ମୋଦିଙ୍କ କଂଗ୍ରେସ ମୁକ୍ତ ଭାରତ ସ୍ୱପ୍ନ, ଶକ୍ତ ଝଟକା ଦେଲେ ରାହୁଲ ଗାନ୍ଧୀ

608

କନକ ବ୍ୟୁରୋ : ଦେଶରେ ଧୀରେ ଧୀରେ ବିଜେପି ପତିଆରା ହରାଇବା ପାଇଁ ବସିଛି । ମୋଦିଙ୍କ ଲୋକପ୍ରିୟତା ସତ୍ୱେ ବିଧାନସଭା ନିର୍ବାଚନରେ ବିଜେପି ସତ୍ତାରୂଢ଼ ରାଜ୍ୟ ଗୁଡ଼ିକ ଯାଇଛି କଂଗ୍ରେସ ହାତକୁ । ବିଗତ ସାଢ଼େ ୪ ବର୍ଷ ଧରି ଶାସନରେ ଥିବା ବିଜେପି, କଂଗ୍ରେସ ମୁକ୍ତ ଭାରତ ପାଇଁ ନାରା ଦେଇଆସୁଥିଲା । ହେଲେ ୫ ରାଜ୍ୟ ନିର୍ବାଚନରେ ବାଜି ଓଲଟା ପଡ଼ିଯାଇଛି । ମୋଦିଙ୍କୁ ଶକ୍ତ ଝଟକା ଦେଇଛନ୍ତି କଂଗ୍ରେସ ଅକ୍ଷ୍ୟକ୍ଷ ରାହୁଲ ଗାନ୍ଧୀ । ବିଜେପି ହାତ ଖାଲି ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ ।

ପାଂଚ ରାଜ୍ୟର ବିଧାନସଭା ନିର୍ବାଚନର ଚିତ୍ର ଧୀରେ ଧୀରେ ସ୍ୱଷ୍ଟ ହେଉଛି । ବୁଥ୍ ବାହୁଡ଼ା ମତ ଟିକିଏ ଏପଟସେପଟ ହେଲେ ମଧ୍ୟ ମୋଟାମୋଟି ଠିକ୍ ସାବ୍ୟସ୍ତ ହେବାକୁ ଯାଉଛି । କଂଗ୍ରେସର ତୋଫାନ ଆଗରେ ବିଜେପି ସତ୍ତାରୂଢ଼ ରାଜ୍ୟଗୁଡ଼ିକରେ ବିଜେପି ଚିତପଟାଙ୍ଗ କରିଛି  ।

ରାଜସ୍ଥାନରେ ପଟ୍ଟ ପରବର୍ତନ ହୋଇଛି । ସରକାର ବିରୋଧୀ ହାୱାର ଫାଇଦା ନେଇଛି  ପାଂଚବର୍ଷ ପରେ ରାଜ୍ୟରେ କ୍ଷମତା ବଦଳିବାପାଇଁ ଯାଉଛି  । ପୁଣିଥରେ କ୍ଷମତାକୁ ଫେରିବ କଂଗ୍ରେସ । ସେପଟେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଗଣତି ରୋମାଂଚକର ସ୍ଥିତିରେ ପହଂଚିଛି । ଏଠାରେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି ।  ଛତିଶଗଡ ନିର୍ବାଚନରେ ବିଜେପିକୁ ବଡ ଝଟକା ଲାଗିଛି । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିବା ରମଣ ସିଂ ଆଶା ଧୂଳିସାତ ହୋଇଛି ।  ଏଠାରେ ସରକାର ଗଢିବା ପାଇଁ ଯାଉଛି କଂଗ୍ରେସ । କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବା ଏକପ୍ରକାର ନିଶ୍ଚିତ ହୋଇଛି । ସେପଟେ ତେଲେଙ୍ଗାନା ଓ ମିଜୋରାମରେ ଜାତୀୟ ଦଳକୁ ପଛରେ ପକାଇଲେ ଆଞ୍ଚଳିକ ଦଳ । ଟିଆରଏସ୍ ଓ ଏମ୍ଏନ୍ଏଫ୍ ସରକାର ଗଢ଼ିବା ନିଶ୍ଚିତ ହୋଇଛି ।

ଓଡ଼ିଶାର କଂଗ୍ରେସ ସଭାପତି  ନିରଞ୍ଜନ ପଟ୍ଟନାୟକ ଭାରତ ‘ବିଜେପି ମୁକ୍ତ’ ହେବାକୁ ଯାଉଛି ବୋଲି ମତ ରଖିଛନ୍ତି । ଏହା ସହିତ କଂଗ୍ରେସକୁ ପୂର୍ବାପେକ୍ଷା ବେଶି ସମର୍ଥନ କରିଥିବାରୁ ଶ୍ରୀ ପଟ୍ଟନାୟକ ଏହି ୫ଟି ରାଜ୍ୟବାସୀଙ୍କୁ ଧନ୍ୟବାଦ୍ ମଧ୍ୟ ଜଣାଇଛନ୍ତି । ଗତ ଚାରି ବର୍ଷ ହେବ ଶାସନ କ୍ଷମତାରେ ଥିବା କେନ୍ଦ୍ର ସରକାଙ୍କୁ ଭଲ ଭାବେ ଚିହ୍ନି ସାରିବା ପରେ ହିଁ ଲୋକମାନେ କଂଗ୍ରେସକୁ ସମର୍ଥନ କରିଛନ୍ତି ବୋଲି ସେ ମତ ରଖିଛନ୍ତି ।