ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ଅଲିକ୍ ଚକ୍ରବର୍ତ୍ତୀଙ୍କୁ ଟ୍ରାଂଜିଟ ରିମାଣ୍ଡରେ ନେଲା ପଶ୍ଚିମବଙ୍ଗ ! ରହିଛି ଦେଶଦ୍ରୋହ, ନରହତ୍ୟା ସହ ୭୦ରୁ ଅଧିକ ମାମଲା ।

24

କନକ ବ୍ୟୁରୋ : ଅଲିକ୍ ଚକ୍ରବର୍ତ୍ତୀ । ସିପିଆଇଏମଏଲର ରେଡ୍ ଷ୍ଟାର୍ ଲିଡର । ପଶ୍ମିମବଙ୍ଗ ପୁଲିସ ପାଇଁ ଥିଲା ମୋଷ୍ଟ ୱାଂଟେଡ୍ । ଅଲିକର ଅପରାଧ ତାଲିକା ବେଶ ଲମ୍ବା । ଦଙ୍ଗା, ବିସ୍ପୋରକ, ଅସ୍ତ୍ରଶସ୍ତ୍ର, ହତ୍ୟା ସହ ରାଷ୍ଟ୍ରଦ୍ରୋହୀ ଭଳି ସଙ୍ଗୀନ ମାମଲାର ଅଭିଯୋଗ ରହିଛି ଅଲିକ୍ ନାଁରେ । ୭୦ରୁ ଅଧିକ ମାମଲାରେ ସଂପୃକ୍ତ ଥିବା ଏହି ରେଡ୍ ଷ୍ଟାର୍ ଲିଡରକୁ ହାତକଡି ପିନ୍ଧାଇଛି ପଶ୍ମିମବଙ୍ଗ ପୁଲିସ । କମିଶନରେଟ ପୁଲିସ ସହାୟତାରେ ପ୍ରାୟ ଦେଢ ବର୍ଷ ପରେ ଏହି କୁଖ୍ୟାତ ଅପରାଧୀକୁ ଭୁବନେଶ୍ୱରର  ଏକ ଘରୋଇ ହସ୍ପିଟାଲରୁ ଗିରଫ କରାଯାଇଛି ।

ପଶ୍ମିମବଙ୍ଗର ବହୁ ଚର୍ଚ୍ଚିତ ଟିଏମସି ନେତା ବାବୁ ସୋନା ହତ୍ୟାକାଣ୍ଡରେ ଅଲିକର ସିଧାସଳଖ ସଂପୃକ୍ତି ଅଭିଯୋଗରେ ଗିରଫ କରାଯାଇଛି । ତେବେ ଭୁବନେଶ୍ୱର କୋର୍ଟରେ ହାଜର ପରେ, ଅଲିକଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନେଇ ପଶ୍ଚିମବଙ୍ଗ ପୁଲିସ ପଚରା ଉଚରା କରିବ ବୋଲି ଜଣା ପଡିଛି । ବିଶେଷ କରି ଭାଙ୍ଗୋର ପାୱାର ଗ୍ରିଡକୁ ନେଇ ଚାଲିଥିବା ବିବାଦ ପୁଲିସର ଫୋକସରେ ରହିଥିବା ଜଣା ପଡିଛି । ତେବେ ଅଲିକଙ୍କ ମାଓବାଦୀ ଲିଙ୍କ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ସେ ମାଓବାଦୀ ନୁହଁନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ତେବେ ୭୦ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଜଣେ ଅପରାଧୀ, ବେଧଡକ୍ ଭୁବନେଶ୍ୱରରେ ଚିକିତ୍ସିତ ହେବା ଆଇନଶୃଙ୍ଖଳା ପ୍ରତି ସୃଷ୍ଟି କରିଛି ଏକ ବଡ ଆହ୍ୱାନ ।