ପାଟକୁରାରେ କଣ ହେବ? ରାଜ୍ୟସଭା ଉପନିର୍ବାଚନର ପଡିବ କି ପ୍ରଭାବ, ରାଜନୈତିକ ସମୀକ୍ଷକ କହିଲେ,ବିଜେଡିକୁ ସୁହାଇପାରେ ସ୍ଥିତି ।

748

କନକ ବ୍ୟୁରୋ  : ରାଜ୍ୟସଭା ଉପ-ନିର୍ବାଚନର ପ୍ରଭାବ, ପାଟକୁରା ନିର୍ବାଚନ ଉପରେ ପଡ଼ିପାରେ । ଏଭଳି ଆଶଙ୍କା କରିଛନ୍ତି ରାଜନୈତିକ ସମୀକ୍ଷକ । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପରେ ରାଜ୍ୟ ରାଜନୀତିରେ ସମୀକରଣ ଟିକେ ବଦଳି ଯାଇଛି ବୋଲି ଏହି ସମୀକ୍ଷକମାନେ ଅନୁମାନ କରୁଛନ୍ତି । ଆଉ ଏହା ବିଜେଡିକୁ ସୁହାଇପାରେ ବୋଲି ମତ ଦେଉଛନ୍ତି ।

ଅଶ୍ୱିନୀ ବୈଷ୍ଣବଙ୍କୁ ଉଭୟ ବିଜେପି-ବିଜେଡି ମିଳିମିଶି ରାଜ୍ୟସଭା ପ୍ରାର୍ଥୀ କରିବା ପରେ ବଦଳିଯାଇଛି ରାଜ୍ୟ ରାଜନୀତିର ସମୀକରଣ । ପାଟକୁରା ନିର୍ବାଚନରେ ବିଜୟ ମହାପାତ୍ରଙ୍କୁ ବିଜୟୀ କରିବାକୁ ବିଜେପି କେତେ ଆନ୍ତରିକତା ଦେଖାଇବ, ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜନୈତିକ ସମୀକ୍ଷକ । ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, ରାଜ୍ୟସଭା ଉପ ନିର୍ବାଚନ ପରେ ହେବାକୁ ଥିବା ପାଟକୁରା ନିର୍ବାଚନରେ ବିଜେପି ନିଷ୍ଠାର ସହ କାମ କରିବ ତ । ନା ବିଜୟ ମହାପାତ୍ରଙ୍କୁ ବିଧାନସଭାକୁ ପୂରାଇ ନ ଦେବାକୁ ନବୀନ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ସମର୍ଥ ହେବେ ।

ସେପଟେ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଛନ୍ତି, ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ସମର୍ଥନ ଦେବା ପରେ ଦୁଇ ଦଳର ସଂପର୍କ ସଂଦେହ ଘେରକୁ ଆସିଯାଇଛି । କେବଳ ପାଟକୁରାବାସୀ ଚାହିଁଲେ, ବିଜୟ ଯାଇପାରନ୍ତି ବିଧାନସଭା ।

ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ଓ ବାତ୍ୟା ଫନି ପରେ ଘୁଂଚି ଯାଇଛି ପାଟକୁରା ନିର୍ବାଚନ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡିଦେବା ପରେ ସେଠାରେ ମଧ୍ୟ ହେବ ଉପନିର୍ବାଚନ । ବଦଳୁଥିବା ରାଜନୈତିକ ସମୀକରଣ ଦୃଷ୍ଟିରୁ ଏହି ଦୁଇ ନିର୍ବାଚନରେ କିପରି ଦୁଇ ଦଳ ମୁହାଁମୁହିଁ ହେବେ, ତା’ ଉପରେ ରହିଛି ସମସ୍ତଙ୍କ ନଜର । ଏସବୁ ଭିତରେ ପାଟକୁରା ନିର୍ବାଚନ ଉପରେ ରାଜ୍ୟସଭା ନିର୍ବାଚନର ପ୍ରଭାବ ପଡିପାରେ ବୋଲି ଚର୍ଚ୍ଚା ହେଉଛି ।