କେରଳ ବନ୍ୟାରୁ ଓଡ଼ିଶା ପାଇଁ କ’ଣ ରହିଛି ବାର୍ତ୍ତା ? ଛତିଶଗଡ଼ର ମନମୁଖୀ ଜଳ ପରିଚାଳନା ଯୋଗୁଁ ପଡ଼ିବ କି ପ୍ରଭାବ ?

52

କନକ ବ୍ୟୁରୋ : କେରଳ ବନ୍ୟା ସାରା ଦେଶକୁ ବିଚଳିତ କରିଥିବା ବେଳେ, କେଉଁ କାରଣରୁ ବନ୍ୟା ଏତେ ଉତ୍କଟ ରୂପ ନେଲା ତାକୁ ନେଇ ଆସିବାରେ ଲାଗିଛି ବିଭିନ୍ନ କାରଣ । କେରଳ ବିଭିନ୍ନ ଡ୍ୟାମର ଗେଟ୍ ଖୋଲିବା ବନ୍ୟାର ଏକ ପ୍ରମୁଖ କାରଣ ବୋଲି କୁହାଯାଇଛି । ଏମିତି କି ବରିଷ୍ଠ ପରିବେଶବିତ୍ ମାଧବ ଗଡଗିଲ୍ ଏକ ସାକ୍ଷତକାରରେ କେରଳ ବନ୍ୟାକୁ ମଣିଷକୃତ ବନ୍ୟା ବୋଲି କହିଛନ୍ତି । ଆଉ ଏସବୁ ଭିତରେ ପ୍ରଶ୍ନ ଉଠୁଛି-କେରଳ ବନ୍ୟାରୁ ଓଡ଼ିଶା ଶିଖିଲା କ’ଣ । କାରଣ ଛତିଶଗଡ଼ର ମନମୁଖୀ ଜଳ ପରିଚାଳନା ଓଡ଼ିଶା ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ଆଉ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ତଳିଆ ଅଂଚଳରେ ଏକ ବନ୍ୟା ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି ।

kerala flood

କେରଳ ବନ୍ୟା ବିଭୀଷିକାର ଭୟାନକ୍ ଚିତ୍ର ଭିତରେ ଏଭଳି କିଛି ପ୍ରଶ୍ନ ଉଠିଛି ଯେତେବେଳେ ଦେଶର ଜଣେ ଖ୍ୟାତନାମା ପରିବେଶବିତ୍ କେରଳ ବନ୍ୟାକୁ ଆଂଶିକ ମଣିଷକୃତ ବିପର୍ଯ୍ୟୟର ଆଖ୍ୟା ଦେଇଛନ୍ତି । ପଶ୍ଚିମଘାଟ ପର୍ବତମାଳାରେ ପରିବେଶ ବିଶେଷଜ୍ଞ କମିଟିର ମୁଖ୍ୟ ଥିବା ମାଧବ ଗଡଗିଲ୍ କହିଛନ୍ତି- କେରଳ ବନ୍ୟା ସମସ୍ୟା ମଣିଷକୃତ । ନଦୀ କୂଳରେ ଶିଳ୍ପ ପ୍ରତିଷ୍ଠା, ନିର୍ମାଣ କାର୍ଯ୍ୟ ଏବଂ ପାହାଡ଼ ଅଂଚଳରେ ଖଣିଖନନ, ଶିଳ୍ପପ୍ରତିଷ୍ଠା ପରିବେଶ ଉପରେ ବ୍ୟାପକ ପ୍ରଭାବ ପକାଇଛି । ଏହା ବ୍ୟତୀତ ଡ୍ୟାମ୍ ଗୁଡ଼ିକର ଗେଟ୍ ଖୋଲି ଦେବା କେରଳରେ ଭୟାବହ ବନ୍ୟାର ଆଉ ଏକ କାରଣ ବୋଲି ଚର୍ଚ୍ଚା ହେଉଛି ।

କେରଳ ବନ୍ୟାରେ ଡ୍ୟାମ୍ ଗୁଡ଼ିକରେ ଯେଉଁ ଭଳି ଭାବରେ ଜଳ ପରିଚାଳନା ହୋଇଛି, ତାକୁ ଦେଖିଲା ବେଳକୁ ଆପଣା ଯାଏଁ ମନକୁ ଚାଲି ଆସୁଛି ହୀରାକୁଦ ଡ୍ୟାମର କଥା । କାରଣ ହୀରାକୁଦ ଡ୍ୟାମର ଜଳ ପରିଚାଳନା, ତଳମୁଣ୍ଡର ବନ୍ୟା ସ୍ଥିତିକୁ ବେଶ ପ୍ରଭାବିତ କରିବାର ଆଶଙ୍କା ରହିଛି । ଅନ୍ୟ ପଟେ ଉପରମୁଣ୍ଡରେ ଛତିଶଗଡ଼ ବାନ୍ଧିଥିବା ବନ୍ଧ ଏବଂ ବ୍ୟାରେଜ୍ ଓଡ଼ିଶା ପାଇଁ ଆଉ ଏକ ଚିନ୍ତାର କାରଣ ପାଲଟିଛି ।

ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଯୋଗୁଁ ଓଡ଼ିଶାରେ କେବେ ବଡ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇନଥିବା ବେଳେ ତଳମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି । ତେବେ ଡ୍ୟାମକୁ ସୁରକ୍ଷା ଦେବା ପାଇଁ ଗେଟ୍ ଖୋଲିବାକୁ ହୁଏ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ପୂର୍ବତନ ଯନ୍ତ୍ରୀ । ହୀରାକୁଦ ଡ୍ୟାମର ଜଳଧାରଣା କ୍ଷମତା ରହିଛି ୬୩୦ ଫୁଟ । ଆଉ ଡ୍ୟାମରେ ରହିଛି ସମୁଦାୟ ୯୮ଟି ଗେଟ୍ । ହୀରାକୁଦ ଡ୍ୟାମରୁ ସର୍ବାଧିକ ୧୪ ଲକ୍ଷ କ୍ୟୁସେକ୍ ଜଳ ନିସ୍କାସନ ହୋଇପାରିବ । ହେଲେ ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମରୁ ସର୍ବାଧିକ ୧୧ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହୋଇଛି ।

ଭୌଗଳିକ ଦୃଷ୍ଟି କୋଣରୁ କେରଳ ଓ ଓଡ଼ିଶା ମଧ୍ୟରେ ପାର୍ଥକ୍ୟ ରହିଛି । କେରଳରେ ଅଧିକ ପାର୍ବତ୍ୟ ଅଂଚଳ ଥିବା ବେଳେ ଓଡ଼ିଶାରେ ସମତୁଳ ଅଂଚଳ । ତେଣୁ ଯଦି ହୀରାକୁଦ ଡ୍ୟାମରୁ ଅଧିକାଂଶ ଗେଟ୍ ଖୋଲିଲେ ମଧ୍ୟ କେରଳ ଭଳି ଏହା ଅଚାନକ୍ ପାଣି ମାଡ଼ି ଆସିବ ନାହିଁ । କିନ୍ତୁ ତଳିଆ ଅଂଚଳରେ ସାଂଘାତିକ ସ୍ଥିତି ସୃଷ୍ଟି ହେବ । ଯଦି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଏ- ତେବେ ଗେଟ୍ ଖୋଲିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ଆଉ ଯଦି ଡ୍ୟାମ୍ ଭାଙ୍ଗି ଯାଏ- ତେବେ ଓଡ଼ିଶାର ଅର୍ଦ୍ଧାଧିକ ଅଂଚଳ ଜଳମଗ୍ନ ହୋଇଯିବ ।

ତେଣୁ ବର୍ତ୍ତମାନ ପରିସ୍ଥିତିରେ ଜଳ ସୁପରିଚାଳନା, ପଡ଼ୋଶୀ ଛିତଶଗଡ଼ ସହ ସଠିକ୍ ସମନ୍ୱୟ ଏବଂ ହୀରାକୁଦ ଜଳମଣ୍ଡାରର ତଳମୁଣ୍ଡରେ ପାଣି ଧରି ରଖିବା ପାଇଁ କିଛି ପ୍ରକଳ୍ପ ହିଁ ଓଡ଼ିଶା ପାଇଁ ବନ୍ୟା ନିୟନ୍ତ୍ରଣର ଏକମାତ୍ର ବିକଳ୍ପ । ନହେଲେ ଏକ ବଡ଼ ବିପଦର ସାମନା କରିବ ଓଡ଼ିଶା ।