ସାମୁଖ୍ୟର ମିଳିତ ଶତ୍ରୁ – ବିଜେଡି । ଯୋଦ୍ଧା – ୨ ଯୋଡିହେଲେ, ଅନ୍ୟକୁ ଅପେକ୍ଷା । ଓଡିଶା ଗଣତାନ୍ତ୍ରିକ ସାମୁଖ୍ୟର ଗତି କୁଆଡେ?

ମୋଦିଙ୍କ ବିରୋଧରେ ବିରୋଧୀ ଏକାଠି ହୋଇ ରଣହୁଙ୍କାର ଦେଉଥିବା ବେଳେ, ଓଡିଶାରେ ସେଭଳି ଏକ ଦୃଶ୍ୟର ଅବତାରଣା କରାଯାଉଛି । ସମସ୍ତେ ବିଜେଡି ଭିତରେ ଲଢିବାକୁ ହୁଙ୍କାର ଦେଉଛନ୍ତି, ହେଲେ କେହି ଏକାଠି ହେବାକୁ ଚାହୁଁନାହାନ୍ତି । ଯୁଦ୍ଧକ୍ଷେତ୍ରକୁ ଆଜିିି ବ୍ରଜ-ଖାରବେଳ ପଶିଆସିଲେ, ଆଗାମୀ ଦିନରେ କିଏ ସାମିଲ ହେବ?

448

କନକ ବ୍ୟୁରୋ : ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ନୂଆ ସାମୁଖ୍ୟ ମୁଣ୍ଡ ଟେକିଛି । ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ଓ ସମତାକ୍ରାନ୍ତି ଦଳ ମିଳିତ ଭାବେ ଓଡିଶା ଗଣତାନ୍ତ୍ରିକ ସାମୁଖ୍ୟ ଗଠନ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଓ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଆଜି ହାତ ମିଳାଇବା ପରେ ରାଜ୍ୟରେ ରୋଚକ ସ୍ଥିତିରେ ପହଁଚିଛି ରାଜନୀତି ।

ସାମୁଖ୍ୟର ଲକ୍ଷ୍ୟ?
ବ୍ରଜ ଓ ଖାରବେଳ କହିଛନ୍ତି, ୨୦୧୯ରେ ବିଜେଡିକୁ କ୍ଷମତାରୁ ଗାଦିଚ୍ୟୁତ କରିବା ଏହି ସାମ୍ମୁଖ୍ୟର ଲକ୍ଷ୍ୟ ହେବ । ସାମୁଖ୍ୟ ଅଭିଯୋଗ କରିଛି, ବିଜେଡି ଓଡିଶାକୁ ଦରିଦ୍ରରୁ ଦରିଦ୍ର କରିଛି । ବିଭିନ୍ନ କ୍ଷେତ୍ରରେ ମାନବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଲୋକେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଉଛନ୍ତି । କୃଷିକ୍ଷେତ୍ର ମଧ୍ୟ ଅବହେଳିତ ହୋଇ ରହିଛି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ସାମୁଖ୍ୟର ନେତାମାନେ ବିଜେଡି ସରକାର ଉପରେ ବର୍ଷିଛନ୍ତି ।

ସାମୁଖ୍ୟରେ ଆଉ କିଏ?
ନିର୍ବାଚନରେ ଭୋଟ ଗଣିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି ନୂଆ ସାମ୍ମୁଖ୍ୟ କଣ ତାର ପ୍ରଭାବ ଛାଡିପାରିବ, ତାକୁ ନେଇ ସବୁଠାରୁ ବଡ ଚର୍ଚ୍ଚା ଆରମ୍ଭ ହୋଇଛି । ଆଗାମୀ ଦିନରେ ଏହି ସାମ୍ମୁଖ୍ୟରେ ଆଉ କେଉଁ ସବୁ ନେତା ହାତ ମିଳାଇବେ, ତା ଉପରେ ନଜର ରହିଛି । ଖାସ କରି ବୈଜୟନ୍ତ ଯଦି ନୂଆ ଦଳ ଗଢିବେ, ଦାମ ରାଉତ ଯଦି ନୂଆ ଦଳ ଗଢିବେ ତେବେ ଏହି ସାମ୍ମୁଖ୍ୟର ଅଂଶ ବିଶେଷ ହେବେ କି ନାହିଁ? ରାଜ୍ୟର ସମସ୍ତ ବିଜେଡି ବିରୋଧୀ ଶକ୍ତି ଗଣତାନ୍ତ୍ରିକ ସାମ୍ମୁଖ୍ୟରେ ଯୋଗଦେବାକୁ ବ୍ରଜ ଓ ଖାରବେଳ ଅନୁରୋଧ କରିଛନ୍ତି ।

ଜନତା କ୍ରାନ୍ତି ଦଳ
ବିଜେଡିରୁ ବହିଷ୍କୃତ ହୋଇଥିବା ଡାକ୍ତର ଦାମୋଦର ରାଉତଙ୍କ ନଜର କିନ୍ତୁ ଏହି ସାମ୍ମୁଖ୍ୟ ବାହାରେ ଆଉ ଏକ ଦିଗକୁ ରହିଛି । ଜନତା କ୍ରାନ୍ତି ନାଁରେ ଏକ ଦଳ ଗଠନ କରାଯାଇ ନିର୍ବାଚନ କମିଶନଙ୍କ ନିକଟକୁ ପଂଜୀକରଣ ପାଇଁ ପଠାଯାଇଛି । ଏହାପରେ ଦାମ ବାବୁ ଏହି ଦଳରେ ସାମିଲ ହୋଇପାରନ୍ତି । ତେବେ ଖାରବେଳଙ୍କ ସାମ୍ମୁଖ୍ୟ ପ୍ରତି ତାଙ୍କ ଆଭିମୁଖ୍ୟ କଣ ରହିବ, ତାକୁ ନେଇ ଏବେ ଚର୍ଚ୍ଚା ।

ଘଡିକେ ଘୋଡା ଛୁଟୁଛି!
କିଛି ଦିନ ପୂର୍ବରୁ ଦାମ-ବ୍ରଜ ହାତ ମିଳାଇଥିଲେ । ସମତା କ୍ରାନ୍ତି ଦଳକୁ ବିଜୁ ସମତା କ୍ରାନ୍ତି ଦଳରେ ପରିବର୍ତ୍ତନ କରାଗଲା । ଗତ ନଭେମ୍ବର ୨୩ରେ ଏନେଇ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଥିଲେ ଉଭୟ ନେତା । ଦଳର ମଙ୍ଗ ଧରିବା ବଦଳରେ ପ୍ରଚାର କମିଟି ଅଧ୍ୟକ୍ଷରେ ନିଜକୁ ସୀମିତ ରଖିଥିଲେ ଡକ୍ଟର ରାଉତ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ସହ ମିଶି ନୂଆ ରୁପରେ ସାମ୍ନାକୁ ଆସିବାକୁ ଘୋଷଣା କରାଯାଇଥିଲା ।

ନୂଆ ଦଳ ଗଠନ କରିବା ସହ ଦାମ ବାବୁ କହିଥିଲେ, କହିଛନ୍ତି- ବିଜୁ ଅନୁଗାମୀ ଏହି ନବ ଗଠିତ ଦଳରେ ସାମିଲ ହେବେ । ହେଲେ ଏହାରି ଭିତରେ କଣ ହେଲା କେଜାଣି, ବ୍ରଜଙ୍କ ଠାରୁ ମୁହଁ ଫେରାଇ ନେଲେ ଦାମୋଦର ରାଉତ । ଫଳରେ ସମତା କ୍ରାନ୍ତି ଦଳ ଏବେ ନୂଆ ସାମ୍ମୁଖ୍ୟରେ ସାମିଲ ହୋଇଗଲା । ଅନ୍ୟପଟେ ଦାମ ବାବୁ ପୁଣି ନୂଆ ଏକ ଦଳ ପାଇଁ ମନ ବଳାଇଲେଣି ।

ବିଜୁ ଅନୁଗତ ଏକାଠି
ରାଜନୀତିରେ ବିଜୁ ବାବୁଙ୍କ ଯେଉଁ ଆଦର୍ଶ ଥିଲା ସେହି ଆଦର୍ଶ ଠାରୁ ବିଜୁ ଜନତା ଦଳ ଦୂରେଇ ଯାଇଛି, ତେଣୁ ନୂଆ ଏକ ଦଳ ଗଠନ କରିବା ସହ ସମସ୍ତ ବିଜୁ ଅମଳର ନେତାଙ୍କୁ ଏକାଠି ହେବାକୁ ଆହ୍ୱାନ ଦିଆଯାଇଛି । ହେଲେ ଏଥିପାଇଁ କେହି ବିଶେଷ ଆଗ୍ରହ ପ୍ରକାଶ କରୁନଥିବା ନିଜେ ଦାମ ବାବୁ କହିଛନ୍ତି । ବୈଜୟନ୍ତ ନିଜେ ଏକ ନୂଆ ଦଳ ଗଠନ କରିବା ମୁଡରେ ଥିବା ବେଳେ ଦିଲ୍ଲୀପ-ବିଜୟ କଣ କରିବେ ଏଯାବତ୍ ନିଷ୍ପତ୍ତି ନେଇପାରୁନାହାନ୍ତି । ସେହିଭଳି ପଂଚାନନ କାନୁନଗୋଙ୍କ ସମ ମଧ୍ୟ ସେ ଯୋଗାଯୋଗରେ ଅଛନ୍ତି ।

କଣ କହୁଛି ଅତୀତ?
ଓଡିଶା ରାଜନୀତିରେ ବିଜୁ ଜନତା ଦଳ ଗଠନ ହୋଇ କ୍ଷମତାକୁ ଆସିବା ପରଠାରୁ ସମୟ କ୍ରମେ ଅନେକ ଆଂଚଳିକ ରାଜନୈତିକ ଦଳ ଗଠନ ହୋଇଛି । କିଏ ସାମୟିକ ସଫଳତା ପାଇଛି ତ ଆଉ କିଏ ସଫଳତାର ରାସ୍ତାରେ ପ୍ରଥମ ପାହାଚ ମଧ୍ୟ ଅତିକ୍ରମ କରିପାରି ନାହିଁ । ଅନେକ ତୁଙ୍ଗ ନେତା ଦଳ ଗଠନ କରିଥିଲେ ବି ଭୋଟ ରାଜନୀତିରେ କିନ୍ତୁ ପଛରେ ପଡିଯାଇଛନ୍ତି ।

ବିଜୟ ମହାପାତ୍ରଙ୍କ ଓଡିଶା ଗଣ ପରିଷଦ, ଖାରବେଳ ସ୍ୱାଇଁଙ୍କ ଉକ୍ରଳ ଭାରତ, ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ, ଯତୀଶ ମହାନ୍ତିଙ୍କ ସମୃଦ୍ଧ ଓଡିଶା ଏହି ସବୁ ରାଜନୈତିକ ଦଳ ନିଜ ନିଜ ଆଭିମୁଖ୍ୟକୁ ଶାଣିତ କରି ରାଜନୈତିକ ଦଳ ମାନ ଗଠନ କରିଥିଲେ । ହେଲେ ମତଦାତା କିନ୍ତୁ ଏସବୁ ଦଳ ଉପରେ ଭରସା ରଖିପାରିନଥିଲେ । ଫଳସ୍ୱରୂପ ନିର୍ବାଚନକୁ ଏତେ କମ ସମୟ ଥିବା ବେଳେ ନୂଆ ଦଳ ଗଠନ କରି କିଭଳି ଭୋଟ ରାଜନୀତିକୁ ପ୍ରଭାବିତ କରାଯାଇ ପାରିବ, ତାକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା ।

ଖାରବେଳଙ୍କ ଭୋଟ କେତେ?
୨୦୧୪ରେ ଆମ ଓଡିଶା ପାର୍ଟିରୁ କଟକ ଲୋକସଭା ଆସନରେ ଲଢିଥିବା ଖାରବେଳ ସ୍ୱାଇଁ ମୋଟ ୫୮ହଜାର ୨୪୬ ଖଣ୍ଡ ଭୋଟ ପାଇଥିଲେ । ଏଥିରୁ ୫୩ ହଜାର ୭୫୮ ଭୋଟ କେବଳ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପାଇଥିଲେ । ଯାହାର ଏକ ବଡ ଶ୍ରେୟ ଯାଉଛି ୨୦୧୪ରେ ଅଳ୍ପ ଭୋଟ ବ୍ୟବଧାନରେ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପରାସ୍ତ ହୋଇଥିବା ସୈାମ୍ୟରଂଜନ ପଟ୍ଟନାୟକଙ୍କୁ । ଖଣ୍ଡପଡା ଆସନକୁ ଛାଡିଦେଲେ ଖାରବେଳ ବାକି ଏହି ଲୋକସଭା ଅଧୀନସ୍ଥା ଅନ୍ୟ ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବେଶ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ।

ବ୍ରଜ ତ୍ରିପାଠୀଙ୍କ ଭୋଟ କେତେ?
୨୦୦୯ ନିର୍ବାଚନରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଏହି ନେତା ପୁରୀ ଲୋକସଭା ଆସନରୁ ଲଢି ତୃତୀୟ ସ୍ଥାନରେ ରହିଥିଲେ । ପୂର୍ବରୁ ଏହି ଆସନରୁ ସେ ଲଗାତର ଭାବେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ନିର୍ବାଚନରେ ସେ ପାଇଥିଲେ ୨ ଲକ୍ଷ ୯ ହଜାର ୨୮୭ ଭୋଟ । ପରେ ୨୦୧୪ ନିର୍ବାଚନ ପୂର୍ବରୁ ସମତା କ୍ରାନ୍ତି ଦଳ ଗଠନ କରିଥିଲେ ।

୨୦୧୪ ନିର୍ବାଚନରେ ସମତାକ୍ରାନ୍ତି ଦଳ ୫୧ଟି ବିଧାନସଭା ଆସନରେ ଲଢିଥିଲା । ଦଳ ସପକ୍ଷରେ ମୋଟ ୮୬, ୫୩୯ ଭୋଟ ପଡିଥିଲା । ଜଣେ ପ୍ରାର୍ଥୀ ଜର୍ଜ ତିର୍କୀ ବିଜୟୀ ହୋଇଥିବା ବେଳେ ବାକି ୫୦ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ । ଆଉ ସମୟ ଚକ୍ରରେ ଜର୍ଜ ତିର୍କୀ ସମତା କ୍ରାନ୍ତି ଦଳ ଛାଡି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ।

୨୦୧୯ ଉପରେ ପ୍ରଭାବ
ରାଜନୀତିରେ ଲୋକ ମତ ହିଁ ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ସପ୍ତାହ ହିଁ ଯଥେଷ୍ଟ ଉଲଟଫେର କରିବାକୁ । ତେବେ ବଡ କଥା ହେଉଛି, ଯେଉଁ ସାମୁଖ୍ୟ ଆଜି ଗଠନ ହୋଇଛି, ତାକୁ ଯଦି ଅତୀତର ତମାମ ଘଟଣାକ୍ରମ ସହ ଯୋଡାଯାଏ ତେବେ ବୁଝିବା ସହଜ, ରାଜ୍ୟରେ ବିଜେଡି-ବିଜେପି-କଂଗ୍ରେସକୁ ଛାଡିଦେଲେ ଅନ୍ୟ କୈାଣସି ରାଜନୈତିକ ଦଳ ସ୍ପଷ୍ଟ ଭାବେ ନିଜ ଛାପ ଛାଡିପାରିନାହାନ୍ତି ।

ତେବେ ବିଜୁ ଅମଳର ନେତା ଯଦି ଏକାଠି ହେବେ, ଏହା କଣ ବିଜେଡିର ଭୋଟ କାଟିବାକୁ ସକ୍ଷମ ହେବେ କି? ଏହି ଦିଗରେ ସବୁଠାରୁ ବଡ ଅନ୍ତରାୟ ହେବ, ଏହି ସାମୁଖ୍ୟର ଆଭିମୁଖ୍ୟ ଆଉ ଏହାର ନେତା କିଏ? ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବ୍ରଜ ତ୍ରିପାଠୀ, ଖାରବେଳ ସ୍ୱାଇଁ, ପଂଚାନନ କାନୁନଗୋ ଏମାନେ ସମସ୍ତେ ଓଡିଶା ରାଜନୀତିରେ ଜଣେ ଜଣେ ଦିଗଜ, ସମସ୍ତଙ୍କର ଆଶା ଶାସନ କ୍ଷମତାକୁ ଆସିବା, ହେଲେ ଯେତେବେଳେ ଦଳ ବାହାରେ ବ୍ୟକ୍ତିଗତ ଭାବେ ଏମାନେ ଭୋଟକୁ ସାମ୍ନା କରିବେ ସେତେବେଳେ କେତେ ସଫଳତା ପାଇବେ, ତାଉପରେ ସବୁକିଛି ନିର୍ଭର କରିବ ।