କେଉଁ ଭୂମିକାରେ ଆସିବେ ଅପରାଜିତା ଷଡ଼ଙ୍ଗୀ ? ରାଜନୈତିକ ମହଲରେ ଚର୍ଚ୍ଚା

162

କନକ ବ୍ୟୁରୋ : ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଛାକୃତ ଅବସର ଆବେଦନକୁ ଅନୁମୋଦନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଅପରାଜିତା । ତାଙ୍କ ସ୍ୱେଛାକୃତ ଅବସରକୁ ଗ୍ରହଣ କରାଯାଇଥିବାରୁ ସେ ଖୁସି ଜାହିର କରିବା ସହ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହ ଲେଖିଛନ୍ତି, ସକରାତ୍ମକ, ବାସ୍ତବବାଦୀ ଓ ଉତ୍ସାହର ସହିତ ମୋର ପରବର୍ତି ଯାତ୍ରା କରିବି । ଏହା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି । ରାଜ୍ୟ ସରକାର ତାଙ୍କ ଭିଆରଏସକୁ ମଞ୍ଜୁରି ଦେବା ସହ କେନ୍ଦ୍ରକୁ ପଠାଇଥିଲେ । ତେବେ ଅବସର ପରେ ସେ ରାଜନୀତିରେ ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି ।

ଏବେ ଅପରାଜିତାଙ୍କ ପରବର୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ଚର୍ଚ୍ଚା ଅନୁସାରେ ରାଜ୍ୟ ରାଜନୀତିରେ ଏକ ବଡ ଭୂମିକାରେ ଅସିବାକୁ ଯାଉଛନ୍ତି ଏହି ପ୍ରଶାସନିକ ଅଧିକାରୀ । ବିଜେପିରେ ଔପଚାରିକ ଭାବେ ସେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ କୁହାଯାଉଛି । ତେବେ ଏନେଇ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ଅପରାଜିତା । ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ବେଳେ ଅପରାଜିତା ନେଇଥିବା କିଛି ବଡ ନିଷ୍ପତି ଆଜି ବି ତାଙ୍କୁ ଆଗଧାଡିରେ ରଖିଛି । ଯେଉଁ ଲୋକପ୍ରିୟତା ପ୍ରଶାସନିକ ଜୀବନରେ ସେ ହାସଲ କରିଥିଲେ, ଠିକ ସେଭଳି ରାଜନୈତିକ ସ୍ତରରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଚି । ଦିଲ୍ଲୀ ଭଳି ଓଡିଶାରେ ବିଜେପି ନୂଆ ଏକ ଫର୍ମୁଲା ସହ ଆଗକୁ ବଢୁଥିବା ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଅପରାଜିତା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି ।