ଆର୍ନ୍ତଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଡ୍ୱେନ ବ୍ରାଭୋ !

30

ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଆର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ତେବେ ବିଶ୍ୱସ୍ତରରେ ହେଉଥିବା ବିଭିନ୍ନ ଟି-୨୦ ଲିଗ୍ ଖେଳିବେ ବୋଲି ବ୍ରାଭୋ କହିଛନ୍ତି । ହଠାତ୍ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ଘୋଷଣା କରି କ୍ରିକେଟପ୍ରେମୀଙ୍କୁ ଚକିତ କରି ଦେଇଛନ୍ତି ବ୍ରାଭୋ ।

ଗଣମାଧ୍ୟମକୁ ଦେଇଥିବା ବୟାନରେ ବ୍ରାଭୋ କ୍ରିକେଟରୁ ଅବସର ନେବା କଥା କହିଛନ୍ତି । ୩୫ ବର୍ଷୀୟ ବ୍ରାଭୋ ୧୪ ବର୍ଷ ପୂର୍ବେ ୱେଷ୍ଟଇଣ୍ଡିଜ ଜାତୀୟ ଦଳର ସଦସ୍ୟ ଭାବେ ପଦାର୍ପଣ କରିଥିଲେ । ୨୦୦୪ ଜୁଲାଇରେ ଲର୍ଡସ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ବ୍ରାଭୋ । ୱେଷ୍ଟଇଣ୍ଡିଜ ଜାତୀୟ ଦଳ ପାଇଁ ଖେଳିବା ତାଙ୍କ ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି ବ୍ରାଭୋ । ଏହାଛଡା ସେ କହିଛନ୍ତି, ଏବେ ସମୟ ଆସି ଯାଇଛି ଯୁବପୀଢିଙ୍କୁ ସୁଯୋଗ ଦେବା ପାଇଁ । ୨୦୦୪ରେ ପ୍ରଥମ ଅର୍ନ୍ତଜାତୀୟ ମ୍ୟାଚ ଖେଳିଥିବା ବ୍ରାଭୋ ନିଜର କ୍ରିକେଟ କ୍ୟାରିୟରରେ ୪୦ଟି ଟେଷ୍ଟ, ୧୬୪ଟି ଦିନିକିଆ ଓ ୬୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି ।

ଅଲରାଉଣ୍ଡର ପ୍ରଦର୍ଶନ ବଳରେ କ୍ରିକେଟ ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ ଡ୍ୱେନ ବ୍ରାଭୋ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରୁଥିଲେ ବ୍ରାଭୋ । ମୋଟାମୋଟି ଭାବେ କହିବାକୁ ଗଲେ କିଛି ବର୍ଷ ଧରି ୱେଷ୍ଟଇଣ୍ଡିଜ ଦଳ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ ବ୍ରାଭୋ ।

ବ୍ରାଭୋ ନିଜର ଅନ୍ତିମ ଦିନିକିଆ ମ୍ୟାଚ ଭାରତ ବିପକ୍ଷରେ ୨୦୧୪ରେ ଖେଳିଥିଲେ । ଏହି ସମୟରେ ପାଉଣା ବିବାଦକୁ ନେଇ ୱେଷ୍ଟଇଣ୍ଡିଜର ପୂରା ଟିମ ଅଧାରୁ ସ୍ୱଦେଶ ଫେରି ଯାଇଥିଲା । ସେତେବେଳେ ଦଳର ଅଧିନାୟକ ଥିଲେ ଡ୍ୱେନ ବ୍ରାଭୋ । ଏପରିକି ୨୦୧୫ କ୍ରିକେଟ ବିଶ୍ୱକପରେ ୱେଷ୍ଟଇଣ୍ଡିଜ ଦଳରେ ବ୍ରାଭୋଙ୍କୁ ସ୍ଥାନ ଦିଆଯାଇନଥିଲା । ତେବେ ଏହାର ପରବର୍ଷ ହୋଇଥିବା ଟି-୨୦ ବିଶ୍ୱକପ ଟିମରେ ବ୍ରାଭୋଙ୍କୁ ସ୍ଥାନ ମିଳିଥିଲା । ଆଉ ଏହି ସଂସ୍କରଣରେ ଚାମ୍ପିୟନ ହୋଇଥିଲା ୱେଷ୍ଟଇଣ୍ଡିଜ । ଯେଉଁଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବ୍ରାଭୋ ।