ମିଠା ନେଇଗଲେ ମମତା ! ରସଗୋଲା ହେଲା ବେଙ୍ଗଲୀ ବ୍ରାଣ୍ଡ

40

କନକ ବ୍ୟୁରୋ : ପଶ୍ଚିମବଙ୍ଗକୁ ମିଳିଲା ବେଙ୍ଗଲ ରସଗୋଲାର ଜିଆଇ ଟ୍ୟାଗ୍ । ଏବେ ରସଗୋଲା ବେଙ୍ଗଲର ବ୍ରାଣ୍ଡ ହୋଇଛି । ଆଜି ପ୍ରାୟ ସବୁ ଜାତୀୟ ଗଣମାଧ୍ୟମ, ରସଗୋଲାର ଉତ୍ପତିସ୍ଥଳ ବିବାଦରେ ପଶ୍ଚିମବଙ୍ଗର ବିଜୟ ହୋଇଛି ବୋଲି ରିପୋର୍ଟ ଫାଇଲ କରିଛନ୍ତି । ଏପରିକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ରସଗୋଲାକୁ ପଶ୍ଚିମବଙ୍ଗର ଜିଆଇ ଟ୍ୟାଗ୍ ମିଳିଛି ।

ଓଡ଼ିଶାର ଇତିହାସ ଓ ସଂସ୍କୃତି ସହ ଶହ ଶହ ବର୍ଷ ଧରି ଯୋଡିହୋଇଥିବା ରସଗୋଲାକୁ ନିଜ ନାଁରେ କରାଇନେଇଛି ପଶ୍ଚିମବଙ୍ଗ । ବଙ୍ଗଳାର ରସଗୋଲା ନାଁରେ ମିଳିଛି ଉତ୍ପତ୍ତି ସ୍ଥଳର ମାନ୍ୟତା ବା ଜିଆଇ ଟ୍ୟାଗ୍ । ଗତ ୨ ବର୍ଷ ଧରି ରସଗୋଲା କେଉଁଠୁ ଉତ୍ପତି ହୋଇଛି, ତାହାକୁ ନେଇ ବିବାଦ ଲାଗି ରହିଥିଲା । ଏବେ ଚେନ୍ନାଇ ସ୍ଥିତ ସଂପୃକ୍ତ କର୍ତ୍ତୃପକ୍ଷ ବଙ୍ଗଳାର ରସଗୋଲା ନାଁରେ ଜିଆଇ ଟ୍ୟାଗ୍ ଦେଇଛନ୍ତି ।

rasagullaପ୍ରାୟ ସବୁ ଜାତୀୟ ଗଣମାଧ୍ୟମ ରସଗୋଲାର ଉତ୍ପତିସ୍ଥଳ ବିବାଦରେ ପଶ୍ଚିମବଙ୍ଗର ବିଜୟ ହୋଇଛି ବୋଲି ରିପୋର୍ଟ ଫାଇଲ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମଧ୍ୟ ଟୁଇଟ୍ କରି କହିଛନ୍ତି, ରସଗୋଲାକୁ ପଶ୍ଚିମବଙ୍ଗର ଜିଆଇ ଟ୍ୟାଗ୍ ମିଳିଛି । ମମତାଙ୍କ ଟ୍ୱିଟର ଅର୍ଥ ହେଉଛି, ରସଗୋଲା ପଶ୍ଚିମବଙ୍ଗର ବୋଲି ପ୍ରମାଣିତ ହୋଇଗଲା । କିନ୍ତୁ ଏ ସଂକ୍ରାନ୍ତରେ ଚେନ୍ନାଇ ସ୍ଥିତ ଜିଆଇ ଟ୍ୟାଗ କାର୍ଯ୍ୟାଳୟର ସହକାରୀ ନିବନ୍ଧକ ଚିନ୍ନାରାଜା ଜି ନାଇଡୁ ଅଲଗା କଥା କହିଛନ୍ତି  । ସେ କହିଥିଲେ, ରସଗୋଲାର ଉତ୍ପତି ସ୍ଥଳ ନେଇ କୌଣସି ବିଚାର କରାଯାଇନାହିଁ । ବାଲାଂର ରସଗୋଲା କେବଳ ପଶ୍ଚିମବଙ୍ଗରେ ସୀମିତ ବୋଲି ସେ କହିଛନ୍ତି ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଗତ ୨ ବର୍ଷ ଧରି ଓଡ଼ିଶା ସରକାର କରୁଥିଲେ କଣ ? ଦୁଃଖର କଥା ହେଉଛି, ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଏପର୍ଯ୍ୟନ୍ତ ଆବେଦନ କରିନାହିଁ ଓଡ଼ିଶା । କିନ୍ତୁ ସେପଟେ ରସଗୋଲାକୁ ବଙ୍ଗଳାର ରସଗୋଲା କହି ଜିଆଇ ଟ୍ୟାଗ ପାଇଗଲା ପଶ୍ଚିମବଙ୍ଗ ।
ଓଡ଼ିଶା ସରକାର ଯେତେ ଯୁକ୍ତି ବାଢିଲେ ମଧ୍ୟ ଏହା ସତ ଯେ ରସଗୋଳାକୁ ନିଜ ବ୍ରାଣ୍ଡ କରିବାରେ ସଫଳ ହୋଇଛି ପଶ୍ଚିମବଙ୍ଗ । ଆଉ ଏହାର ଫାଇଦା ହେଉଛି ଅର୍ନ୍ତଜାତୀୟ ବଜାରରେ ଏହି ବ୍ରାଣ୍ଡର ରସଗୋଲାର ଗୁରୁତ୍ୱ ବଢିବ । ଫଳରେ ବ୍ୟବସାୟିକ ଫାଇଦା ବି ମିଳିବ ।