ରାଫେଲ ବିମାନ ପରେ ବୁଲେଟ ଟ୍ରେନକୁ ନେଇ ଗୃହରେ ସରକାରଙ୍କୁ ଘେରିଲେ ବିରୋଧୀ : ଟ୍ରେନର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

72

କନକ ବ୍ୟୁରୋ : ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ ସରକାରଙ୍କୁ ଘେରୁିଛନ୍ତି ବିରୋଧୀ । ଏପରିକି ସରକାରଙ୍କୁ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ସମୟରେ ଦୀର୍ଘ ୧୨ ଘଣ୍ଟା ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ କଠାରେ ସମାଲୋଚନା କରିଥିଲେ ବିରୋଧୀ । ଗୃହରେ ବିଶେଷ ଭାବରେ ରାଫେଲ ବିମାନ କିଣାରେ ଦୁର୍ନିତି, ମହିଳାମାନଙ୍କ କ୍ଷେତ୍ରରେ ଆକ୍ରମଣ ବୃଦ୍ଧି ଆଦି ପ୍ରସଙ୍ଗରେ  ସରକାରଙ୍କୁ କଡା ସମାଲୋଚନା କରିଥିଲେ ବିରୋଧୀ । ତେବେ ବର୍ତ୍ତମାନ ରାଫେଲ୍ ବିମାନ ଚୁକ୍ତି ଓ ଭିଡ଼ହିଂସା ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପରେ ଏବେ ବିରୋଧୀ ଦଳ ବୁଲେଟ୍ ଟ୍ରେନ୍କୁ ନେଇ ଗୃହରେ ହୋହାଲ୍ଲା କରିଛନ୍ତି ବିରୋଧୀ । ତେଣୁ ସସଂଦରେ ଏନେଇ ବିରୋଧୀମାନେ ସରକାରଙ୍କୁ ଘେରିବାର ଦେଖାଯାଇଛି । କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ୍ ଖଡ଼ଗେ ଲୋକସଭାରେ ବୁଲେଟ ଟ୍ରେନ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ମୂଲ୍ୟ ଆବଶ୍ୟକତାଠାରୁ ଅତ୍ୟଧିକ ହୋଇଯାଉଛି। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କୁହାଯାଇଛି ପୂର୍ବ ସରକାରରେ ‘ସଂକୀର୍ଣ୍ଣ ରାଜନୈତିକ ଫାଇଦା’ ପାଇଁ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ସେଭଳି କିଛି ଘଟିନାହିଁ।

ଲୋକସଭାର ପ୍ରଶ୍ନକାଳରେ ବୁଲେଟ୍ ଟ୍ରେନ୍କୁ ନେଇ ହଟ୍ଟଗୋଳ ହୋଇଥିଲା। ଖଡ଼ଗେ ଦର୍ଶାଇଥିଲେ, ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ମୂଲ୍ୟ ଏବେ ୧.୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଏହା ଢେର୍ ଅଧିକ ହୋଇଯାଉଛି। ଏହି ଅର୍ଥ ଖର୍ଚ୍ଚ କରାଯାଇ ହଜାର ହଜାର କିଲୋମିଟରର ରେଳଧାରଣା ନିର୍ମାଣ କରାଯାଇ ପାରିଥାନ୍ତା। ଅନେକ ରେଳ ଧାରଣାର ଦୋହରାକରଣ ହୋଇପାରିଥାନ୍ତା। ଏମିତି କି ନୂଆ ଡିଭିଜନ୍ ବି ଖୋଲାଯାଇ ପାରିଥାନ୍ତା। କିନ୍ତୁ ସରକାର ସେ କଥା ଚିନ୍ତା କରିନାହାନ୍ତି ବୋଲି ସେ କହିଛନ୍ତି। ଏହାର ଜବାବ ଦେଇ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍ କହିଲେ ପୂର୍ବ ସରକାରରେ ରେଳବାଇର ଆର୍ଥିକ ସ୍ଥିତି କଥା ଚିନ୍ତା ନ କରି ରେଳମନ୍ତ୍ରୀମାନେ ସେମାନଙ୍କ ନିଜ ନିଜ ନିର୍ବାଚନମଣ୍ଡଳୀ ପାଇଁ ଅଯାଚିତ ଟ୍ରେନ୍ ବ୍ୟବସ୍ଥା କରୁଥିଲେ। ଏବର ସରକାର ବିଭିନ୍ନ ବିକଳ୍ପ କଥା ଚିନ୍ତା କରି ରେଳବାଇର ଆର୍ଥିକ ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଛନ୍ତି। ଗୋଏଲ୍ ଆହୁରି କହିଛନ୍ତି ଯେ ଏବେ ଜାପାନ ସରକାରଙ୍କ ପକ୍ଷରୁ ଏକ ୫୦ ବର୍ଷିଆ ଅବଧି ବିଶିଷ୍ଟ ଋଣ ମଞ୍ଜୁର କରାଯାଇଛି, ଯେଉଁଥିରେ ସୁଧ ହାର ମାତ୍ର ୦.୧% ରହିଛି। ଏମିତି କି ୧୫ ବର୍ଷ ପରେ ଋଣ ପରିଶୋଧ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସହମତି ହୋଇଛି। ଏହା ଭାରତ ପାଇଁ ଏକ ସୁଯୋଗ କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟପକ୍ଷରେ ପୂର୍ବର କଂଗ୍ରେସ ସରକାରଙ୍କ ଦ୍ୱାରା ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ମଞ୍ଜୁର ହୋଇଥିଲେ ହେଁ, ୪୦ ବର୍ଷ ପରେ ବି ତାହା ବାସ୍ତବ ରୂପ ନେଇପାରି ନାହିଁ। ଗୋଏଲଙ୍କ ଏଭଳି ମନ୍ତବ୍ୟ ପରେ ଗୃହ ମଧ୍ୟରେ କଂଗ୍ରେସ ସାଂସଦମାନେ ହଟ୍ଟଗୋଳ କରିଥିଲେ। କିନ୍ତୁ ବିଜେପିର ସାଂସଦମାନେ ମଧ୍ୟ ଅନୁରୂପ ଭାବେ ସେମାନଙ୍କର କଡ଼ା ଜବାବ ରଖିଥିଲେ।

ଏହାପରେ ଶୂନ୍ୟକାଳରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପଶ୍ଚିମବଙ୍ଗରେ ୪ ଜଣ ମହିଳାଙ୍କ ଉପରେ ହୋଇଥିବା ଭିଡ଼ ଆକ୍ରମଣକୁ ନେଇ ଟିଏମ୍ସି ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଘେରିଥିଲା। ଫଳରେ ବାଚସ୍ପତି ଗୃହକୁ ୧୦ ମିନିଟ୍ ପାଇଁ ଅର୍ଥାତ୍ ଅପରାହ୍ନ ୧୨.୩୦ ପର୍ୟ୍ୟନ୍ତ ମୁଲତବୀ ରଖିଥିଲେ। ସେପଟେ ରାଜ୍ୟସଭାରେ ଓ୍ଵାଇଏସ୍ଆର୍ କଂଗ୍ରେସ ସାଂସଦ ଭି ବିଜୟସାଇ ରେଡ୍ଡୀ ଗୃହରେ ତାଙ୍କ ପୂର୍ବ କାର୍ୟ୍ୟକଳାପ ପାଇଁ କ୍ଷମାପ୍ରାର୍ଥନା କରିଥିଲେ। ଅନାସ୍ଥା ବିତର୍କ ବେଳେ ତାଙ୍କୁ ଅଧିକ ସମୟ କହିବାକୁ ଦିଆଯାଇ ନ ଥିବାରୁ ସେ ଅଧ୍ୟକ୍ଷଙ୍କୁ ସମାଲୋଚନା କରିଥିଲେ। ତେବେ ମୈାସୁମୀ ଅଧୀବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପଚି ସୁମିତ୍ରା ମହାଜନ ସର୍ବଦଳୀୟ ବୈଠକ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଦଳର ନେତାମାନଙ୍କୁ ଗୃହକୁ ସ୍ୱାଭାବିକ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସାଧାରଣ ଲୋକମାନଙ୍କ କଥା ଆଲୋଚନା ହେବା ପରିବର୍ତ୍ତେ ଉଭୟ ବିରୋଧୀ ଓ ଶାସକ ଦଳର ନେତାମାନେ ପାଟିତୁଣ୍ଡ କରିବାରୁ ଗୃଡହକୁ ବାରମ୍ବାର ମୂଲତବୀ ରଖାଯାଉଛି ।