ଭେଣ୍ଡିଆ ପୁଅ ପାଉଛି ବାର୍ଦ୍ଧକ୍ୟ ଭତ୍ତା । ୪୦ରୁ ୪୨ ବର୍ଷର ଯୁବକ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା, ରିପୋର୍ଟିଂରେ ଯାଇଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଉଦ୍ୟମ, ଜଗତସିଂହପୁରରୁ ଆସିଲା ଅଭାବନୀୟ ଖବର ।

421

କନକ ବ୍ୟୁରୋ: ଦୁର୍ନୀତିରେ ବୁଡିଛି ଜଗତସିଂହପୁର ଜିଲ୍ଲା ତିାର୍ତୋଲ ବ୍ଲକ୍ ଗୋପାଳପୁର ପଂଚାୟତ । ବାର୍ଦ୍ଧକ୍ୟ ଭତା, ବିଧବା ଭତା ଓ ଭିନ୍ନକ୍ଷମ ଭତାରେ ବ୍ୟାପକ ଦୁର୍ନୀତି ହୋଇଥିବା ସୂଚନା ଅଧିକାର ବଳରେ ସାମ୍ନାକୁ ଆସିଛି । ସରକାରୀ ତଦନ୍ତ ରିପୋର୍ଟରେ ମୋଟ ୩୧୯ ଜଣଙ୍କ ମଧ୍ୟରୁ ମାତ୍ର ୫୨ ଜଣ ଯୋଗ୍ୟ ହିତାଧିକାରୀ ଅଛନ୍ତି । ଆଉ ଭତା ଦୁର୍ନୀତିର ଏହି ସତ ସାମ୍ନାକୁ ଆସିବା ପରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ହେଲେ ଏଥିରେ ସଂପୃକ୍ତ ଅନ୍ୟ ସମସ୍ତ ଅଧିକାରୀ ଓ ବ୍ୟକ୍ତି ବିଶେଷ ଖସିଯିବାକୁ ଚେଷ୍ଟା କରୁଛନ୍ତି ।

ସବୁଠାରୁ ବଡ଼ କଥା ହେଲା କି, ସରପଂଚଙ୍କ ଆସନରେ ବସି ତାଙ୍କ ଦେଢ଼ସୁର ସବୁ କାରବାର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କେବଳ ଭତା ଦୁର୍ନୀତି ନୁହେଁ ଏହି ମାହା ଦୁର୍ନୀତି ପର୍ଦ୍ଦାଫସ କରିଥିବା ସୂଚନା ଅଧିକାରୀ କର୍ମୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ଏମିତିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି ସରପଂଚ ନିୟତି ସ୍ୱାଇଁଙ୍କ ଦେଢ଼ସୂର ପ୍ରକାଶ ଚନ୍ଦ୍ର ସ୍ୱାଇଁ ।

ନିରୁପମା ସ୍ୱାଇଁ
୨୦୧୭ରେ ବୟସ ୪୩
ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା
ଅମିୟ କୁମାର ସ୍ୱାଇଁ
୨୦୧୭ରେ ବୟସ ୪୨
ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା

କେବଳ ଏହି ୨-୩ ଜଣ ନୁହଁନ୍ତି ଆହୁରି ଅନେକ ଯୁବକ ଯୁବତି ପାଉଛନ୍ତି ବାର୍ଦ୍ଧକ୍ୟ ଭତା । ବୟସ ବଢ଼ାଇ ୱାର୍ଡ ମେମ୍ବର ବି ନେଇଛନ୍ତି ଭତ୍ତା । ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଗୋପାଳପୁର ଗ୍ରାମ ପଂଚାୟତରେ ଏସବୁ କାରସାଦି ଚାଲିଛି । ଗୋପଳପୁର ପଂଚାୟତ କୀର୍ତ୍ତନପୁର ଗାଁର ୧୩ ନମ୍ବର ୱାର୍ଡର ୱାର୍ଡର ମେମ୍ବର ଅତୁଲ୍ୟ ସ୍ୱାଇଁଙ୍କ ବୟସ ୫୭ ଓ ତାଙ୍କ ସ୍ତ୍ରୀ ମେନକା ସ୍ୱାଇଁଙ୍କ ବୟସ ୫୩, ହେଲେ ସେମାନେ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । ସୂଚନା ଅଧିକାର ବଳରେ ଏଭଳି ସାଂଘାତିକ ସତ ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏକ ୯ ଜଣିଆ କମିଟି ଘଟଣାର ତଦନ୍ତ କରି ଯେଉଁ ରିପୋର୍ଟ ଦେଇଛନ୍ତି ତାହା ପୁରା ଦୁର୍ନୀତିର ପର୍ଦ୍ଦାଫାସ କରିଛି ।

ଏ ହେଉଛି ସେହି ରିପୋର୍ଟ । ଯାହା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ୨୦୧୭ ବ୍ଲକ୍ ଭୋଟର ତାଲିକା ଏବଂ ଅନ୍ଲାଇନ୍ ଭୋଟର ତାଲିକା ତଥ୍ୟ ଆଧାରରେ ପ୍ରସ୍ତୁତ ହୋଇଛି । ରିପୋର୍ଟର ୩୧୧ ନମ୍ବରରେ ଥିବା ସୁରେଶ ଜେନାଙ୍କ ବୟସ ୪୨ ବର୍ଷ । ହେଲେ ପିଇଓ ତାଙ୍କୁ ୬୦ ବର୍ଷ ଦର୍ଶାଇ ଭତା କରାଇଛନ୍ତି । ସେହିଭଳି ୩୦୯ ନମ୍ବର ତାଲିକାରେ ଥିବା ଶିଶିର ନାୟକଙ୍କ ଭୋଟର ତାଲିକା ବୟସ ୪୨, ହେଲେ ପଂଚାୟତ ବୟସ ତାଲିକାରେ ତାଙ୍କୁ ୬୨ ଦର୍ଶାଇ ଭତା ପ୍ରଦାନ କରାଯାଉଛି । ସରକାରୀ ରିପୋର୍ଟରେ ଦର୍ଶାଯାଇଥିବା ମୋଟ ୩୧୯ ଜଣିଆ ତାଲିକାରେ ୨୬୨ ଜଣ ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ଭତା ଦୁର୍ନୀତିର ଏହି ରିପୋର୍ଟ ଆସିବା ପରେ ସଂପୃକ୍ତ ପଂଚାୟତର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।

ଏଭଳି ଘଟଣାର ସତ ଜାଣିବା ପାଇଁ ଗୋପାଳପୁର ପଂଚାୟତ ଅଫିସରେ ପହଂଚିଥିଲେ ଆମ ପ୍ରତିନିଧି । ସେଠାରେ ସରପଂଚ ନିୟତି ସ୍ୱାଇଁଙ୍କ ଅନୁପସ୍ଥିତିରେ ଖୋଲା ଥିଲା ତାଙ୍କ ଅଫିସ । ଆଉ ସେଠାରେ ଥିଲେ ତାଙ୍କ ଦେଢଶୁର ପ୍ରକାଶ ଚନ୍ଦ୍ର ସ୍ୱାଇଁ ଏବଂ କିଛି ସ୍ଥାନୀୟ ଲୋକ । ଯେଉଁମାନେ ଆମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ସହ ସୂଚନା ଅଧିକାର କର୍ମୀଙ୍କୁ ମାଡ ମାରିବାକୁ ଧମକ ଚମକ ଦେଇଥିଲେ । ଏନେଇ ସୂଚନା ଅଧିକାର କର୍ମୀ ତିର୍ତୋଲ ଥାନାରେ ଅଭିଯୋଗ କରିଥିବା ବେଳେ ତିର୍ତୋଲ ବିଡିଓ କହିଛନ୍ତି ନିର୍ଦେଶ ଆସିଲେ ବେଆଇନ ଭାବେ ଦିଆଯାଇଥିବା ଭତା ଅସୁଲ କରାଯିବ ।

ତେବେ ଏଠି ପ୍ରଶ୍ନ ଉଠୁଛି ଏହି ଦୁର୍ନୀତିରେ କ’ଣ କେବଳ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂପୃକ୍ତ? ଯଦି ହଁ, ସେ ପ୍ରସ୍ତୁତ କରିଥିବା ହିତାଧିକାରୀ ତାଲିକାର ପ୍ରଶାସନିକ ଅନୁଧ୍ୟାନ ହୋଇନଥିଲା କି? ଯଦି ନା, ତେବେ ଏଥିରେ ସଂପୃକ୍ତ ଅନ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି ? କାହିଁକି କେବଳ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରି ଚୁପ ବସିଛି ପ୍ରଶାସନ?