ଭୁବନେଶ୍ୱର : ପଶ୍ଚିମବଙ୍ଗରୁ ଆସିଥିବା ଟୁରିଷ୍ଟ ବସ୍ ଧଉଳିରେ ଦୁର୍ଘଟଣାଗ୍ରସ୍ତ, ୩୦ରୁ ଅଧିକ ଆହତ ଓ ୬ ଜଣଙ୍କୁ କଟକ ସ୍ଥାନାନ୍ତର

30

କନକ ବ୍ୟୁରୋ : ଆଜି ସକାଳୁ ରାଜଧାନୀରେ ଏକ ବଡ ଦୁର୍ଘଟଣା ହୋଇଛି । ଧଉଳି ରାସ୍ତା ଉପରୁ ଖସି ପଡିଲା ଟୁରିଷ୍ଟ ବସ୍ । ପଶ୍ଚିମବଙ୍ଗ ମେଦିନପୁରରୁ ଆସିଥିବା ଏକ ଟୁରିଷ୍ଟ ବସ୍ ଧଉଳିରୁ ଖସି ପଡିଥିବା ସୁଚନା ମିଳିଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ ଚାଲିଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କରିଛି । ଦୁର୍ଘଟଣା ପରେ ସମ୍ପୃକ୍ତ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ଲୋକ ଓ ଯାତ୍ରୀଙ୍କ କହିବା କଥା ବସଟି ବ୍ରେକ ଫେଲ ହୋଇ ରାସ୍ତା କଡକୁ ଓଲଟି ପଡିଛି । ମେଦିନପୁରରୁ ଆସିଥିବା ବସଟି ଧଉଳି ପାହାଡ ଉପରକୁ ଚଢୁଥିବା ବେଳେ ପ୍ରାୟ ୧୦ ଫୁଟ ତଳକୁ ଖସି ପଡିଛି ।

ବସର ଅବସ୍ଥା ଦେଖିଲେ ଅନୁମାନ କରି ହେଉଛି ଏହା ଏକ ବଡ ଧରଣର ଦୁର୍ଘଟଣା । ୬୦ ଜଣ ପର୍ଯ୍ୟଟକଙ୍କୁୁ ଆଣି ବସଟି ପିକନିକ ପାଇଁ ଓଡିଶା ଆସିଥିଲା । ପର୍ଯ୍ୟଟକ ମାନେ ଢେଙ୍କାନାଳର କପିଳାସ ଓ ଲିଙ୍ଗରାଜ ମନ୍ଦିର ବୁଲିବା ପରେ ଧଉଳି ଅଭିମୁଖେ ଯାଉଥିଲେ । ଦୁର୍ଘଟଣା ବାବଦରେ ଜାଣିବା ପରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର (୦୬୭୪-୨୩୯୧୯୮୩) ଜାରି ହୋଇଛି ।

ଦେଖନ୍ତୁ ଏହି ଭିଡିଓ :