କର୍ମଜୀବୀ ମହିଳାଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡ଼ନ ରୋକିବା ପାଇଁ ଭାରତରେ କ’ଣ ରହିଛି ନିୟମ ? ଜାଣନ୍ତି କି . . . .?

48

ଅଭିନେତା ନାନ ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ବଲିଉଡରେ ଝଡ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା । କେବଳ ଯେ ତନୁଶ୍ରୀ ଦତ୍ତା ତା’ନୁହେଁ ଏବେ କଙ୍ଗନା ରାଣାୱତ୍ , ଅଙ୍କିତା ଲୋଖଣ୍ଡେ ପରି ଅଭିନେତ୍ରୀମାନେ ମଧ୍ୟ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ପୁଣି ଥରେ ଏବେ #MeToo ଟ୍ରେଣ୍ଡ୍ କରୁଛି । ଆପଣମାନେ ସମସ୍ତେ ଜାଣିଥିବେ ଆମ ଦେଶରେ ମହିଳାଙ୍କ ସହ ହେଉଥିବା ଅତ୍ୟାଚାର, ଯୌନ ଉତ୍ପୀଡ଼ନ ବିରୋଧରେ ସୁପ୍ରିମକୋର୍ଟ ପୂର୍ବରୁ ହିଁ ନିୟମ କରିଛନ୍ତି । ଯାହା ବିଶାଖା ଗାଇଡ଼୍ ଲାଇନ୍ ରୂପେ ପରିଚିତ । ଅନେକ କର୍ମଜୀବୀ ମହିଳା ବୋଧହୁଏ ଏବିଷୟରେ ଅଜ୍ଞ ଥିବେ ।

କିଛି ଦଶକ ପୂର୍ବରୁ ରାଜସ୍ଥାନରେ ଭବରୀ ଦେବୀ ଗଣଦୁଷ୍କର୍ମ ମାମଲା ପରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଥିଲା ସଂସ୍ଥା ବିଶାଖା’ । ଆଉ ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଏର ହୋଇଥିଲା । ଏହାକୁ ନଜରରେ ରଖି ୧୯୯୭ରେ ସୁପ୍ରିମକୋର୍ଟ କର୍ମଜୀବୀ ମହିଳାଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶାନାମ ଜାରି କରିଥିଲେ । ଏବଂ ସରକାରକୁ ଆବଶ୍ୟକ ନିୟମ ପ୍ରଣୟନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶାଖା ଗାଇଡ଼ଲାଇନ୍ ଜାରି ହେବାପରେ ୨୦୧୨ରେ ଏକ ମାମଲା ଉପରେ ଶୁଶଣି ସମୟରେ ଏପରି ସମସ୍ୟାର ସମାଧାନ ପାଇଁ ସମିତି ଗଠନ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଆଉ ତା’ପରେ କେନ୍ଦ୍ର ସରକାର ୨୦୧୩ ଏପ୍ରିଲରେ ‘Sexual Harrassment of Women on Workplace Act ‘କୁ ମଞ୍ଜୁରୀ ପ୍ରଦାନ କରିଥିଲେ ।

ବିଶାଖା ଗାଇଡ଼ଲାଇନ୍ ଅନୁସାରେ କୌଣସି ପ୍ରକାର ଅଶ୍ଳୀଳ ହରକତ, ଅଶ୍ଳୀଳ ଢ଼ଙ୍ଗରେ ଛୁଇଁବା, ଚାହିଁବା, ଯୌନ ସମ୍ମନ୍ଧ ସ୍ଥାପନ ପାଇଁ କହିବା, କିମ୍ବା ଏଥିପ ସମ୍ମନ୍ଧୀୟ ଟିପ୍ପଣୀ କରିବା, ଜୋର ଜବରଦସ୍ତି ଅଶ୍ଳୀଳ ଚିତ୍ର ଦେଖାଇବା ସବୁ ଯୌନ ଉତ୍ପୀଡ଼ନ ଅନ୍ତର୍ଭୁକ୍ତ ।

କ’ଣ ରହିଛି ବିଶାଖା ଗାଇଡ଼ଲାଇନ୍ ?

୧. ସମସ୍ତ ସଂସ୍ଥାନରେ ଏକ ଅନ୍ତରୀଣ ଅଭିଯୋଗ ସମିତି ସ୍ଥାପନା କରିବା ଅନିବାର୍ଯ୍ୟ ।

୨. ଆଉ ଉକ୍ତ ସମିତିର ଅଧ୍ୟକ୍ଷ ଜଣେ ମହିଳା ହେବା ଦରକାର । ଏହି ସମିତିରେ ଯୌନ ଶୋଷଣ ମୁଦ୍ଦା ଉପରେ କାମ କରଥିବା କୌଣସି ବି ଏନଜିଓର ପ୍ରତିନିଧି ମଧ୍ୟ ସାମିଲ ହେବା ଜରୁରୀ ।

୩. ତେବେ ଏହି ସମିତିର ମୁଖ୍ୟ କାମ ହେଲା ପୀଡ଼ିତା ମହିଳାଙ୍କ ଅଭିଯୋଗ ଶୁଣିବା ଏବଂ ତାଙ୍କ ଉପରେ ଯେପରି କୌଣସି ଆକ୍ରମଣ ନୁହଏ କିମ୍ବା ତାଙ୍କ ଉପରେ କୌଣସି ବାଧ୍ୟବାଧକତା ନରହୁ ସେଥିପ୍ରତି ନଜର ଦେବା ।

୪. ତେବେ ଏକ ବର୍ଷ ମଧ୍ୟରେ ଆସିଥିବା ଅଭିଯୋଗକୁ ଲିଖିତ ଭାବେ ସରକାରଙ୍କୁ ରିପୋର୍ଟ ପଠାଇବା ସମିତିର ପ୍ରଥମ କାମ । କେହି ଦୋଷୀ ସାବ୍ୟସ୍ତ ହେଲେ ସମିତିି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ।