ପଶ୍ଚିମବଙ୍ଗରେ ଲଢେଇ ତୀବ୍ର : ମୋଦି କହିଲେ ପଞ୍ଚଧାତୁରେ ଇଶ୍ୱରଚନ୍ଦ୍ରଙ୍କ ଭବ୍ୟମୂର୍ତ୍ତି ତିଆରି କରିବ ବିଜେପି, ମମତା କହିଲେ, ତାଙ୍କ ପାଖରେ ଅଛି ଟଙ୍କା, ଦରକାର ନାହିଁ ସହାୟତା

203

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ମମତା-ମୋଦି ଲଢେଇ ତୀବ୍ର ହେବାରେ ଲାଗିଛି । ସମାଜ ସଂସ୍କାରକ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତି ଭାଂଗିବା ଘଟଣା ରାଜନୀତିର ନୂଆ ପ୍ରସଙ୍ଗ ପାଲଟିଛି । ଇଶ୍ୱର ଚନ୍ଦ୍ରଙ୍କ ପଂଚ ଧାତୁରେ ଏକ ଭବ୍ୟମୂର୍ତ୍ତି ବିଜେପି ଗଢ଼ିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନରେନ୍ଦ୍ର ମୋଦି । ମମତା କହିଛନ୍ତି, ପଶ୍ଚିମବଙ୍ଗ ପାଖରେ ଟଙ୍କା ଅଛି, ଦରକାର ନାହିଁ ବିଜେପିର ସହାୟତା ।

ପଶ୍ଚିମବଙ୍ଗରେ ହିଂସାକାଣ୍ଡ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମୁହାଁମହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗତ କିଛି ଦିନ ଧରି ଲାଗିରହିଥିବା ବାକ୍ ଯୁଦ୍ଧରେ ଏହି ହିଂସାକାଣ୍ଡ ଘିଅ ଢାଳିବାର କାମ କରିଛି । ଉତରପ୍ରଦେଶରେ ନିର୍ବାଚନୀ ସଭାରୁ ମମତାଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ମମତାଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଟିଏମସିର ଗୁଣ୍ଡାମାନେ ବିଦ୍ୟାସାଗରଙ୍କ ମୂର୍ତ୍ତି ଭାଂଗିଛନ୍ତି । ଏବଂ ବିଜେପି ସେଠାରେ ନୂଆ ମୂର୍ତ୍ତି ନିର୍ମାଣ କରିବ । ଏହାସହ ଗତ କିଛି ମାସ ପୂର୍ବରୁ ପଶ୍ଚିମ ମିଦନାପୁରରେ ମୋଦିଙ୍କ ରାଲିରେ ଟିଏମସି କର୍ମୀମାନେ ଅରାଜକତା ପରିସ୍ଥିତି ସୃଷ୍ଟି କରିଥିଲେ । ଏବଂ ଠାକୁରନଗର ରାଲିରେ ଏପରି ପରିସ୍ଥିତି କରିଥିଲେ ଯେ ତାଙ୍କୁ ଭାଷଣ ଅଧାରୁ ବନ୍ଦ କରିବାକୁ ପଡିଥିଲା ବୋଲି ମୋଦି କହିଛନ୍ତି ।

ଅପରପକ୍ଷରେ ନରେନ୍ଦ୍ର ମାଦି ଓ ଅମିତ ଶାହାଙ୍କୁ ଖୋଲାଖୋଲି ଚ୍ୟାଲେଂଜ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ତାଙ୍କ ରାସ୍ତାରେ ଆସିବା ଶାହା ଓ ମୋଦିଙ୍କୁ ମହଙ୍ଗା ପଡିବ ବୋଲି ମମତା କହିଛନ୍ତି । ମୋଦିଙ୍କୁ ଲଜ୍ଜାହୀନ ଓ ମିଛୁଆ ବୋଲି କହିବା ସହ ଉଠବସ ହୋଇ ସେ କ୍ଷମା ମାଗନ୍ତୁ ବୋଲି ମମତା ଦାବି କରିଛନ୍ତି । ସେପଟେ ଅମିତ ଶାହାଙ୍କୁ ଗୁଣ୍ଡାର ଆଖ୍ୟା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖମନ୍ତ୍ରୀ । ଏହାସହ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବିଜେପି ଟଙ୍କାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମମତା ।

ମଙ୍ଗଳବାର ଦିନ କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରାଲି ଚାଲିଥିବା ବେଳେ ହିଂସା ସୃଷ୍ଟି ହୋଇଥିଲା । ଏହାକୁ ନେଇ ବିଜେପି ଓ ଟିଏମସସି କର୍ମୀ ମୁହାଁମୁହିଁ ହୋଇଥିଲେ । ଏବେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ମୁହାଁମୁହିଁ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ।