କୋଟିଆରେ ଆରମ୍ଭ ହେଲା ସାପ୍ତାହିକ ହାଟ : ସବୁଦିନିଆ ଜିନିଷ ପାଇଁ ଆଉ ଯିବାକୁ ପଡିବ ନାହିଁ ଦୂରବାଟ । ଆନ୍ଧ୍ର-ଓଡିଶା ସୀମା ବିବାଦ ପରେ ଏବେ ବିକାଶ କାମ ତ୍ୱରାନ୍ୱିତ

33

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିବା ବେଳେ କୋଟିଆରେ ଖୋଲିଛି ସାପ୍ତାହିକ ହାଟ । ନିତି ଦିନିଆ ବ୍ୟବହାର ସାମଗ୍ରୀ ପାଇଁ କୋଟିଆବାସୀ ଆଉ ଦୂରକୁ ଯିବେନି ବରଂ ଏହି ହାଟରୁ କିଣାକିଣି କରିପାରିବେ । ସାପ୍ତାହିକ ହାଟ ଖୋଲିବାର ପ୍ରଥମ ଦିନରେ ବେଶ ଗହଳି ଦେଖିବାକୁ ମିଳିଥିଲା । କୋଟିଆରେ ହାଟ ଖୋଲିବାକୁ ନେଇ ସ୍ଥାନୀୟ ଲୋକେ ବେଶ ଖୁସି ଅଛନ୍ତି । କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଚାଲିଛି । ବହୁ ସମୟରେ କୋଟିଆରେ ଆନ୍ଧ୍ରର ଅଧିକାରୀମାନେ ପଶିଆସି ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଚେଷ୍ଟା କରିଛନ୍ତି, ଯାହାକୁ ଓଡ଼ିଶା ସରକାର ବିରୋଧ କରି ଆସିଛନ୍ତି ।

୨୧ଟି ଗାଁକୁ ନେଇ ଗଠିତ କୋଟିଆ ପଂଚାୟତକୁ ଉଭୟ ରାଜ୍ୟ ନିଜ ଅଂଚଳ ବୋଲି ଦାବି କରୁଛନ୍ତି । ତେବେ ଏହି ବିବାଦ ତେଜିବା ପରେ ଓଡ଼ିଶା ସରକାର କୋଟିଆରେ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ତ୍ୱରାନ୍ୱିତ କରିଛନ୍ତି । ରାଜ୍ୟ ସରକାରଙ୍କ ଏକ ସ୍ୱତନ୍ତ୍ର ଟିମ୍ କୋଟିଆ ଗସ୍ତ କରସାରିଛି । ପାନୀୟ ଜଳ, ବିଦ୍ୟୁତ୍ ଯୋଗାଣ ସହ କୋଟିଆକୁ ଯୋଗାଯୋଗ ଉନ୍ନତି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।