥିବା ବେଳେ ଅନ୍ୟ କୌଣସି ଥାର୍ଡ ପାର୍ଟି ଏହାର ସୁରାକ ପାଇବେନି ବୋଲି ଆଶ୍ୱସ୍ତ କରାଯାଇଛି ।

ତଥାପି ଆଉ ଏକ ବିସ୍ତୃତ ଆଫିଡେଭିଟ ଦେବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆଗାମୀ ୪ ସପ୍ତାହ ମଧ୍ୟରେ ହ୍ୱାର୍ଟସଆପ ଏହି ବିସ୍ତୃତ ଆଫିଡେଭିଟ ଦାଖଲ କରିବ । ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ନଭେମ୍ବର ୨୮ରେ ହେବ ବୋଲି ସ୍ଥିର ହୋଇଛି । ଆଫିଡେଭିଟ ମାଧ୍ୟମରେ ନ୍ୟାୟାଳୟଙ୍କୁ ଏନେଇ ସୁନିଶ୍ଚିତ କରାଇବାକୁ କମ୍ପାନୀକୁ କୁହାଯାଇଛି ।