ଗେରୁଆ ରଙ୍ଗରେ ରଙ୍ଗେଇ ଗଲେ ବୈଜୟନ୍ତ । ସୁରକ୍ଷିତ ଶିବିର ଉଦ୍ଦେଶ୍ୟ ନା ରାଜନୀତିରେ ଓଲଟପାଲଟ କରିବାକୁ ରଣନୀତି?

ମାତ୍ର ଦୁଇମାସରେ ବଦଳି ଯାଇଛି ଚିତ୍ର । ଅନେକ ଚର୍ଚ୍ଚା, ଆଲୋଚନା ପରେ ସେହି ବିଜେପିକୁ ବାଛିଛନ୍ତି ବୈଜୟନ୍ତ । ଗେରୁଆ ଶିବିରରେ ରହି ନିଜ ଆଗାମୀ ରାଜନୈତିକ ଭବିଷ୍ୟତ ତିଆରି କରିବେ ଏହି ପୂର୍ବତନ ସାଂସଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱରେ ବିଜେଡି ବିରୋଧରେ ଲଢିବେ ।

166

ରାଜନୀତିର ଚର୍ଚ୍ଚିତ ଚେହେରା ବୈଜୟନ୍ତ ପଣ୍ଡା । ବିଜେପିରେ ମିଶିବା ପରେ ରାଜ୍ୟ ରାଜନୀତିରେ ସ୍ଥିତିକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା । ଆଉ ଏହାରି ଭିତରେ ଅତୀତର କିଛି ପୃଷ୍ଠା ଓଲଟା ଯାଉଛି, ଯାହା ରୋଚକ ସ୍ଥିତିକୁ ସାମ୍ନାକୁ ଅଣାଯାଉଛି ।

ଚଳିତବର୍ଷ ଆରମ୍ଭରୁ ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ ବୈଜୟନ୍ତ ପଣ୍ଡା କହିଥିଲେ- ଓଡିଶାରେ ବିଜେପି ବଲ ପକାଇ ଦେଇଛି । ଦୁଇବର୍ଷ ତଳେ ପଂଚାୟତ ନିର୍ବାଚନରେ ଚମକ୍ରାର ପ୍ରଦର୍ଶନ କରିଥିଲା । ଗ୍ରାମାଂଚଳ ଭୋଟରେ ଦଳ ପ୍ରତି ସମର୍ଥନ ୧୦ଗୁଣା ବୃଦ୍ଧି ପାଇଥିଲା । କିନ୍ତୁ ବିଜେପୁର ଉପନିର୍ବାଚନକୁ ସମ୍ମାନର ଲଢେଇ ବୋଲି ବିଚାର କରି ମୂଳପୋଛ ହୋଇଗଲା । ବୈଜୟନ୍ତ କହିଥିଲେ ଯେ, ଏବେ ଚର୍ଚ୍ଚା ହେଉଛି ଓଡିଶାରେ ବିଜେଡି ସହ ଅଘୋଷିତ ଚୁକ୍ତି କରିବାକୁ ଯାଉଛି ବିଜେପି । କାରଣ ଦଳ ଲଢେଇ ପୂର୍ବରୁ ଯୁଦ୍ଧ ହାରିଯାଇଛି ।

ହେଲେ, ମାତ୍ର ଦୁଇମାସରେ ବଦଳି ଯାଇଛି ଚିତ୍ର । ଅନେକ ଚର୍ଚ୍ଚା, ଆଲୋଚନା ପରେ ସେହି ବିଜେପିକୁ ବାଛିଛନ୍ତି ବୈଜୟନ୍ତ । ଗେରୁଆ ଶିବିରରେ ରହି ନିଜ ଆଗାମୀ ରାଜନୈତିକ ଭବିଷ୍ୟତ ତିଆରି କରିବେ ଏହି ପୂର୍ବତନ ସାଂସଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱରେ ବିଜେଡି ବିରୋଧରେ ଲଢିବେ ।

୪ ମାର୍ଚ୍ଚ ୨୦୧୯ । ଅନେକ କଳ୍ପନା ଜଳ୍ପନା ପରେ ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ଯେଉଁ ଦଳର କାର୍ଯ୍ୟଧାରାକୁ ନିଜ ଆଲେଖ୍ୟ ଓ ଟ୍ୱିଟ୍ ଜରିଆରେ ଭୁରିଭୁରି ପ୍ରଶଂସା କରୁଥିଲେ, ସେହି ଦଳରେ ସାମିଲ ହୋଇ ବିଜେଡି ବିରୋଧରେ ଲଢେଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱକୁ ଗ୍ରହଣ କରି ଓଡିଶା ଏବଂ ଦେଶର ବିକାଶରେ ସାରଥୀ ହେବେ ବୋଲି ଦମ୍ଭୋକ୍ତି କରିଛନ୍ତି । ୨୨ ବର୍ଷ ହେଲା ବିଜେପିରେ ମିଶିବାକୁ ଚାହୁଁଥିଲେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ବୈଜୟନ୍ତ ପଣ୍ଡା ।

ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଭାବେ ଜଣାଶୁଣା ବୈଜୟନ୍ତ ପଣ୍ଡା ୨୦୦୦ ମସିହାରୁ ସଂସଦରେ ଦଳକୁ ପ୍ରତିନିଧିତ୍ୱ କରିଆସୁଥିଲେ । ହେଲେ ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡିର ପ୍ରଦର୍ଶନକୁ ନେଇ ଦଳ ପରିଚାଳନା ବାବଦରେ ତାଙ୍କ ଟିପ୍ପଣୀ, ବଡଧରଣ ଅସନ୍ତୋଷ ସୃଷ୍ଟି କରିଥିଲା ।

ପାର୍ଟି ମୁଖିଆଙ୍କ ସହ ମତଭେଦ କାରଣରୁ ପ୍ରଥମେ ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟାଇ ଦିଆଗଲା । ବାରମ୍ବାର ଦଳବିରୋଧୀ ଆଭିମୁଖ୍ୟ ରଖୁଥିବା ବୈଜୟନ୍ତଙ୍କ ବିରୋଧରେ ଫେରାଦ ହେଲେ ନିଜ ନିର୍ବାଚନ କ୍ଷେତ୍ରର ନେତା ଓ କର୍ମୀ । ଅଭିଯୋଗ ନେଇ ଅନୁଧ୍ୟାନ ଚାଲିଥିବାବେଳେ ଦଳଠାରୁ ନିଜକୁ ଦୂରେଇ ଦେଲେ ବୈଜୟନ୍ତ ପଣ୍ଡା । ଆଉ ପ୍ରାୟ ୯ ମାସ ଧରି ତାଙ୍କ ଆଗାମୀ ରାଜନୈତିକ ଭବିଷ୍ୟତକୁ ନେଇ ଲାଗିରହିଥିବା ସସ୍ପେନ୍ସ ବିଜେପି କାର୍ଯ୍ୟାଳୟରେ ଶେଷ ହୋଇଛି । ୨୦୧୯ର ଲଢେଇ ବୈଜୟନ୍ତ ଗେରୁଆ ଶିବିରରୁ ଲଢିବା ସ୍ପଷ୍ଟ ହୋଇଯାଇଛି । ହେଲେ ଦଳ ତାଙ୍କୁ କେଉଁ ଭୂମିକାରେ ଅବତୀର୍ଣ୍ଣ କରିବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ବିଜେଡିଠାରୁ ଅଲଗା ହେବା ପରେ ବୈଜୟନ୍ତ ନୂଆ ଦଳ ଗଢିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ବିଜୁ ଅନୁଗତଙ୍କୁ ନେଇ ଏକ ସାମୁଖ୍ୟ ଜରିଆରେ ଜାତୀୟ ଦଳସହ ମେଂଟ କରିପାରନ୍ତି ବୋଲି କୁହାଗଲା । କେଉଁ ଶିବିରରେ ନିଜକୁ ସୁରକ୍ଷିତ ରଖି ବିଜେଡି ସହ ମୁକାବିଲା କରିହେବ ସେହି ନିଷ୍ପତି ନେବା ପାଇଁ ଓଡ଼ିଶାସାରା ବୁଲି ବୁଲି ‘ହେଇଯାଉ-ଚା’ ଚର୍ଚ୍ଚା କାର୍ଯ୍ୟକ୍ରମ କରୁଥିଲେ । ଆଉ ପୁରା ପ୍ରକରଣ ଭୁବନେଶ୍ୱର ରାମମନ୍ଦିର ପାଖ ବିଜେପି କାର୍ଯ୍ୟାଳୟରେ ଅଟକି ଯାଇଛି ।