ହ୍ୱାଟସଆପକୁ ଭାରତ ପକ୍ଷରୁ କଡ଼ା ଚେତାବନୀ : ଦେଶରେ କାରବାର କରିବାକୁ ହେଲେ ତିନି ସର୍ତ୍ତକୁ ମାନିବାକୁ ବାଧ୍ୟ

12

ଲୋକପ୍ରିୟ ମୋବାଇଲ୍‌ ମେସେଜିଂ ଆପ୍‌ ହ୍ଵାଟସ୍‌ଆପ୍‌ର ସିଇଓ କ୍ରିସ୍‌ ଡାନିଏଲ୍‌ ଭାରତ ଗସ୍ତରେ ଆସିଛନ୍ତି । ସେ ଗତକାଲି କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରସାଦ ହ୍ଵାଟସ୍‌ଆପ୍‌ ସିଇଓଙ୍କ ସମ୍ମୁଖରେ ତିନିଟି କଠୋର ସର୍ତ୍ତ ରଖିଛନ୍ତି । ଭାରତରେ କାରବାର କରିବାକୁ ହେଲେ ଏହି ତିନି ସର୍ତ୍ତକୁ ମାନିବାକୁ ପଡ଼ିବ । ମିଥ୍ୟା ଖବର ସମସ୍ୟାର ସମାଧାନ ନକଲେ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡ଼ିବ ବୋଲି ରବି ଶଙ୍କର ହ୍ଵାଟସ୍‌ଆପ୍‌ର ସିଇଓଙ୍କୁ ଜଣାଇ ଦେଇଛନ୍ତି । ହ୍ଵାଟସ୍‌ଆପ୍‌ ଜରିଆରେ ଅନେକ ମିଥ୍ୟା ଖବର ପ୍ରଚାରିତ ହେଉଥିବାରୁ ହ୍ଵାଟସ୍‌ଆପ୍‌ ଉପରେ ସରକାର ଅସନ୍ତୁଷ୍ଟ ଅଛନ୍ତି ।

ଏହି ସବୁ ମିଥ୍ୟା ଖବର ଯୋଗୁ ଅନେକ ସ୍ଥାନରେ ହିସାଂକାଣ୍ଡ ଘଟୁଛି । ମିଥ୍ୟା ଖବର ଉପରେ ଲଗାମ ଲଗାଇବା ପାଇଁ ପ୍ରଭାବଶାଳୀ ସମାଧାନ ବିକଶିତ କରିବାକୁ ହ୍ଵାଟସ୍‌ଆପ୍‌କୁ କୁହାଯାଇଛି । ମିଥ୍ୟା ଖବରଗୁଡ଼ିକ କେଉଁ ଉତ୍ସରୁ ଆସୁଛି ତାହାକୁ ଖୋଜି ବାହାର କରିବା ଓ ବିଭିନ୍ନ ପ୍ରକାର ଅଭିଯୋଗର ସମାଧାନ କରିବା ନିମନ୍ତେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିବାକୁ ହ୍ଵାଟସ୍‌ଆପ୍‌ର ସିଇଓଙ୍କୁ ପ୍ରସ୍ତାବ ଦିଆଯାଇଛି । ଏଥି ସହିତ ଭାରତରେ କାମ କରିବା ପାଇଁ ଏକ ସ୍ଥାନୀୟ କାର୍ଯ୍ୟାଳୟ ସ୍ଥାପନ କରିବାକୁ ମଧ୍ୟ କଂପାନିକୁ କୁହାଯାଇଛି । ମିଥ୍ୟା ଖବରକୁ ନେଇ ହ୍ଵାଟସ୍‌ଆପ୍‌ ଏବେ ସାରା ଦୁନିଆର ଅନେକ ଦେଶରେ ବିରୋଧର ସାମ୍ନା କରୁଛି । ଏଭଳି ଖବର ପ୍ରଚାରପ୍ରସାରକୁ ରୋକିବା ପାଇଁ ନିକଟରେ କଂପାନି କେତେକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛି ।