କ’ଣ ଏହି ଲ୍ୟାଣ୍ଡଫଲ୍ ? ବାତ୍ୟା ସ୍ଥଳଭାଗ ଛୁଇଁଲେ କ’ଣ ହୋଇଥାଏ, କାହିଁକି ଭୟଙ୍କର ରୂପ ନିଏ ଲ୍ୟାଣ୍ଡଫଲ୍ ? 

937

କନକ ବ୍ୟୁରୋ : କ’ଣ ଏହି ଲ୍ୟାଣ୍ଡଫଲ୍ ? କାହିଁକି ଭୟଙ୍କର ରୂପ ନିଏ ଲ୍ୟାଣ୍ଡଫଲ୍ ? ବାତ୍ୟାକୁ ନେଇ ଯେତେବେଳେ ଚର୍ଚ୍ଚା ହୁଏ, ସେତେବେଳେ ଲ୍ୟାଣ୍ଡଫଲ୍ ଉପରେ ଥାଏ ସମସ୍ତଙ୍କ ନଜର । ଏହାର ଅର୍ଥ ହେଉଛି ବାତ୍ୟା ଯେତେବେଳେ ସ୍ଥଳ ଭାଗକୁ ଛୁଇଁଥାଏ । ଅର୍ଥାତ୍ ଏହି ସମୟରେ ଘୂର୍ଣ୍ଣିଝଡ଼ ସହ ବାତ୍ୟାର କେନ୍ଦ୍ରସ୍ଥଳ ବା ବାତ୍ୟାର ଆଖି, ସମୁଦ୍ରରୁ ସ୍ଥଳ ଭାଗ ମଧ୍ୟ ଦେଇ ଗତିକରେ । ବାତ୍ୟାର ଆଇ ଏବଂ ଆଇ-ୱାଲ୍ ସ୍ଥଳ ଭାଗରେ ରହିଥାଏ । ଆଉ ଏହି ସମୟରେ ହିଁ ଏହାର ସବୁଠୁ ଭୟଙ୍କର ରୂପ ଦେଖିବାକୁ ମିଳିଥାଏ । ସ୍ଥଳଭାଗରେ ବାତ୍ୟା ମାଡ଼ ହେବା ପରେ ଅନୁଭୂତ ହୁଏ ପବନର ପ୍ରଳୟଙ୍କରୀ ଝଟକା ।

ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମେଘ ଖଣ୍ଡଗୁଡ଼ିକ ପ୍ରବଳ ବର୍ଷାରେ ପରିଣତ ହୁଏ । ଉପକୂଳର ଯେଉଁ ଅଂଚଳରେ ଲ୍ୟାଣ୍ଡଫଲ୍ ହୁଏ, ସେହିଠାରେ ପବନର ବେଗ ସର୍ବାଧିକ ହୋଇଥାଏ । ଲ୍ୟାଣ୍ଡଫଲ ସମୟରେ ପ୍ରବଳ ଜୁଆର ଉଠିଥାଏ ଏବଂ ସମୁଦ୍ର ଉପକୂଳ ଅଂଚଳକୁ ପାଣି ମାଡ଼ିଆସେ । ଲ୍ୟାଣ୍ଡଫଲ ପରେ କିଛି ଘଂଟା ଧରି ବାତ୍ୟା ତା’ର ପ୍ରକୋପ ଦେଖାଇଥାଏ । ତେବେ ଏହାପରେ ସ୍ଥଳ ଭାଗର ତାପମାତ୍ରା ଓ ଚାପର ପ୍ରଭାବରେ ଧିରେ ଧିରେ ଦୁର୍ବଳ ହୋଇଥାଏ ବାତ୍ୟା । ସାଇକ୍ଲୋନିକ ଷ୍ଟର୍ମ, ଡିପ୍ ଡିପ୍ରେସନରେ ପରିଣତ ହୋଇଥାଏ, ଏହା ପରେ ଡିପ୍ରେସନରେ ପରିଣତ ହୋଇ ଗତି କରିଥାଏ ବାତ୍ୟା ।