ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ! ୪୮ କିଲୋ ବିଭାଗ ୱେଟଲିଫ୍ଟଂରେ ମୀରାବାଇ ଚାନୁ ହାତେଇଲେ ଗୋଲ୍ଡ ମେଡାଲ୍

29

କନକ ବ୍ୟୁରୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ । ମହିଳା ଭାରୋତ୍ତଳକ ମୀରାବାଇ ଚାନୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଇଛନ୍ତି । ୪୮ କେଜିର ବର୍ଗରେ ମୀରାବାଇଙ୍କୁ ସ୍ୱର୍ଣ୍ଣ ମିଳିଛି । ଚାନୁ ସ୍ନାଚରେ ୮୬ କିଲୋଗ୍ରାମ ଓ କ୍ଲିନ ଏଂଡ ଜର୍କରେ ୧୧୦ ସ୍କୋର ସହ ମୋଟ ୧୯୬ କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଚାନୁଙ୍କର ଏହା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ଏହା ସହିିତ ଏହି ଭାରୋତ୍ତଳକ ଉଭୟ ସ୍ନାଚ ଓ କ୍ଲିନ ଏଂଡ ଜର୍କରେ ରାଜ୍ୟ ଗୋଷ୍ଠୀ କ୍ରୀଡା ରେକର୍ଡ ବି କରିଛନ୍ତି । ପୂର୍ବରୁ ଗୁରୁରାଜ ପୂଜାରୀ ପୁରୁଷ ୫୬ କିଲୋଗ୍ରାମ ଭାରତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଏ କରିଥିଲେ ।

ସେପଟେ ୫୬ କିଲୋଗ୍ରାମ ବିଭାଗ ୱେଟଲିଫ୍ଟିଂରେ ଗୁରୁରାଜ ପୁଜାରୀ ରୌପ୍ୟ ପଦକ ହାତେଇଛନ୍ତି । ଭାରତକୁ ମିଳିଛି ୨ ପଦକ । ତେବେ ଏହାପୂର୍ବରୁ ଗତକାଲି ରଂଗାରଙ୍ଗ କାର୍ଯ୍ୟକ୍ରମ ସହ ଧୁମଧାମରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦଘାଟିତ ହୋଇଥିଲା । ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ବ୍ରିଟେନ୍ ଯୁବରାଜ ପ୍ରିନ୍ସ ଚାଲର୍ସ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ ।

ଆଖି ଝଲସା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପାରମ୍ପରିକ ନୃତ୍ୟ ଆକର୍ଷଣ ପାଲଟିଥିଲା । ନାଚଗୀତ, ଆତସବାଜି ସହ ଲେଜର ଲାଇଟର ଚିକିମିକ୍ ଖେଳ ଦର୍ଶକଂକ ମନ ମୋହି ନେଇଥିଲା । ଭାରତୀୟ ଖେଳାଳି ଦଳରନେତୃତ୍ୱ ନେଇଥିଲେ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ । ୧୨ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ୧୫ ତାରିଖରେ ଉଦଯାପିତ ହେବ । ଏହି ପ୍ରତିଯୋଗିତାରେ ମୋଟ୍ ୧୯ଟି ଖେଳର ୨୭୫ଟି ଇଭେଂଟ ଅନୁଷ୍ଠିତ ହେବ । ୭୧ଟି ଦେଶର ୬ ହଜାରରୁ ଅଧିକ କ୍ରୀଡ଼ାବିତ୍ ଏଥିରେ ଭାଗ ନେଉଛନ୍ତି । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମାସ୍କଟ ରହିଛି ବୋରୋବି । ବୋରୋବି ହେଉଛି ନୀଳ କୋଆଲା । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଭାରତ ୨୨୫ ଜଣ ଖେଳାଳ ପଠାଇଛି । ଏମାନଙ୍କ ମଧ୍ୟରେ ୮ ଜଣ ଓଡ଼ିଆ ଖେଳାଳି ରହିଛନ୍ତି । ମହିଳା ହକି ଦଳରେ ୪ ଜଣ ଓଡ଼ିଆ ଖେଲାଳି ଅଛନ୍ତି । ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୧୫ଟି ସ୍ୱର୍ଣ୍ଣ, ୩୦ଟି ରୌପ୍ୟ ଓ ୧୯ଟି ବ୍ରୋଞ୍ଜ ସହ ମୋଟ୍ ୬୪ଟି ପଦକ ଜିତିଥିଲା । ଏଥର ଭାରତର ପଦସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି ।