ଦାମଙ୍କ ବିରୋଧରେ ନବୀନଙ୍କୁ ବିଷ୍ଣୁ ଦେଇଥିବା କାଗଜରେ କଣ ଥିଲା ଅଭିଯୋଗ । ପଢନ୍ତୁ ପୂରା ଖବର

51

କନକ ବ୍ୟୁରୋ : ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କୁ ଦମନ କରିବାକୁ ଦଳୀୟ ନେତାଙ୍କ ନୂଆ ଷ୍ଟ୍ରାଟେଜି । ଦାମଙ୍କ ବେଲଗାମ ମୁହଁରେ ଲଗାମ ଲଗାଇବାକୁ ନୂଆ ଅଙ୍କ କଷିଛନ୍ତି ଜଗତସିଂହପୁର ଜିଲ୍ଲାର ଦୁଇ ବରିଷ୍ଠ ନେତା । ଏଣିକି ଗଣମାଧ୍ୟମ ସାମ୍ନାରେ ଆରୋପ ଓ ପ୍ରତ୍ୟାରୋପ ମଧ୍ୟରେ ସୀମିତ ନ ରହି ସିଧାସଳଖ ଦାମଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଧରି ବିଜେଡି ସୁପ୍ରିମୋ ନିକଟରେ ହାଜର ହୋଇଛନ୍ତି ଦଳୀୟ ନେତା । ଏଥର ଯାହା ନିଷ୍ପତି କରିବେ ନବୀନ ଏହି ଆଶା ବାନ୍ଧି ନବୀନ ନିବାସରେ ଆଜି ଲମ୍ବା ଅଭିଯୋଗଫର୍ଦ୍ଦ ଧରି ପହଞ୍ଚିଥିଲେ ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି । ଦଳର ମୁଖିଆଙ୍କୁ ଭେଟି ଅଭିଯୋଗଫର୍ଦ୍ଦ ଦେବା ସହ ତୁରନ୍ତ ଦାମଙ୍କୁ ଦଳରୁ ନିଲମ୍ବନ କରିବାକୁ କହିଛନ୍ତି ଏହି ଦୁଇ ନେତା । ତେବେ ଦାମଙ୍କ ବିରୋଧରେ ଏମିତି କେଉଁ ଅଭିଯୋଗ ଥିଲା ଯେ, ଯାହା ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରିବାକୁ ନବୀନଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଷ୍ଣୁ ଓ ପ୍ରଶାନ୍ତ । ଦାମଙ୍କ ବିରୋଧରେ ଆସିଥିବା ଅଭିଯୋଗଫର୍ଦ୍ଦ ଉପରେ ଥରେ ନଜର ପକାନ୍ତୁ:

– ଟିଟୋ ଲିଙ୍କରେ ଗିରଫ ହୋଇଥିବା ବାପୁ ପରିଡା ସପକ୍ଷରେ ମନ୍ତବ୍ୟ ଦେବା ଓ ଗଣମାଧ୍ୟମରେ ମତ ପ୍ରକାଶ କରିବା
– ବିଜୁ ବାବୁଙ୍କ ନୀତି ଏବଂ ଆଦର୍ଶରେ ପାରାଦ୍ୱୀପ ବନ୍ଦର ଅଞ୍ଚଳରେ ବାସ କରୁଥିବା ଶ୍ରମିକ ସଂଗଠନ ଓ ସେମାନଙ୍କ ଉପରେ ନିଜର ସମର୍ଥକଙ୍କ ମାଧ୍ୟମରେ ଜୁଲୁମ କରିବା
– ଜଗତସିଂହପୁରର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ପୁରୁଣା କର୍ମୀଙ୍କୁ ବିଜୁ ମହିଳା ଜନତା ଦଳରେ ଅବସ୍ଥାପିତ କରାଇବା ଓ ଦଳର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବା ଭଳି କାର୍ଯ୍ୟ ଦାମ ରାଉତ କରିଛନ୍ତି ।
– ଜଗତସିଂହପୁର ସାଂସଦ କୁଳମଣୀ ସାମଲଙ୍କୁ ପ୍ରଭାବିତ କରି ଜଗତସିଂହପୁର ଏବଂ ନାଉଗାଁ ଅଞ୍ଚଳରେ କୌଣସି ଉନ୍ନତିମୂଳକ କାର୍ଯ୍ୟକଳାପରେ ସହଯୋଗ ନକରିବାକୁ ପ୍ରବର୍ତ୍ତାଇ ଦଳକୁ ଭୁଲ ମାର୍ଗରେ ପରିଚାଳିତ କରୁଛନ୍ତି

ଦାମଙ୍କ ବିରୋଧରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ନେଇ ଦଳର ମୁଖିଆଙ୍କ ନିକଟରେ ଫେରାଦ ହୋଇଥିଲେ ବିଷ୍ଣୁ । ଦଳ ବିରୋଧୀ କାମରେ ଦାମ ଲିପ୍ତ ଥିଲେ ବୋଲି ଏହି ଅଭିଯୋଗ ହିଁ ସ୍ପଷ୍ଟ ଦର୍ଶାଉଛି । ଏପରିକି ସେ ଦଳ ଓ ଦଳର ମୁଖିଆଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇ ଦଳୀୟ ଅନୁଶାସନ ଭାଙ୍ଗିଥିବା ଅଭିଯୋଗ ଫର୍ଦ୍ଦରେ ଦର୍ଶାଯାଇଛି । ଦାମଙ୍କ ଏଭଳି କାର୍ଯ୍ୟକଳାପ ଦ୍ୱାରା ଦଳର ଶୃଙ୍ଖଳା ଭଙ୍ଗ ହେଉଛି ତେଣୁ ତାଙ୍କୁ ନିଲମ୍ବନ କରାଯାଉ । ଏହାଦ୍ୱାରା ଜଗତସିଂହପୁରରେ ଦଳ ଏକ ବଡ କ୍ଷତିରୁ ରକ୍ଷା ପାଇଯିବ ବୋଲି ଅଭିଯୋଗଫର୍ଦ୍ଦରେ ଦର୍ଶାଇଛନ୍ତି ବିଷ୍ଣୁ ।

ଗତ କିଛିଦିନ ହେବ ଦାମ ଦଳ ବିରୋଧରେ ସିଧାସଳଖ ଗଣମାଧ୍ୟମରେ ବୟାନ ଦେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରୁଛନ୍ତି । ଏପରିକି ବିଜେଡି ଶାସନ କାଳରେ ସମବାୟ, ଓମଫେଡ, ଚାରା ଓ ସ୍ୱାସ୍ଥ୍ୟ ଦୁର୍ନୀତି ହୋଇଥିବା କଥା କହି ଦଳୀୟ ନେତାଙ୍କୁ ଟାର୍ଗେଟ କରିବାକୁ ପଛାଉନାହାନ୍ତି ଦାମ । ଆଉ ଦାମଙ୍କର ଏଭଳି ବୟାନ ଏବେ ବିଜେଡି ପାଇଁ ଘାତକ ହେଉଛି । କାରଣ ଆଗକୁ ଅଛି ସାଧାରଣ ନିର୍ବାଚନ । ଆଉ ଏଭଳି ସ୍ଥିତିରେ ଦଳରେ ରହି ଦଳବିରୋଧୀ ବୟାନ ଦେଉଥିବାରୁ ଏହା ବିଜେଡି ଦଳକୁ ଅଡୁଆରେ ପକାଉଥିବା ବେଳେ ବିରୋଧୀ ଦଳ ଗୁଡିକ ପାଇଁ ବଡ ବଡ ମୁଦ୍ଦା ପାଲଟୁଛି ।
ପୂର୍ବରୁ ଅନେକ ଥର ଦାମ ବିବାଦୀୟ ମନ୍ତବ୍ୟ ଦେଇ ଦଳକୁ ଅଡୁଆରେ ପକାଇଛନ୍ତି ।

ସ୍ୱାମୀଛାଡି ଅଙ୍ଗନବାଡିରୁ ଆରମ୍ଭ କରି ବ୍ରାହ୍ମଣ ଭିକ ମାଗନ୍ତି ଏଭଳି ଅନେକ ବିବାଦୀୟ ବୟାନ ଦେଇ ଦାମ ଦଳକୁ ଅଡୁଆରେ ପକାଇଛନ୍ତି । କିନ୍ତୁ ସବୁ ସମୟରେ ଚୁପ୍ ରହିଛି ଦଳ । ଏବେ କିନ୍ତୁ ବିଜେଡି ନେତାଙ୍କୁ ନେଇ ଦାମ ଯେଉଁ ବାଣ ମାରୁଛନ୍ତି ତାହା ତାଙ୍କ ପାଇଁ ବୁମେରାଂ ପାଲଟିପାରେ । ମନ୍ତ୍ରୀପଦ, ଦଳୀୟ ପଦ ପରେ ଏବେ ଦାମଙ୍କୁ ଦଳରୁ ନିଲମ୍ବନ କରିବା କଥା ଉଠିଲାଣି । ତେଣୁ ଆଗାମୀ ଦିନରେ ବୈଜୟନ୍ତଙ୍କ ଭଳି ଦାମଙ୍କୁ ନେଇ ନବୀନ କେଉଁ ନିଷ୍ପତି ନେଉଛନ୍ତି ତାହା ଦେଖିବା ବାକି ରହିଲା ।