ଆଗକୁ କ’ଣ ରହିବ ବିଜେପିର ଆଭିମୁଖ୍ୟ ? ଅପରାଜିତା ପୂରଣ କରିପାରିବେ କି ଦିଲ୍ଲୀପ ଓ ବିଜୟଙ୍କ ସ୍ଥାନ ?

392

କନକ ବ୍ୟୁରୋ : ଆଉ ମାତ୍ର ଚାରି ମାସ ରହିଲା ଲୋକସଭା ନିର୍ବାଚନ । ଜାତୀୟ ସ୍ତରରେ ରାଜନୈତିକ ଦଳ ଗୁଡ଼ିକ ଏବେଠାରୁ ଶକ୍ତି ଗୋଟାଇବାରେ ଲାଗିଲେଣି । ରାଜ୍ୟ ଗୁଡ଼ିକ ମଧ୍ୟ ପଛରେ ପଡ଼ିନାହାନ୍ତି । ଆଂଚଳିକ ଦଳ ଗୁଡ଼ିକ ମଧ୍ୟ ଏବେଠାରୁ ଗୋଟିଚାଳନା ଆରମ୍ଭ କରିଦେଲେଣି । କ୍ଷମତାଶୀନ ଏନଡ଼ିଏ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ରୀତିମତ ରଣନୀତି ପ୍ରସ୍ତୁତ ହେଉଛି । ଏପରିସ୍ଥଳରେ ରାଜ୍ୟ ବିଜେପିକୁ ଆଜି ଗୋଟିଏ ଦିନରେ ଲାଗିଛି ଡବଲ ଝଟକା । ରାଜ୍ୟ ବିଜେପିକୁ ଲାଗିଲା ବଡ ଝଟକା । ଦଳରୁ ଇସ୍ତଫା ଦେଲେ ଦୁଇ ଭେଟେରାନ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଏବେ ଉଭୟ ନେତାଙ୍କ ପରବର୍ତ୍ତୀ ରାଜନୈତିକ ନିଷ୍ପତିକୁ ନେଇ ବଢିଲା ଚର୍ଚ୍ଚା ।

ପ୍ରଥମେ ଜଣେ ପ୍ରଶାସନିକ ଅଧିକାରୀ ଦଳରେ ମିଶିଲେ ଆଉ ଆଜି ଦୁଇ ତୁଙ୍ଗ ନେତା ବିଜେପି ଛାଡ଼ିଦେଲେ । ନିର୍ବାଚନୀ ଋତୁ ପାଖେଇ ଆସୁଥିବାବେଳେ ଦଳବଦଳ ନୀତି ସାଧାରଣ ହୋଇଥିଲେ ହେଁ ରାଜ୍ୟ ବିଜେପି ପାଇଁ ଏହା ଅନୁକୂଳ ଖବର ନୁହେଁ । ଅପରାଜିତା ଷଡ଼ଙ୍ଗୀ କେଉଁ ଭୂମିକା ଗ୍ରହଣ କରିବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ଏପରି ସ୍ଥଳେ ଦୁଇ ନେତା ଦଳ ଛାଡ଼ିବା ପରେ ବିଜେପି ଆଗକୁ କିପରି ନିର୍ବାଚନ ପ୍ରସ୍ତୁତି କରିବ ସେ ନେଇ ସମସ୍ତଙ୍କ ନଜର ରହିଛି ।

ଗୋଟିଏ ପଟେ ପୂର୍ବତନ ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗଦେବା ପରେ ଦଳ ମଜଭୁତ୍ ହେବ ବୋଲି ଆଶାକରାଯାଉଥିଲା । ହେଲେ ଆଜି ଦଳର ଦୁଇ ହେଭିୱେଟ୍ ନେତା ଦଳ ଛାଡ଼ିବା ପରେ ବିଜେପି ଉପରେ କ’ଣ ପ୍ରଭାବ ପଡ଼ିବ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ପ୍ରଶ୍ନ ଉଠୁଛି ଦିଲ୍ଲୀପ ଓ ବିଜୟଙ୍କ ସ୍ଥାନ ପୂରଣ କରିପାରିବେ କି ଅପରାଜିତା ? ଗୋଟିଏପଟେ ଜଣେ ଦକ୍ଷ ତଥା ସଚ୍ଚୋଟ ଆଇଏଏସ୍ ଅଫିସର ଦଳରେ ଯୋଗ ଦେଇ ବିକାଶ ତଥା ସୁଶାସନ କରିବା ନେଇ ଅଙ୍ଗୀକାରବଦ୍ଧ ହୋଇଛନ୍ତି, ଅନ୍ୟପଟେ ଦଳ ଦୁଇ ତୁଙ୍ଗ ନେତାଙ୍କୁ ହରାଇଛନ୍ତି । ୧୨୦ ମିଶନ ପାଇଁ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶ୍ଳେଷକ ମାନେ କହୁଛନ୍ତି ।

dilip-ray-bijoy-mahapatra

ଉଭୟ ନେତା ଦଳ ଛାଡ଼ିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ ଉଭୟ ନେତା ଦଳ ପାଇଁ ଗୁରୁତ୍ୱବହନ କରୁଥିଲେ । ରାଜ୍ୟ ଶାସକ ଦଳର ନେତାମାନେ କହୁଛନ୍ତି ଉଭୟ ଦଳ ନେତା ବିଜେଡ଼ିରେ ମିଶିଲେ ତାଙ୍କୁ ସ୍ୱାଗତ କରାଯିବ । ଅନ୍ୟପଟେ ବିଜେପି କହିଛି ଦଳ ଉପରେ ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଦଳ ଛାଡିଥିବାରୁ ଉଭୟ ନେତାଙ୍କୁ ଶୁଭେଚ୍ଛା ଜଣାଇଛି ବିଜେପି । ବ୍ୟକ୍ତିଗତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦଳରୁ ଉଭୟ ନେତା ଇସ୍ତଫା ଦେଇଛନ୍ତି ବୋଲି କହିଛି ବିଜେପି ।