ଅସରାଏ ବର୍ଷାରେ ଶ୍ରୀମନ୍ଦିର ଭିତରେ ଲହଡି ମାରୁଛି ବର୍ଷା ପାଣି ! ଅବଢାରେ ପଡୁଛି ବର୍ଷା ପାଣି, ଅସନ୍ତୋଷରେ ଭକ୍ତ ।

30

ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀକ୍ଷେତ୍ର ଧାମକୁ ମହାପ୍ରଭୁଙ୍କ ଦର୍ଶନ ଲାଗି ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ ଲାଗେ । ମହାପ୍ରଭୁଙ୍କ ଅବଢା ଖାଇ ଶ୍ରଦ୍ଧାଳୁ ଆତ୍ମତୃପ୍ତି ଲାଭ କରନ୍ତି । କିନ୍ତୁ ଅସରାଏ ବର୍ଷା ହେଲେ ବଡମନ୍ଦିରକୁ ପାଣିର ସୁଅ ଛୁଟୁଛି । କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଶ୍ରୀମନ୍ଦିର ଅସୁରକ୍ଷିତ। ବର୍ଷା ହେଲେ ମୁଖ୍ୟ ମନ୍ଦିରରୁ ଗଳୁଛି ପାଣି । ଖାଲି ସେତିକି ନୁହେଁ, ବର୍ଷା ପାଣି ସିଧା ଯାଇ ମହାପ୍ରଭୁଙ୍କ ଭୋଗରେ ପଡୁଛି। ଶ୍ରୀମନ୍ଦିର ଅଣସର ପିଣ୍ଡି କଳାହାଟ ଦ୍ୱାର (ଜଗମୋହନ ପାଖ)ରୁ ପାଣି ଗଳୁଥିବା ଜାଣିବା ପରେ ଆଜି ସେବାୟତମାନେ ତୀବ୍ର ଅସନ୍ତୋଷ ପ୍ରକଟ କରିଛନ୍ତି। ଶ୍ରୀମନ୍ଦିରରୁ ପାଣି ଗଳିବା ପରେ ମନ୍ଦିରର ସ୍ଥିତି ଦୁର୍ବଳ ଥିବା ସ୍ପଷ୍ଟ ହୋଇଛି। ଏଏସ୍ଆଇ ଦ୍ୱାରା ବର୍ଷ ବର୍ଷ ଧରି ଚାଲିଥିବା ଶ୍ରୀମନ୍ଦିର ମରାମତି କାମ ଯେ ନିମ୍ନମାନର ତାହା ଏଥିରୁ ଜଳଜଳ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ମରାମତି ବାବଦରେ ମାନ୍ୟବର ହାଇକୋର୍ଟଙ୍କୁ ଦିଆଯାଉଥିବା ସତ୍ୟପାଠରେ ଭୁଲ ତଥ୍ୟ ଦିଆଯାଉଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ଏଏସ୍ଆଇର କାର୍ୟ୍ୟଧାରାକୁ ନେଇ ଏକ ବଡ ପ୍ରଶ୍ନ ଠିଆ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଏହାର ଅନୁଧ୍ୟାନ କରିବାକୁ ସେବାୟତମାନେ ଦାବି କରିଛନ୍ତି। ସେବକଙ୍କ ଦାନଦକ୍ଷିଣାକୁ ନେଇ ପ୍ରଶାସନିକ ଅଧିକାରୀମାନେ ଯେତିକି ତତ୍ପରତା ଦେଖାଉଛନ୍ତି ମହାପ୍ରଭୁଙ୍କ ମନ୍ଦିର ସୁରକ୍ଷା ପ୍ରତି ସେମାନଙ୍କ ଧ୍ୟାନ ନଥିବା ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି। ଆଜି ଅଣସର ପିଣ୍ଡିରେ ପାଣି ଗଳି ଚାନ୍ଦୁଆ ଓଦା ହୋଇଥିବା ସେ ଦେଖିଥିଲେ। ପାଣି ଆସି ଗୋପାଳବଲ୍ଲଭ ଭୋଗରେ ପଡିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି। ରଥଯାତ୍ରା ବେଳେ ମହାପ୍ରଭୁ ରଥରେ ତିନ୍ତିଥିଲେ। ଏବେ ମୁଖ୍ୟ ମନ୍ଦିରରୁ ପାଣି ଗଳି ମହାପ୍ରଭୁଙ୍କ ଭୋଗ ଓଦା ହେବା ଘଟଣାକୁ ସେବକମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ଆଜି ପାଣି ଗଳିବା ପରେ ଅଣସର ପିଣ୍ଡି-କଳାହାଟ ଦ୍ୱାର, ନାଟମଣ୍ଡପ ଏବଂ ଭୋଗ ମଣ୍ଡପର ସ୍ଥିତି ଦୁର୍ବଳ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୪୦ ବର୍ଷ ହେଲା ଏସ୍ଏସ୍ଆଇ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ କରୁଛି। ପ୍ରତିଦିନ କିଛି ନା କିଛି କାମ ଚାଲିଛି। ଏ ବାବଦରେ ବିଗତ ଦିନମାନଙ୍କରେ ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି। ଏହା ସତ୍ତ୍ୱେ ମୁଖ୍ୟ ମନ୍ଦିରରୁ ପାଣି ଗଳିବା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ପହଞ୍ଚାଇଛି।