ଗୁଜବ ଖବର ପ୍ରଚାରକୁ ବନ୍ଦ କରିବା ପାଇଁ ହ୍ୱାଟ୍ସଆପରେ ଲାଗିଲା ଅଙ୍କୁଶ : ଏଣିକି ଏକକାଳୀନ ୫ରୁ ଅଧିକ ଲୋକଙ୍କୁ ପଠାଇ ପାରିବେନି ହ୍ୱାଟ୍ସଆପ ମେସେଜ୍

20

ହ୍ୱାଟ୍ସଆପ ଜରିଆରେ ବିଭିନ୍ନ ଗୁଜବ ଖବର ପ୍ରଚାର ହେବା ପରେ କମ୍ପାନୀ ପକ୍ଷରୁ ଏ ନେଇ ଏକ ସମାଧାନ ବାଟ ବାହାର କରାଯାଇଛି। ଏହି ନୂଆ ପରିକଳ୍ପନା ଜରିଆରେ ହ୍ୱାଟ୍ସଆପ ଗ୍ରାହକମାନଙ୍କର ବିଶ୍ୱସନୀୟତାକୁ ବଜାୟ ରଖିବାର ପ୍ରୟାସ କରିଛି କମ୍ପାନୀ । ଏଣିକି ବ୍ୟବହାରକାରୀ ଏକକାଳୀନ ହ୍ୱାଟ୍ସଆପରେ ୫ରୁ ଅଧିକ ଅନ୍ୟ ବ୍ୟବହାରକାରୀ କିମ୍ବା ଗ୍ରୁପକୁ ଗୋଟାଏ ଆଇଟମ୍(ଫଟୋ, ଭିଡିଓ, ଟେକ୍ସଟ୍) ପଠାଇପାରିବେ ନାହିଁ। ଏହି ଅଙ୍କୁଶ ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି।

ବୁଧବାର କମ୍ପାନୀ ପକ୍ଷରୁ ଜାଣିବାକୁ ମିଳିଛି ଯେ, ଏକକାଳୀନ ଅନେକ ଜଣଙ୍କୁ ବାର୍ତ୍ତା ପଠାଇବାର ସୁବିଧା ରହିଲେ ଗୁଜବ ଖବର ଖୁବ୍ ଶୀଘ୍ର ବ୍ୟାପୀ ପାରୁଛି। ଏହଛଡ଼ା କମ୍ପାନୀ ଖୁବ୍ ଶୀଘ୍ର ମେସେଜ୍ ପ୍ରେରଣ କରିବାର ଶୈଳୀ ବି ପରିବର୍ତ୍ତନ କରିବ ବୋଲି ସୂଚନା ପ୍ରଦାନ କରିଛି। ଏହି ନୂଆ ଶୈଳୀ ଦ୍ୱାରା ଜଣାପଡ଼ିଯିବ ଯେ ବାର୍ତ୍ତାଟି ଜଣେ ନିଜେ ଲେଖିକରି ପ୍ରେରଣ କରିଛି ନା ଅନ୍ୟ କାହାର ପଠାଯାଇଥିବା ବାର୍ତ୍ତାକୁ ଫରଓ୍ଵାର୍ଡ କରିଛି।

ଏହା ବ୍ୟତୀତ କମ୍ପାନୀ ନିକଟରେ ‘ସ୍ପାମ୍ ଲିଙ୍କ୍ ଡିଟେକ୍ସନ’ ଉପରେ କାର୍ଯ୍ୟ କରିବା ଆରମ୍ଭ କରିଛି। ଫଳରେ ଏହା ବ୍ୟବହାରୀଙ୍କ ବ୍ୟକ୍ତିଗତ ଡାଟାକୁ ସୁରକ୍ଷା ପ୍ରଦାନ କରିବ। ପ୍ରାୟ ୨୩୦ ମିଲିୟନରୁ ଅଧିକ ବ୍ୟବହାରକାରୀ ଥିବା ସର୍ବୋତ୍ତମ ମେସେଜିଂ ଆପ୍ ହ୍ୱାଟ୍ସଆପ ବ୍ୟବହାରକାରୀଙ୍କୁ ଗୁଜବ ଓ ମନଗଢ଼ା ମେସେଜ୍ ଚିହ୍ନିବା ପାଇଁ ପ୍ରଶିକ୍ଷଣ ଦେବ।

ବ୍ୟବହାରକାରୀଙ୍କୁ ସଚେତନ କରାଇବା ଦିଗରେ ହ୍ୱାଟ୍ସଆପ ନେଇଥିବା ନୂତନ ପଦକ୍ଷେପ ଏବେ କେତେକ ଖବରକାଗଜରେ ବିଜ୍ଞାପନ ଆକାରରେ ଦେଖିବାକୁ ମିଳୁଛି। ବିଜ୍ଞାପନର ନାମ ରହିଛି ‘ଇଜି ଟିପ୍ସ’। ଏହି ସହଜ କୌଶଳ ବାବଦରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଯେଉଁ ମେସେଜ୍ ବାରମ୍ବାର ବିଭିନ୍ନ ଆଡୁ ଆସୁଛି ତାହା ଗୁଜବ ବୋଲି ନିଶ୍ଚିତ ହୁଅନ୍ତୁ।