କ’ଣ କହୁଛି ତିହାର ଜେଲ୍ ମାନୁଆଲ୍ ? ଅନ୍ୟ ୩ ଦୋଷୀଙ୍କ ଭିତରୁ କେହି ରାଜକ୍ଷମା ଆବେଦନ କଲେ କ’ଣ ହେବ?
ଏମାନଙ୍କୁ ଅଲଗା ଅଲଗା ଫାଶୀ ଖୁଂଟରେ ଝୁଲା ଯାଇପାରିବ ନାହିଁ । ବାସ ଜେଲ ମାନୁଆଲରେ ଥିବା ଏହି ବ୍ୟବସ୍ଥାର ଫାଇଦା ଉଠାଉଛନ୍ତି ନିର୍ଭୟା ଦୋଷୀ ।
କନକ ବ୍ୟୁରୋ: ଦିଲ୍ଲୀ ତିହାର ଜେଲ ମାନୁଆଲ କହୁଛି- ଯଦି ଗୋଟିଏ ଅପରାଧ ପାଇଁ ଏକାଧିକ ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ଏଥିପାଇଁ ଏମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି, ତେବେ ସମସ୍ତଙ୍କୁ ଏକାଠି ଫାଶୀ ଦିଆଯିବ । ଏମାନଙ୍କୁ ଅଲଗା ଅଲଗା ଫାଶୀ ଖୁଂଟରେ ଝୁଲା ଯାଇପାରିବ ନାହିଁ । ବାସ ଜେଲ ମାନୁଆଲରେ ଥିବା ଏହି ବ୍ୟବସ୍ଥାର ଫାଇଦା ଉଠାଉଛନ୍ତି ନିର୍ଭୟା ଦୋଷୀ । କାରଣ ସେମାନଙ୍କୁ ଭଲଭାବେ ଜଣାଅଛି ଯେ, କାହାରି ଜଣଙ୍କର ଲାଇଫଲାଇନ ବାକି ଥିଲେ ଅନ୍ୟମାନଙ୍କ ଜୀବନ ବି ସୁରକ୍ଷିତ ରହିବ । ଖାସ ସେଇଥି ପାଇଁ ସମସ୍ତ ୪ ଅଭିଯୁକ୍ତ ଜଣଜଣ କରି ନିଜର ଲାଇଫଲାଇନକୁ ବ୍ୟବହାର କରୁଛନ୍ତି । ଯେତେବେଳେ ଜଣଙ୍କର ଗୋଟିଏ ଲାଇଫଲାଇନ ଶେଷ ହେଉଛି, ସେତେବେଳେ ଅନ୍ୟଜଣେ ତାର ଲାଇଫଲାଇନକୁ ପ୍ରୟୋଗ କରୁଛି । ଆଉ ଟଳି ଯାଉଛି ଫାଶୀ ତାରିଖ ।
Kanak News is now on WhatsApp
Join and get latest news updates delivered to you via WhatsApp
ରିଭ୍ୟୁ ପିଟିସନ ନେଇ ସୁପ୍ରିମକୋର୍ଟ ପ୍ରଥମେ ଯାଇଥିଲା ମୁକେଶ ସିଂହ । ଆବଦେନ ଖାରଜ ହୋଇଯିବା ପରେ ପୁଣି ବିନୟ ଠାକୁର ସୁପ୍ରିମକୋର୍ଟରେ କଲା କ୍ୟୁରେଟିଭ ପିଟିସନ୍ । ଏବେ ଅକ୍ଷୟ ଓ ପବନ ବି ଯିବେ, ହେଲେ ଜଣ ପରେ ଜଣେ । ସେମିତି ରାଜକ୍ଷମା ପାଇଁ ମଧ୍ୟ ଅଲଗା ଅଲଗା ଆବେଦନ କରୁଛନ୍ତି । କାରଣ ସେମାନେ ଜାଣିଛନ୍ତି ଯେ, ଏକସଙ୍ଗରେ ଆବେଦନ ଖାରଜ ହୋଇଗଲେ ସେମାନଙ୍କ ଜୀବନର ଆୟୁ କମିଯିବ ।
ସୁପ୍ରିମକୋର୍ଟଙ୍କ ୨୦୧୪ର ଏକ ରୁଲିଂ ଅନୁସାରେ- ଦୋଷୀଙ୍କ ସମସ୍ତ ନ୍ୟାୟିକ ବିକଳ୍ପ ଶେଷ ହୋଇଯିବା ପରେ ଯେତେବେଳେ ଡେଥ ୱାରେଂଟ ଜାରି ହେବ ସେତେବେଳେ ଫାଶୀ ପାଇବାକୁ ଥିବା ଅପରାଧୀକୁ ୧୪ ଦିନର ମହଲତ ଦିଆଯିବ । ତେଣୁ ଏମିତି ଦେଖିଲେ ଓ ୪ ଦୋଷୀଙ୍କ ଲାଇଫଲାଇନ ବ୍ୟବହାରର ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଜଣାପଡୁଛି ୩ ଦୋଷୀଙ୍କ ରାଜକ୍ଷମା ଆବେଦନ ଏବେ ବି ବାକି ରହିଛି । ତେଣୁ ଏବେ ଯଦି ପ୍ରତ୍ୟେକ ଅଲଗା ଅଲଗା ରାଜକ୍ଷମା ପାଇଁ ଆବେଦନ କରନ୍ତି ଏହା ଖାରଜ ହେବା ପରେ ମଧ୍ୟ ମୃତ୍ୟୁ ପୂର୍ବରୁ ୧୪ ଦିନର ମହଲତ ମିଳିବ । ଅର୍ଥାତ କେବଳ ରାଜକ୍ଷମା ଆବେଦନ ହିଁ ଏମାନଙ୍କୁ ୪୨ ଦିନ ଯାଏଁ ଜୀବତ ରଖିବାକୁ ସମର୍ଥ । ସେହିପରି ରାଜକ୍ଷମା ଖାରଜ ହେଲେ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ନ୍ୟାୟିକ ପ୍ରକ୍ରିୟା ବାବଦରେ ୨-୪ଦିନ ଯୋଡି ଦିଅନ୍ତୁ । ପବନ ଓ ଅକ୍ଷୟର କୁରେଟିଭ ପିଟିସନ ପାଇଁ ଆଉ ୨-୪ ଦିନ ଯୋଡିଦେଲେ ପାଖାପାଖି ୫୦ ଦିନର ଆୟୁସ ଆହୁରି ଏମାନଙ୍କ ଖାତାରେ ରହିଛି ।
ପ୍ରଶ୍ନ ଉଠୁଛି ମାମଲାର ଅନ୍ୟ ତିନି ଦୋଷୀଙ୍କ ଭିତରୁ କେହି ରାଜକ୍ଷମା ଆବେଦନ କଲେ କ’ଣ ହେବ? ଜେଲ ମାନୁଆଲ କହୁଛି ଫେବ୍ରୁଆରୀ ୧ରେ ସମସ୍ତଙ୍କ ଫାଶୀ ଉପରେ ରୋକ ଲାଗିଯିବ । ଆଉ ରାଜକ୍ଷମାର ଫୈସଲା ଆସିବା ପରେ ଦିଲ୍ଲୀ ପଟିଆଲା ହାଉସକୋର୍ଟ ସାନି ଡେଥ ଓକ୍ୱାରେଂଟ ଜାରି କରିବା ସହ ନୂଆ ଫାଶୀ ତାରିଖ ଦେବେ ।
ଫେବ୍ରୁଆରୀ ୧ କିମ୍ବା ଏହା ପୂର୍ବରୁ ରାଜକ୍ଷମା ଫୈସଲା ଆସିଗଲେ ପୁଣି ତୃତୀୟଥର ଡେଥ ୱାରେଂଟ୍ ଜାରି କରିବେ ଦିଲ୍ଲୀ ପଟିଆଲା ହାଉସକୋର୍ଟ । ଏହାକୁ ଟାଳିବା ପାଇଁ ପୁଣି ରାଜକ୍ଷମା ଆବେଦନ ହେଲେ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚରେ ଆଉଏକ ନୂଆ ତାରିଖ ସହ ଜାରିହେବ ଚତୁର୍ଥ ଡେଥ ୱାରେଂଟ । ଅନେକ ସମ୍ଭାବନା ରହିଛି ଯେ, ଚତୁର୍ଥ ଡେଥ ୱାରେଂଟ ହିଁ ଶେଷ ମୃତ୍ୟୁର ପରୱାନା ହେବ ଓ ଫାଶୀ ଖୁଂଟରେ ଝୁଲିବେ ନିର୍ଭୟା ମାମଲାର ସମସ୍ତ ୪ ଦୋଷୀ ।