ଆସନ୍ତାକାଲି ଠାରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ ! ଜାଣନ୍ତୁ କେଉଁ ଜିନିଷ ହେବ ଶସ୍ତା, କଣ ହେବ ମହଙ୍ଗା !

64

କନକ ବ୍ୟୁରୋ : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟରେ ଘୋଷଣା ହୋଇଥିବା ନୂଆ ଟିକସସବୁ ଆସନ୍ତାକାଲିଠାରୁ ଲାଗୁ ହେବାକୁ ଯାଉଛି । କାରଣ ଏପ୍ରିଲ ପହିଲାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସଂସଦରେ ବଜେଟ ଉପସ୍ଥାପନ ବେଳେ ଯେଉଁସବୁ ନୂଆ ଘୋଷଣା କରିଥିଲେ ତାହା ଆଗାମୀ କାଲିଠାରୁ ଲାଗୁ ହେବାକୁ ଯାଉଛି । ତେଣୁ ଆସନ୍ତୁ ନଜର ପକାଇବା କାଲିଠାରୁ କେଉଁସବୁ ସାମଗ୍ରୀ ମହଙ୍ଗା ଓ ଶସ୍ତା ହେବାକୁ ଯାଉଛି ।

ଟ୍ରକ ଓ ବସର ଟାୟାର ମହଙ୍ଗା ହେବ । କାରଣ ଏସବୁ ଟାୟାର ଉପରେ ଆମଦାନୀ ଶୁଳ୍କ ୧୦ରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ବାହାରୁ ଆମଦାନୀ ହେଉଥିବା ଏଲସିଡି, ଏଲଇଡି ଟିଭି ପ୍ୟାନେଲ ମହଙ୍ଗା ହେବ । ଫର୍ଫ୍ୟୁମ, ଟଏଲେଟ କ୍ଲିନର, ବିଦେଶୀ ପ୍ରସାଧନ ସାମଗ୍ରୀର ଦର ବଢିବ । ହାତ ଓ ପକେଟ ଘଂଟା ସହ ସନଗ୍ଲାସ ଉପରେ ଆମଦାନୀ ଶୁଳ୍କ ୨୦ ପ୍ରତିଶତକୁ ବୃଦ୍ଧି ପାଇଛି । ରତ୍ନପଥର ଓ ହୀରା ଉପରେ ଆମଦାନୀ ଶୁଳ୍କ ଦୁଇଗୁଣା ହୋଇଛି । ଜୋତା, ସିଲ୍କ, ବିଦେଶୀ ଫଳ ରସ, କମଳା ରସ ଓ ପ୍ୟାକେଟ ଫଳ ଓ ପନିପରିବା ରସ ମଧ୍ୟ ମହଙ୍ଗା ହେବାକୁ ଯାଉଛି । କଂଚା ଅଲିଭ ଅଏଲ, ବାଦାମ ତେଲ ଓ ରିଫାଇଣ୍ଡ ତେଲ ଦର ମଧ୍ୟ କାଲିଠାରୁ ବଢିବ ।

ଏହାସହ ନଜର ପକାନ୍ତୁ କାଲିଠାରୁ କେଉଁ ସାମଗ୍ରୀ ଦର କମିବାର ସମ୍ଭାବନା ରହିଛି । ବାହାରୁ ଆସୁଥିବା କାଜୁ ଉପରେ ଆମଦାନୀ ଶୁଳ୍କ ଅଧା କମିଥିବାରୁ ଏହା ଶସ୍ତା ହେବ । ସୋଲାର ପ୍ରକଳ୍ପ ପାଇଁ ସୋଲାର ପ୍ୟାନେଲ, ସୋଲାର ସେଲ ଓ ସୋଲାର ମଡ୍ୟୁଲ ଉପରୁ ଆମଦାନୀ ଶୁଳ୍କ ଉଚ୍ଛେଦ କରାଯାଇଛି । ସେହିପରି ଶ୍ରବଣବାଧିତ ମାନେ ବ୍ୟବହାର କରୁଥିବା ଉପକରଣ ବା ଯନ୍ତ୍ରାଂଶ ମଧ୍ୟ ଶସ୍ତା ହେବାକୁ ଯାଉଛି ।