କଂଗ୍ରେସରେ ଯୋଗଦେବେ କି ବରୁଣ ? କନକ ନ୍ୟୁଜ ଓଡ଼ିଶା ନିର୍ମାଣ କନକ୍ଲେଭରେ କଣ କହିଲେ ବିଜେପି ସାଂସଦ ?

301

କନକ ବ୍ୟୁରୋ : ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବା ପରେ ବରୁଣ ଗାନ୍ଧି କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏଭଳି ସମୟରେ କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୧୯ରେ ମୁହଁ ଖୋଲିଛନ୍ତି ବରୁଣ । ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ବରୁଣ ଖୁବ ଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି ଓ ପ୍ରିୟଙ୍କା, ରାହୁଲ ଓ ବରୁଣ ଯଦି ଏକାଠି ହୋଇଯାଆନ୍ତି ତେବେ ଉତ୍ତରପ୍ରଦେଶରେ ସ୍ଥିତି କିଛି ଭିନ୍ନ ହେବ । ଏଭଳି ଗୁଜବକୁ ନେଇ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବରୁଣ କହିଥିଲେ,  ବର୍ଷ ବର୍ଷ ଧରି ମୁଁ ସଂକଳ୍ପ ନେଇଛି ଯେ, ଗଣମାଧ୍ୟମର କଥାକୁ କମ ବିଶ୍ୱାସ କଲେ ଭଲ । ଆଉ ହସି ହସି ବେଶ ଆରାମରେ ଏହି ପ୍ରଶ୍ନକୁ ଏଡାଇ ଯାଇଥିଲେ ବରୁଣ ।

ସେହିଭଳି କନକ ନ୍ୟୁଜର ଇନପୁଟ୍ ଏଡିଟର ସ୍ୱୟଂ ପ୍ରକାଶ ମହାପାତ୍ରଙ୍କ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଏବଂ ମୋଦିଙ୍କ ଚା ପେ ଚର୍ଚ୍ଚା ସମ୍ପର୍କିତ ପ୍ରଶ୍ନକୁ ଏଡାଇ ଯାଇଥିଲେ ବରୁଣ । ଏପରିକି ଗଣମାଧ୍ୟମ ଏବେ କିଏ କଣ କହିଦେଲା ତାହାର ପ୍ରସାରଣ କରୁଛି । ତେଣୁ ଏହାକୁ ବନ୍ଦ କରି କିଏ ଭଲ କାମ କରିଛି ତାହାର ପ୍ରସାରଣ କଲେ ତାହାର ପ୍ରଭାବ ଲୋକମାନଙ୍କ ଉପରେ ପଡିବ ବୋଲି କହିଛନ୍ତି ବରୁଣ । ଏହାଛଡା ଦେଶର ନିର୍ମାଣ, ରାଜ୍ୟର ନିର୍ମାଣ ନେଇ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ ବରୁଣ ଗାନ୍ଧୀ ।

ଏହାପୂର୍ବରୁ ଓଡିଶା ଗସ୍ତରେ ଆସିଥିବା ରାହୁଲ ଭୁବନେଶ୍ୱରରେ ବୁଦ୍ଧିଜୀବୀ ମାନଙ୍କ ସହ ଆଲୋଚନା ବେଳେ ବରୁଣ ଗାନ୍ଧୀ କଣ କଂଗ୍ରେସରେ ସାମିଲ ହେଉଛନ୍ତି କି ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତର ସମସ୍ତଙ୍କ ସାମ୍ନାରେ ରଖିଥିଲେ ରାହୁଲ । ସିଧାସଳଖ ଭାବେ କହିଥିଲେ, ମୁଁ ଏଭଳି କୌଣସି ଚର୍ଚ୍ଚା ଏଯାଏଁ ଶୁଣିନାହିଁ ।