ଫେସବୁକ ଡାଟା ଲିକ : ହ୍ଵାଟସଆପ ସହ-ସଂସ୍ଥାପକଙ୍କ ସତର୍କ ସୂଚନା, ଟ୍ୱିଟ କରି କହିଲେ “ଫେସବୁକ ଡିଲିଟ କରନ୍ତୁ”

77

କନକ ବ୍ୟୁରୋ : ଫେସବୁକ ଡିଲିଟ କରିବାକୁ ହ୍ଵାଟସଆପ ସହ-ସଂସ୍ଥାପକ ବ୍ରିଏନ ଆକ୍ଟନ ଆଜି ଟୁଇଟ କରି ସମସ୍ତଙ୍କୁ କହିଛନ୍ତି “ସମୟ ଆସିଯାଇଛି, ଫେସବୁକ ଡିଲିଟ୍ କରନ୍ତୁ” । ଫେସବୁକ ଅଡୁଆ ପରିସ୍ଥିତିରେ ଥିବାବେଳେ ଆକ୍ଟନ ଏ ଭଳି ଟୁଇଟ କରିଛନ୍ତି । ବିନା ଅନୁମତିରେ କେମ୍ବ୍ରିଜ ଆନାଲିଟିକା ନାମକ ଏକ ରାଜନୈତିକ ତଥ୍ୟ ବିଶ୍ଳେଷଣକାରୀ କମ୍ପାନି ୫୦ ନିୟୁତ ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟ ନେଇଯାଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଏଭଳି ସ୍ଥିତି ଉପୁଜିଛି।

୧୯ ବିଲିୟନ ଆମେରିକୀୟ ଡଲାର୍ ବିନିମୟରେ ୨୦୧୪ ମସିହାରେ ଫେସବୁକ ହ୍ଵାଟସଆପକୁ କିଣିଥିଲେ । ବିକ୍ରି ହେବା ପରେ ମଧ୍ୟ ଆକ୍ଟନ ଫେସବୁକରେ ରହିଥିଲେ। କିନ୍ତୁ, ଏ ବର୍ଷ ଆଦ୍ୟରେ ସେ ଫେସବୁକ ଛାଡ଼ି ‘ସିଗନାଲ ଫାଉଣ୍ଡେସନ’ ନାମକ ଅନ୍ୟ ଏକ କମ୍ପାନି ଆରମ୍ଭ କରିଛନ୍ତି। ସୋମବାର ଦିନ ଫେସବୁକର ସେୟାର ୭% କମିଯାଇଛି। ରିପୋର୍ଟ ଅନୁସାରେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାର ଅଭିଯାନରେ କନସଲଟାଣ୍ଟ ଥିବା ‘କେମ୍ବ୍ରିଜ୍ ଆନାଲିଟିକା’ ବିନା ଅନୁମତିରେ ଫେସବୁକ ବ୍ୟବହାରକାରୀଙ୍କ ଡାଟା ସଂଗ୍ରହ କରି ନଭେମ୍ବର ୨୦୦୬ରେ ଅନୁଷ୍ଠିତ ନିର୍ବାଚନକୁ ପ୍ରଭାବିତ କରିଥିଲା।

ଦୁଇଦିନ ତଳେ ଫେସବୁକ ଘୋଷଣା କରିଥିଲା କି, ଡାଟା ଲିକ ସଂବନ୍ଧରେ ତଦନ୍ତ କରିବାକୁ ଡିଜିଟାଲ୍ ଫୋରେନସିକ ଫାର୍ମ ‘ଷ୍ଟ୍ରୋଜ ଫ୍ରାଏଡବର୍ଗ’କୁ ନିଯୁକ୍ତ କରାଯାଇଛି।