ବ୍ରାଣ୍ଡ ନାଁରେ ଲୋକଙ୍କୁ ଠକୁଛନ୍ତି କମ୍ପାନୀ ? ମାତ୍ର ୬ ଟଙ୍କାରେ ପ୍ରସ୍ତୁତ ହେଉଥିବା ପାଣି ବୋତଲ ବଜାରରେ ବିକ୍ରି ହେଉଛି ୨୦ ଟଙ୍କାରେ ।

358

ଜଳ ହିଁ ଜୀବନ ! ଅନେକ ସ୍ଥାନରୁ ଆମେ ପାଣି ପିଇଥାଉ । ତେବେ ଆପଣ ପିଉଥିବା ପାଣି କେତେ ସୁରକ୍ଷିତ ? ବଜାରରୁ କିଣୁଥିବା ବୋତଲ ପାଣିକୁ ଆପଣ ସୁରକ୍ଷିତ ବୋଲି ଭାବିଥାନ୍ତି । କିନ୍ତୁ ଆମେ ଜାଣିନଥାଉ ଏହା ସତରେ ସୁରକ୍ଷିତ କି ନୁହେଁ । ତେବେ ଏପରି ଭାବିବାର କାରଣ ହେଉଛି, ବୋତଲ କିଣିବା ପାଇଁ ଆମକୁ ଏହାର ମୂଲ୍ୟ ଦେବା ପାଇଁ ପଡିଥାଏ । ଦେଶରେ ଦିନକୁ ଦିନ ପାଣି ବୋତଲର ଚାହିଦା ବଢିବାରେ ଲାଗିଛି । ଆଉ ଏହା ସହ ଅପମିଶ୍ରଣ ମଧ୍ୟ ବଢିବାରେ ଲାଗିଛି । ତେବେ ସବୁଠାରୁ ବଡ କଥା ହେଉଛି, ଯେଉଁ ପାଣି ଆମକୁ ମାଗଣାରେ ମିଳିବା କଥା, ସେଥିପାଇଁ ବଜାରରେ ଆମକୁ ଉଚ୍ଚ ମୂଲ୍ୟର ଟଙ୍କା ଗଣିବାକୁ ପଡୁଛି ।

ଅଲଗା ଅଲଗା ପାଣଇ ବୋତଲ ବ୍ରାଣ୍ଡର ଦର ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ଅଧିକାଂଶ ସ୍ଥାନରେ ଏକ ଲିଟର ପାଣି ଥିବା ବୋତଲର ଦାମ୍ ୨୦ ଟଙ୍କା ଅଟେ । ଯାହାକି ନଳ ପାଣି ଠାରୁ ପାଖାପାଖି ୧୦ ହଜାର ଗୁଣା ଅଧିକ ମହଙ୍ଗା ଅଟେ । ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି, କାହିଁକି ମହଙ୍ଗା ହେଉଛି ପାଣିର ଦର । ଆସନ୍ତା ଜାଣିବା ଏହାର ଅଙ୍କ ।

ପ୍ଲାଷ୍ଟିକ ବୋତଲର ଦର – ୮୦ ପଇସା

ଏକ ଲିଟର ପାଣିର ମୂଲ୍ୟ – ୧.୨ ଟଙ୍କା

ବିଭିନ୍ନ ପ୍ରକ୍ରିୟାରେ ବିଶୁଦ୍ଧକରଣ ପାଇଁ – ୩.୪୦ ଟଙ୍କା ପ୍ରତି ବୋତଲ

ଅତିରିକ୍ତ ଖର୍ଚ୍ଚ – ୧.୨ ଟଙ୍କା

ମୋଟ ଖର୍ଚ୍ଚ – ୬ ଟଙ୍କା ୪୦ ପଇସା

ଏହା ହେଉଛି ବଜାରରେ ବିକ୍ରି ହେଉଥିବା ପାଣି ବୋତଲର ପ୍ରକୃତ ଦର । ଅର୍ଥାତ ପାଖାପାଖି ୭ ଟଙ୍କାର ପାଣଇ ବୋତଲ ପାଇଁ ଆମକୁ ୨୦ କିମ୍ବା ଏହା ଠାରୁ ଅଧିକ ଟଙ୍କା ଦେବା ପାଇଁ ପଡୁଛି । ତେବେ ଏତେ ଟଙ୍କା ବ୍ୟୟ କରିବା ପରେ ମଧ୍ୟ କଣ ଆମେ ଶୁଦ୍ଧ ଏବଂ ସୁରକ୍ଷିତ ପାଣି ପିଉଛନ୍ତି ? ଯଦି ହଁ ତେବେ ଏହା କେତେ ମାତ୍ରାରେ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅଧିକାଂଶ ସଂସ୍ଥା ମାନଙ୍କର କହିବା କଥା, ପାଣିର ଶୁଦ୍ଧତାକୁ ନେଇ ଏହାର ଦର ଫିକ୍ସ କରାଯାଇନଥାଏ । ବରଂ ପାଣି ବୋତଲରେ ଲାଗିଥିବା ବ୍ରାଣ୍ଡର ଷ୍ଟିକର ପାଇଁ ଏହାର ଦର ବଢିଯାଇଥାଏ । ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ୨୦୧୪-୧୫ରେ ଭାରତ ସରକାରହ୍କ ତରଫରୁ କରାଯାଇଥିବା ସର୍ଭେ । ଏହି ସର୍ଭେରେ ୮୦୬ଟି ସାମ୍ପୁଲ ପରୀକ୍ଷା ପାଇଁ ନିଆଯାଇଥିଲା । ଯେଉଁଥିରୁ ଅଧିକରୁ ଅଧିକାଂଶ ସାମ୍ପୁଲର ଗୁଣାବତ୍ତା ଖରାପ ବୋଲି ପ୍ରମାଣିତ ହୋଇଥିଲା । ତେବେ ଗୋଟିଏ ପଟେ ବଜାରରେ ବିକ୍ରି ହେଉଥିବା ପାଣି ମହଙ୍ଗା ହୋଇଥିବା ବେଳେ ଏହାର ଶୁଦ୍ଧତାକୁ ନେଇ ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ ।