ଭାରତୀୟଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ଉପରେ ରହିଛି ଗୁଇନ୍ଦାର ନଜର । ଗୁଇନ୍ଦାଗିରି ନେଇ ସରକାରଙ୍କୁ ରିପୋର୍ଟ ଦେଲା ‘ହ୍ୱାଟ୍ସଆପ୍’ ।

208

କନକ ବ୍ୟୁରୋ : ଭାରତୀୟଙ୍କ ହ୍ୱାଟ୍ସଆପ୍ ଆକାଉଂଟ ଉପରେ ରହିଛି ଗୁଇନ୍ଦାର ନଜର । ସୋସିଆଲ ମିଡିଆ ହ୍ୱାଟ୍ସଆପର ଏହି ସୂଚନା ପରେ ଦେଶରେ ହଇଚଇ ଖେଳିଯାଇଛି । ସେପ୍ଟେମ୍ବରରେ ଭାରତୀୟଙ୍କ ସୋସିଆଲ ଆକାଉଂଟ ଜରିଆରେ ଗୁଇନ୍ଦାଗିରି କରାଯାଉଥିବା ନେଇ କେନ୍ଦ୍ର ସରକାରଙ୍କୁ ଜଣାଇଦେଇଥିବା କହିଛି ହ୍ୱାଟ୍ସଆପ୍ ପ୍ରଶାସନ । ଭାରତୀୟଙ୍କ ହ୍ୱାଟ୍ସଆପ୍ ଆକାଉଂଟ ଉପରେ ଇସ୍ରାଏଲର ସ୍ପାଏୱେର ପେଗାସସ ଆପ୍ ଜରିଆରେ ଗୁଇନ୍ଦାଗିରି କରାଯାଉଛି । କେବଳ ଗୁଇନ୍ଦାଗିରି ନୁହେଁ ଡାଟା ଲିକ୍ ଖବର ମଧ୍ୟ ମିଳିଛି ।

ପୂର୍ବରୁ ମେ ମାସରେ ମଧ୍ୟ ଏପରି ସୂଚନା ଦେଇଥିଲା ହ୍ୱାଟସଆପ୍ , ଯେଉଁ ସମୟରେ ଦେଶରେ ସାଧାରଣ ନିର୍ବାଚନ ଚାଲିଥିଲା । ବିଶେଷ କରି ସାମ୍ବାଦିକ, ସାମାଜିକ କର୍ମୀଙ୍କ ହ୍ୱାଟସଆପ ଆକାଉଂଟ ଉପରେ ନଜର ରଖାଯାଇଛି । ଯେଉଁମାନେ ନକ୍ସଲବାଦ ଓ ମାନବାଧିକାରବାଦ ପ୍ରତି ସହାନୁଭୂତି ଯୋଗୁଁ କେନ୍ଦ୍ର ସରକାରଙ୍କ ଟାର୍ଗେଟରେ ରହିଛନ୍ତି । ତେଣୁ ଏହି ଗୋଇନ୍ଦାଗିରି ପଛରେ କେନ୍ଦ୍ର ସରକାରଙ୍କ ହାତ ଥିବା ଅଭିଯୋଗ କରୁଛନ୍ତି ବିରୋଧୀ । ଅନ୍ୟପଟେ କେନ୍ଦ୍ର ସୂଚନା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ହ୍ୱାଟସଆପ ଡାଟା ଲିକ୍ ନେଇ ସରକାର ଚିନ୍ତିତ ଅଛନ୍ତି । ଏ ସଂପର୍କରେ ହ୍ୱାଟସଆପ ସହ ସରକାର କଥାବାର୍ତା ହୋଇଛନ୍ତି । ଭାରତୀୟଙ୍କ ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷା ପାଇଁ ହ୍ୱାଟସଆପ କଣ ପଦକ୍ଷେପ ନେଉଛି, ସେ ସଂପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରବିଶଙ୍କର । ଭାରତରେ ଏବେ ପ୍ରାୟ ୪୦ କୋଟି ବ୍ୟକ୍ତି ହ୍ୱାଟସଆପରେ ସକ୍ରିୟ ଅଛନ୍ତି ।