କଣ ହେବ ଦାମଙ୍କ ଭାଗ୍ୟ? ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ଏରସମା-ବାଲିକୁଦାର କର୍ମୀ । ଦାମ କହିଲେ,ଜଣେ ଆଇଏଏସ ଅଫିସର ଓ ୩ ନେତାଙ୍କ ଦ୍ୱାରା ପରିଚାଳିତ ହେଉଛି ଦଳ

51

କନକ ବ୍ୟୁରୋ: କଣ ହେବ ଦାମଙ୍କ ଭାଗ୍ୟ ? ବିଜେଡି ସହ ଦୀର୍ଘ ଦିନର ସଂପର୍କରେ ପଡିବ କି ପୂର୍ଣ୍ଣଚ୍ଛେଦ ? ବାପା ବିଜୁ ବାବୁଙ୍କ ଠାରୁ ଆରମ୍ଭ କରି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଆସିଥିବା ପାରାଦୀପ ବିଧାୟକ ଦାମୋଦର ରାଉତଙ୍କ ଅଡୁଆ ବଢିବାରେ ଲାଗିଛି । ଏପରିକି ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସମ୍ଭାବନା ବଢିଯାଇଛି । ଏରସମା-ବାଲିକୁଦା ଅଂଚଳର ଶତାଧିକ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ ହେବା ପରେ ସେ ବିଚାର କରୁଥିବା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ବହୁ ସଂଖ୍ୟାରେ କର୍ମୀ ଦାମଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଏହାକୁ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରୟା ପରେ ଦାମ ବାବୁଙ୍କ ବିଜେଡି ସହ ସଂପର୍କର ଭବିଷ୍ୟତ ନେଇ ସନ୍ଦେହ ଉପୁଜିଛି ।

ସେପଟେ, ଦାମଙ୍କ ବିରୋଧରେ ଦାନା ବାନ୍ଧୁଥିବା ଅସନ୍ତୋଷର ମୁଖ୍ୟ କାର୍ପଟଦାର ଜଗତସିଂହପୁର ଜିଲ୍ଲା ବିଜେଡିର ସଭାପତି ବିଷ୍ଣୁ ଦାସଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଦାମୋଦର ରାଉତ । ଏପରିକି ବିରୋଧୀଙ୍କ ସହ ହାତ ମିଳାଇ ବିଷ୍ଣୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ଦାମ । ଗତ ୩ ଦିନ ହେଲା ସରକାରଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଅଭିଯୋଗ ଆଣୁଥିବା ଦାମୋଦର ରାଉତ ଏଥର ବିଜେଡି ବିରୋଧରେ କରିଛନ୍ତି ବିଷୋଦଗାର । ବିଜୁ ଜନତା ଦଳ ଜଣେ ଆଇଏଏସ ଅଫିସର ଓ ୩ ନେତାଙ୍କ ଦ୍ୱାରା ପରିଚାଳିତ ବୋଲି କହିବାକୁ ପଛାଇନାହାନ୍ତି ଦାମ ।

ଉଲ୍ଲେଖ ଥାଉ କି, ସରକାର ଓ ଦଳ ବିରୋଧରେ ବାରମ୍ବାର ବିସ୍ଫୋରକ ବୟାନ ରଖି ବିଜେଡିକୁ ଅଡୁଆରେ ପକାଉଥିବା ଅଭିଯୋଗ କରି ଜଗତସିଂହପୁର ଜିଲ୍ଳା ବିଜେଡିର କର୍ମୀ ଓ ନେତା ନବୀନଙ୍କୁ ଫେରାଦ ହୋଇଥିଲେ । ଏପରିକି ବିଜେଡିରୁ ଦାମ ରାଉତଙ୍କୁ ବହିଷ୍କାର କରିବା ଲାଗି ଦାବି ଜୋରଦାର କରିଥିଲେ । ବିଜେଡିର ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି ଓ ବିଷ୍ଣୁଦାସଙ୍କ ପରେ ଏରସମା-ବାଲିକୁଦା ଅଂଚଳର କର୍ମୀମାନେ ଆସି ଦଳର ସୁପ୍ରିମୋଙ୍କ ପାଖରେ ଫେରାଦ ହୋଇଥିଲେ । କର୍ମୀମାନେ ଦାମଙ୍କ ନାଁରେ ଦଳବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗ ଆଣିଥିଲେ । ଏଥିରେ ହଜାରେରୁ ଅଧିକ କର୍ମୀ ସାମିଲ ହୋଇଥିଲେ ।