ମୋଦିଙ୍କ ରାସ୍ତାରେ ଶାହା ଚାଲିବେ ନା କର୍ମୀଙ୍କୁ ଆକ୍ରମଣର ଅସ୍ତ୍ର ଦେବେ! ଓଡିଶାକୁ ନେଇ କେଉଁ ଅଙ୍କ କଷୁଛନ୍ତି ବିଜେପି ଚାଣକ୍ୟ

109

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶା ଆସୁଛନ୍ତି ବିଜେପି ଚାଣକ୍ୟ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ନୂଆବର୍ଷରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ଶାହା । ହିନ୍ଦୀ ଭାଷା ଅଞ୍ଚଳରେ ପଦ୍ମ ଝଡିଯିବା ପରେ ଏବେ ବିଜେପି ଫୋକସରେ ରହିଛି ଓଡିଶା । ହିନ୍ଦୀଭାଷୀ ରାଜ୍ୟର କ୍ଷତିପୂରଣର ଭରଣା ଓଡିଶା ସମେତ ପୂର୍ବ ଭାରତରେ କରିବାକୁ ଅଙ୍କ କଷିଛନ୍ତି ବିଜେପି ଷ୍ଟ୍ରାଟେଜିଷ୍ଟ ଅମିତ ଶାହା । ଆଉ ଏସବୁ ଭିତରେ  ଆସନ୍ତାକାଲି ସାଲେପୁର ଠାରେ ଉପକୂଳ ଓଡିଶାର ୪ ସଂସଦୀୟ କ୍ଷେତ୍ରର କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବାକୁ ଆସୁଛନ୍ତି ଶାହା । ଅମିତଙ୍କ ଗସ୍ତକୁ ନେଇ ବିଜେପି ଶିବିରରେ ଉତ୍ସାହ ଖେଳିଛି ସତ କିନ୍ତୁ ସେ କଣ କହିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ରାଜ୍ୟ ସରକାରଙ୍କୁ ନେଇ ମୋଦିଙ୍କ ଭଳି ନରମ ରହିବେ ନା ଗରମ ହେବେ ନା ଦଳୀୟ କାର୍ଯ୍ୟକ୍ରମ କହି ପୂରା ଚୁପ୍ ରହିବେ ତାହା ଜାଣିବା ପାଇଁ ରାଜନୈତିକ ମହଲରେ ଉତ୍ସାହ ରହିଛି ।

କାରଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ମାସ ମଧ୍ୟରେ ୩ଥର ଓଡିଶା ଗସ୍ତରେ ଆସିଥିଲେ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିବା ମଧ୍ୟରେ ସୀମିତ ରହିଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ମୋଦି ବର୍ଷିଥିଲେ ମଧ୍ୟ ପୂର୍ବପେକ୍ଷା ତାଙ୍କ ସ୍ୱର ସେତିକି ଶାଣିତ ନଥିଲା । କହିବାକୁ  ଗଲେ କର୍ମୀଙ୍କୁ ଖୁସ୍ କରିବାକୁ କେବଳ ନବୀନଙ୍କ ବିରୋଧରେ ଶକ୍ତିହୀନ ତୀର ଛାଡିଥିଲେ ମୋଦି । ଯାହା ନବୀନ ସରକାରକୁ ତ କ୍ଷତି ପହଞ୍ଚାଇ ନଥିଲା ବରଂ ବିଜେପି ଶିବିରରେ ନୈରାଶ୍ୟ ଖେଳାଇଦେଇଥିଲା । ଆଉ ଏଭଳି ସମୟରେ ଦଳର ସେନାପତି ଓଡିଶା ଗସ୍ତରେ ଆସୁଛନ୍ତି । ତେଣୁ ଶାହା ନବୀନଙ୍କ ଉପରେ ବର୍ଷିବା ସହ କର୍ମୀଙ୍କ ମଧ୍ୟରେ ଜୋଶ ଭରିବେ ନା ମୋଦିଙ୍କର ରିପିଟ୍ କରିବେ ତାହା ସବୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି ।

amit saha criticized naveenଏହାପୂର୍ବରୁ ଓଡିଶା ଗସ୍ତ ସମୟରେ ଅମିତ ଶାହା ଅନେକବାର ନବୀନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏପରିକି ବିଜେଡି ସରକାରକୁ ପୋଡା ଟ୍ରାନ୍ସଫର୍ମର କହିବା ସହ ଏହାକୁ ୨୦୧୯ ନିର୍ବାଚନରେ ଉପାଡି ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ କର୍ମୀ ମାନଙ୍କୁ ଆହ୍ନାନ ଦେଇଥିଲେ । ଆଉ ଏହାସହ ଓଡିଶାରେ ମିଶନ-୧୨୦ର ମଞ୍ଜି ମଧ୍ୟ ବୁଣିଥିଲେ । କିନ୍ତୁ ସମୟ ବଦଳିବା ସହ ବିଜେପିର ଆଭିମୁଖ୍ୟ ମଧ୍ୟ ବଦଳିଛି । ୨୦୧୯ ନିର୍ବାଚନ ବିଜେପି ପାଇଁ ସହଜ ହେବ ନାହିଁ ବୋଲି ସର୍ଭେ ରିପୋର୍ଟ କହୁଥିବା ବେଳେ ଆଞ୍ଚଳିକ ଦଳଙ୍କ ହାତରେ ଦିଲ୍ଲୀର ଚୌକିର ଚାବି ରହିବ ବୋଲି କୁହାଯାଉଛି । ତେଣୁ ସେହି ନ୍ୟାୟରେ ବିଜେଡିକୁ ଅସନ୍ତୁଷ୍ଟ କରିବାକୁ ବିଜେପି ଚାହୁଁନଥିବା ଚର୍ଚ୍ଚା ହେଉଛି । କାରଣ ଅନେକ ସହଯୋଗୀ ଦଳ ଏହା ମଧ୍ୟରେ ଏନଡିଏ ହାତ ଛାଡି ସାରିଛନ୍ତି । ତେଣୁ ବିଜେଡି ପ୍ରତି ଅମିତ ଶାହା ନରମ ହେବେ ନା ଗରମ ହେବେ ନା ମାପିଚୁପି ବୟାନ ଦେବେ ତାହା ଦିଲ୍ଲୀ ରାଜନୀତି ପାଇଁ ସଂକେତ ଦେବ ।

ଏହାଛଡା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଗସ୍ତ ସମୟରେ ବିଜେଡି-ବିଜେପି ମଧ୍ୟରେ ଭିତିରି ବୁଝାମଣା ରହିଥିବା କଥା କହିଥିଲେ । ତେଣୁ ଆସନ୍ତାକାଲି ଯଦି ରାଜ୍ୟ ସରକାରଙ୍କୁ ନେଇ ଅମିତ ଚୁପ୍ ରୁହନ୍ତି ତେବେ ରାହୁଲଙ୍କ ଅଭିଯୋଗ ସତ ବୋଲି ଏକ ବାର୍ତ୍ତା ସାଧାରଣ ଲୋକଙ୍କ ପାଖକୁ ଯିବ । ଏହାଦ୍ୱାରା ବିଜେପି ଶିବିରରେ ନୈରାଶ୍ୟ ତ ଖେଳିବ ତାଛଡା ବିଜେପି ଓଡିଶାରେ ଯେଉଁ ମିଶନ-୧୨୦ର ସ୍ୱପ୍ନ ଦେଖୁଛି ତାହା ମଧ୍ୟ ଅଧା ବାଟରେ ଅଟକିଯିବ ବୋଲି ଚର୍ଚ୍ଚା ହେଉଛି ।