୬୦ ବର୍ଷ କ୍ରିକେଟ କ୍ୟାରିୟର୍, ୭ ହଜାର ୱିକେଟ : ୮୫ ବର୍ଷରେ ସନ୍ୟାସ ନେଲେ ସବୁଠାରୁ ବୟୋଜ୍ୟେଷ୍ଠ ଖେଳାଳି ସେସିଲ୍ ରାଇଟ୍

422

କନକ ବ୍ୟୁରୋ : କ୍ରିକେଟକୁ ଅଲବିଦା କରିଛନ୍ତି ବିଶ୍ୱର ସର୍ବ ବରିଷ୍ଠ ଖେଳାଳି । ସେ ହେଉଛନ୍ତି ୱେଷ୍ଟଇଣ୍ଡିଜର ସବୁଠାରୁ ବରିଷ୍ଠ ପେସାଦାର କ୍ରିକେଟର ସେସିଲ୍ ରାଇଟ୍ । ୮୫ ବର୍ଷ ବୟସରେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜର ସବୁଠାରୁ ବୟୋଜ୍ୟେଷ୍ଠ ଖେଳାଳି ସେସିଲ୍ ରାଇଟ୍ । ଆପଣଙ୍କୁ ହୁଏତ କଥାଟା ବିଶ୍ୱାସ ହେଉନଥିବ, ହେଲେ ଏହା ହିଁ ସତ । ଦୀର୍ଘ ୬୦ ବର୍ଷ ଧରି ସେ ଖେଳିଛନ୍ତି କ୍ରିକେଟ୍ । ଏହା ମଧ୍ୟରେ ସେ ଦଖଲ କରିଛନ୍ତି ୭ ହଜାର ୱିକେଟ୍ । ଯେଉଁ ବୟସରେ ତାଙ୍କ ସମସାମୟିକ ଖେଳାଳି ଘରେ ବସି ରହି ଟିଭି ସହିତ ସମୟ କାଟନ୍ତି , ସେସିଲ୍ ରାଇଟ୍ କିନ୍ତୁ ପଡିଆରେ କ୍ରିକେଟ୍ ଖେଳୁଥାନ୍ତି । ପେସ୍ ବୋଲିଂ କରୁଥାନ୍ତି । ସତୁରୀ ଦଶକର ଶେଷ ଭାଗରୁ ତାଙ୍କର ଆରମ୍ଭ ହୋଇଥିଲା ଖେଳ ।

ପଡିଆରେ ଇଣ୍ଡିଜର ମହାନ୍ କ୍ରିକେଟର ଭିଭିଆନ୍ ରିଚାର୍ଡସ, ଗ୍ୟାରି ସୋବର୍ସଙ୍କ ସହିତ ବି ମ୍ୟାଚ୍ ଖେଳିଛନ୍ତି । ବୟସ ବଢିବା ସହିତ ମହାନ୍ କ୍ରିକେଟରମାନେ ପଡିଆ ଛାଡିବା ସହ ଖେଳକୁ ଅଲବିଦା କରିଦେଲେ । ହେଲେ କ୍ରିକେଟ୍ ଖେଳ ପ୍ରତି ସେସିଲ୍ ରାଇଟଙ୍କ ଭଲ ପାଇବା କିନ୍ତୁ ତାଙ୍କୁ ବାନ୍ଧି ରଖିଥିଲା । ସେ ଖେଳ ଜାରି ରଖିଥିଲେ । ୭୦ ଓ ୮୦ ଦଶକର ୱେଷ୍ଟଇଣ୍ଡିଜର ଦୁର୍ଦ୍ଧଶ ପେସ୍ ବୋଲିଂ ଆଟାକର ସେ ମଧ୍ୟ ଥିଲେ ଜଣେ ଧୁରନ୍ଧର । କ୍ୟାରିୟରରେ ଥରେ ୫ ଟି ସିଜିନରେ ସେ ଦଖଲ କରିଥିଲେ ୫୩୮ ୱିକେଟ୍ । କହିବାକୁ ଗଲେ ପ୍ରତି ୨୭ଟି ବଲ ବ୍ୟବଧାନରେ ସେ ଗୋଟିଏ ୱିକେଟ୍ ଦଖଲ କରୁଥିଲେ । ଆଜି ତାଙ୍କର ଅବସର ଘୋଷଣା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛା ଓ ଅବଶିଷ୍ଟ ଜୀବନ ନିରୋଗରେ କଟୁ ବୋଲି କାମନା କରିଛନ୍ତି ତାଙ୍କର ଶୁଭେଛୁମାନେ ।