ହାଇକୋର୍ଟ ବେଂଚ୍ ଦାବିରେ ପଶ୍ଚିମ ଓଡ଼ିଶା ଠପ୍ : ଦ୍ୱିତୀୟ ଦିନରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ମହାବନ୍ଦ ପାଳନ 

ସମ୍ବଲପୁର, ଦେବଗଡ, ସୋନପୁର, ଝାରସୁଗୁଡାରେ ଜନଜୀବନ ପ୍ରଭାବିତ !

82

କନକ ବ୍ୟୁରୋ : ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ଦାବିରେ ଗତକାଲିଠାରୁ ଆରମ୍ଭ ହୋଇଥିବା ମହାବନ୍ଦର ଆଜି ଦ୍ୱିତୀୟ ଦିନ । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ୪୮ଘଂଟିଆ ବନ୍ଦ୍ ପାଳନ କରାଯାଉଛି । ଏବେ ନୁହେଁ ତ କେବେ ନୁହେଁ ନାରା ଦେଇ ଆଇନଜୀବୀଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶତାଧିକ ସମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ । ଆଉ ଏସବୁ ଭିତରେ ଆନ୍ତରିକତା ହେଉ ବା ବାଧ୍ୟବାଧକତା, ଏକାଧିକ ଓକିଲ ସଂଗଠନ ଏବଂ ସମାଜିକ ସଂଗଠନର ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ସବୁ ରାଜନୈତିକ ଦଳର ନେତା । ୪୮ଘଂଟିଆ ବନ୍ଦ ପାଳନ ଯୋଗୁଁ ଏହି ଜିଲ୍ଲା ଗୁଡିକରେ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏଥିପାଇଁ ୯ଟି ଟ୍ରେନକୁ ବାତିଲ କରାଯାଇଥିଲା ।

ଆଜି ସକାଳେ ସମ୍ବଲପୁର କ୍ଷେତରାଜପୁର, ସିଟି, ଫାଟକ, ଯୁଯୁମୁରା, ମାନେଶ୍ବର ଷ୍ଟେସନରେ ୯ ଯାତ୍ରୀବାହୀ ଟ୍ରେନ ଏବଂ ୨ ମାଲବାହୀ ଟ୍ରେନକୁ ଅଟକାଯାଇ ଥିଲା । ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ, ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ, ସିକନ୍ଦରାବାଦ ହମସଫର ଏକ୍ସପ୍ରେସ, ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି, ଜମୁତଇ, ସମ୍ବଲପୁର-ନାନ୍ଦେର ଆଦି ଟ୍ରେନ୍ ଅଟକି ରହିଥିଲେ । ଶେଷରେ ଏହି ଟ୍ରେନ ଗୁଡ଼ିକୁ ବାତିଲ କରିବାକୁ ପଡ଼ିଥିଲା । କଲିକତା ମୁମ୍ବାଇ ରୁଟ ରେଟ୍ରେନ୍ ଚଳାଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ।

ଆନ୍ଦୋଳନକାରୀମାନେ ଏମସିଏଲ ଗେଟ ସମ୍ମୁଖରେ ଧାରଣା ଦେବା ସହିତ ବୁର୍ଲା, ହୀରାକୁଦ, ସମ୍ବଲପୁର ସହରର ରେମେଡ଼, ବରେଇପାଲି, ଅଇଁଠାପାଲି ଛକ, ଧନୁପାଲି, ସିନ୍ଦୁରପଙ୍କ, ନେଲସନ ମଣ୍ଡେଲା (କଚେରି) ଛକରେ ରାସ୍ତା ଅବରୋଧ କରିଥିଲେ । ଏଥିସହିତ ବିଭିନ୍ନ ଗଳିରେ ମଧ୍ୟ ଯିଏ ଯେଉଁଠି ପାରିଲେ ନିଆଁ ଜଳାଇ ରାସ୍ତା ଅବରୋଧ କରିଥିଲେ । ରାଜପଥ ଓମୁଖ୍ୟ ରାସ୍ତାଗୁଡ଼ିକରେ ଟ୍ରକ, ବସ, ବିଭିନ୍ନ ପ୍ରକାର ଯାତ୍ରୀବାହୀ ଗାଡ଼ି ଅଟକି ରହିଥିଲା । ଏହି ଅବସରରେ ହାଇକୋର୍ଟ ବେଞ୍ଚ ଦାବି ସମର୍ଥନରେ ନାକଟିଦେଉଲରୁ କଂଗ୍ରେସ ପକ୍ଷରୁ ୭୦୦ ଲୋକଙ୍କ ବାଇକ୍ ରାଲି ବାହାରି ସହର ପରିକ୍ରମା କରିଥିଲା ।

ଝାରସୁଗୁଡାରେ ମଧ୍ୟ ବନ୍ଦ ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି । ଓକିଲ ସଂଘର ସଦସ୍ୟମାନେ ବିଭିନ୍ନ ରାସ୍ତାକୁ ଅବରୋଧ କରି ରଖିବାରୁ ଯାନବାହନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ଭୁବନେଶ୍ବର ଠାରୁ ଝାରସୁଗୁଡ଼ା ଦେଇ ବିଭିନ୍ନ ସ୍ଥାନକୁ ଯାଉଥିବା ବସ୍ ଗୁଡ଼ିକ ଝାରସୁଗୁଡ଼ା ଠାରେ ଅଟକି ରହିଥିଲା । ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ, କଲେଜ ବନ୍ଦ ରହିଛି ।

ସେହିପରି ମହାବନ୍ଦ ଯୋଗୁଁ ସୁବର୍ଣ୍ଣପୁରର ସମସ୍ତ ସରକାରୀ, ବେସରକାରୀ କାର‌୍ୟ୍ୟାଳୟ, କୋର୍ଟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ବନ୍ଦ ରହିଥିଲା । କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ବାକି ସବୁ ଠପ ହୋଇଥିଲା ।

ଦେବଗଡ଼ ଜିଲ୍ଲାରେ ମଧ୍ୟ ମହାବନ୍ଦ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । ଏଠାରେ ମଧ୍ୟ ସମସ୍ତ ଅଫିସ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ୪୯ନ˚ ଜାତୀୟ ରାଜପଥ ଏବ˚ ୨୩ ନ˚ ଜାତୀୟ ରାଜପଥକୁ ଓକିଲମାନେ ଅବରୋଧ କରିଥିଲେ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ବରଗଡ଼ ଜିଲ୍ଲାର ଅତାବିରାରେ ୪୮ ଘଣ୍ଟିଆ ମହାବନ୍ଦ ପାଳନ କରାଯାଇଥିବାବେଳେ ପଦ୍ମପୁର, ବରପାଲି ଓ ପାଇକମାଲରେ ୧୨ ଘଣ୍ଟିଆ ବନ୍ଦ ରହିଥିଲା । ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ କେବଳ ରାଉରକେଲା ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ମହାବନ୍ଦ ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି । ଅନ୍ୟପକ୍ଷରେ ଏହି ମହାବନ୍ଦରେ ବାଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ସାମିଲ ହୋଇ ନଥିବା ବେଳେ ଆସନ୍ତା ୩ ତାରିଖ ବଲାଙ୍ଗିର ବାର୍ ଜିଲ୍ଲା ବନ୍ଦ ଡାକରା ଦେଇଛି । ସେହିପର ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକରେ ଆଜି ସରକାରୀ କାର‌୍ୟ୍ୟାଳୟ ବନ୍ଦ ରହିଥିବା ସୂଚନା ମିଳିଛି ।