ଖାଦ୍ୟ ନାମରେ ଆମେ ଯେ ବିଷ ଖାଉଛେ ତାହା କାହାକୁ ଅଛପା ନାହିଁ। ବଜାରରେ ମିଳୁଥିବା କୌଣସି ଖାଦ୍ୟ ଉତ୍ପାଦ ରାସାୟନିକ ସାରରୁ ମୁକ୍ତ ନୁହେଁ। ତେବେ ଏମିତି ବଜାର ଖୋଲିବ, ଯେଉଁଠି ଜୈବିକ ପ୍ରଣାଳୀରେ ଉତ୍ପାଦିତ ଖାଦ୍ୟ ଉପଲବ୍ଧ ହେବ। ବଜାରର ନାଁ ରହିବ ‘ପାରିବାରିକ ନିରାପଦ ଖାଦ୍ୟ କେନ୍ଦ୍ର’। ସପ୍ତାହକୁ ଥରେ ବସିବ ଏହି ହାଟ। ଯେଉଁଠି ଜୈବିକ ପ୍ରଣାଳୀରେ ଉତ୍ପାଦିତ ଚାଉଳ, ଡାଲି ଭଳି ଶସ୍ୟଠୁ ନେଇ ପନିପରିବା ଉପଲବ୍ଧ ହେବ। ଏମିତି ଏକ ମହତ୍ତ୍ୱାକାଂକ୍ଷୀ ଯୋଜନାକୁ କାର୍ୟ୍ୟକାରୀ କରିବ ‘ଲିଭିଂ ଫାର୍ମ୍ସ’। ରାୟଗଡ଼ାର ମୁନିଗୁଡ଼ାରେ ପାଇଲଟ ପ୍ରକଳ୍ପ ଭାବେ ଏହା ଆରମ୍ଭ ହେବ। ପ୍ରତି ବୁଧବାର ବସିବ ଏହି ହାଟ। କୃଷକ ନିଜେ ନିଜର ଉତ୍ପାଦକୁ ଏହି ବଜାରରେ ବିକ୍ରି କରିବେ। କୃଷକ ଓ ଗ୍ରାହକଙ୍କ ସହମତି ଭିତ୍ତିରେ ସମସ୍ତ ଉତ୍ପାଦର ମୂଲ୍ୟ ପ୍ରତି ମାସରେ ସ୍ଥିର ହେବ। ବଜାରରେ ମିଳୁଥିବା ଅନ୍ୟ ଉତ୍ପାଦଠାରୁ ଏହାର ମୂଲ୍ୟ ଭିନ୍ନ ରହିବ। ଉତ୍ପାଦଗୁଡ଼ିକରେ ସାର ପ୍ରୟୋଗ ହୋଇଛି ନା ନାହିଁ ‘ପିଜିଏସ୍’ ଏଥିପାଇଁ ଓ୍ଵାଚ୍ଡଗ୍ ଭଳି କାର୍ୟ୍ୟ କରିବ। ଉତ୍ପାଦ ଉପରେ ପିଜିଏସ୍ର ଲୋଗୋ ଓ ଚିହ୍ନ ରହିବ। ପିଜିଏସ୍ରେ କ୍ଷୁଦ୍ର ଓ ଭାଗଚାଷୀମାନେ ରହିବେ। ଜଣେ ଅନ୍ୟଜଣଙ୍କ ଚାଷ ଜମିରେ ରାସାୟନିକ ସାର ପ୍ରୟୋଗ ହେଉଛି ନା ନାହିଁ ତାହା ଅନୁଧ୍ୟାନ କରିବେ। ଏହା ଲିଭିଂ ଫାର୍ମ୍ସର ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ରିପୋର୍ଟ ହେବ। ଏହି ଯୋଜନାରେ ଯୋଡ଼ି ହେଉଥିବା ଗ୍ରାହକମାନେ ମଧ୍ୟ ଚାଷ କ୍ଷେତ୍ରକୁ ଯାଇ ବୁଲି ଦେଖିପାରିବେ। ଉଭୟ ଚାଷୀ ଓ ଗ୍ରାହକଙ୍କ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ ହେବ। ଫଳରେ ଚାଷୀକୁ ଉଚିତ୍ ମୂଲ୍ୟ ମିଳିପାରିବ ଏବଂ ଗ୍ରାହକଙ୍କୁ ସାରମୁକ୍ତ ତଥା ବିଷମୁକ୍ତ ଖାଦ୍ୟ ମିଳିପାରିବ ବୋଲି ଇଣ୍ଡିଆ ଫର୍ ଇକୋ ଫୁଡ୍ କ୍ୟାମ୍ପେନ୍ର ପ୍ରକଳ୍ପ ସଂଯୋଜକ ଡ.ଜଗତବନ୍ଧୁ ମହାପାତ୍ର କହିଛନ୍ତି।

ଏହି ବଜାରରେ ଗ୍ରାହକମାନେ ସ୍ଥିରୀକୃତ ଏକ ମୂଲ୍ୟ ସାରଣୀକୁ ଅନୁକରଣ କରିବେ। କୌଣସି ଗ୍ରାହକ କୌଣସି ଦ୍ରବ୍ୟ ଉପରେ ମୂଲଚାଲ କରିପାରିବେ ନାହିଁ। ଏହି ବଜାରରୁ ଉତ୍ପାଦ କିଣିବା ପାଇଁ  ନୂଆ ଗ୍ରାହକମାନେ ‘କୃଷକ-ଗ୍ରାହକ କମିଟି’ ଜରିଆରେ ଯୋଡ଼ି ହେବେ। ସଂପ୍ରତି ମୁନିଗୁଡ଼ା, ବିଷମକଟକ ଓ ଚନ୍ଦ୍ରପୁରର ୩ହଜାର ୫୦୦ କ୍ଷୁଦ୍ର ଓ ଭାଗଚାଷୀ ଏଥିରେ ଯୋଡ଼ି ହୋଇଥିବା ବେଳେ ପିଜିଏସ୍ ସହ ୨ହଜାର ଚାଷୀ ସମ୍ପୃକ୍ତ ଅଛନ୍ତି। ମୁନିଗୁଡ଼ାରେ ଏହା ଆରମ୍ଭ ହୋଇଥିଲେ ହେଁ ସଫଳତାକୁ ଭିତ୍ତି କରି ରାଜ୍ୟର ଅନ୍ୟସ୍ଥାନରେ ମଧ୍ୟ ଏହିଭଳି ବଜାର ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କ୍ୟାମ୍ପେନ୍ କୋର୍ଡିିନେଟର ଅଭିଷେକ ଦ୍ୱିବେଦୀ କହିଛନ୍ତି।