ନିଆରା ବିବାହ : ବାହାବେଦୀରେ ୪ଟି ଭାଷାରେ ହେଲା ମନ୍ତ୍ରପାଠ, ସାଥ୍ ଫେରା ନେବା ପାଇଁ ଲାଗିଲା ୪ଘଣ୍ଟା ସମୟ

134

କନକ ବ୍ୟୁରୋ : ନିଜର ବିବାହ ଦିନକୁ ଖାସ୍ ଏବଂ ଚର୍ଚ୍ଚିତ କରାଇବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି। କେହି କେହି ଅତି ସାଧାରଣ ଭାବରେ ବିବାହ କରିବାକୁ ପସନ୍ଦ କରିଥାନ୍ତି ତ କେହି କେହି ନିଜ ବିବାହରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି । ପୂର୍ବରୁ ବିବାହକୁ ନେଇ ଅନେକ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସି ସାରିଥିବା ବେଳେ ମଧ୍ୟପ୍ରଦେଶରେ ହୋଇଥିବା ବିବାହ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ବର ମଧ୍ୟପ୍ରଦେଶର ଓ କନ୍ୟା ଜର୍ମାନୀର ହୋଇଥିବାରୁ ଦୁହିଁଙ୍କ ବିବାହରେ ୪ଟି ଭାଷାରେ ମନ୍ତ୍ରପାଠ କରାଯାଇଥିବା ଜଣା ପଡ଼ିଛି । ୪ଟି ଭାଷାରେ ମନ୍ତ୍ରପାଠ ସହ ସାତ୍ ଫେରା ପାଇଁ ୪ଘଣ୍ଟା ସମୟ ଲାଗିଥିବା ଖବର ସାମ୍ନାକୁ ଆସିବା ପରେ ଲୋକେ ଏହି ବିବାହକୁ ନେଇ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।

ସଂସ୍କୃତ, ହିନ୍ଦି, ଇଂରାଜୀ ଏବଂ ଜର୍ମାନ ଭାଷାରେ ବିବାହର ମନ୍ତ୍ରପାଠ କରାଯାଇଥିଲା ।  ପଣ୍ଡିତ ପ୍ରଦ୍ୟୁମ୍ନ  ଶର୍ମା ସଂସ୍କୃତ ଏବଂ ହିନ୍ଦି ଭାଷାରେ ମନ୍ତ୍ରପାଠ କରିବ‌ା ପରେ ଏହାକୁ ଜର୍ମାନ ଭାଷାକୁ ଅନୁବାଦ କରିଥିଲେ ପଶ୍ଚିମବଙ୍ଗରୁ ଆସିଥିବା ସିଡ୍ ମଲହୋତ୍ରା । ମନ୍ତ୍ରକୁ ଆମେରିକାରୁ ଆସିଥିବା ଆଶିଷ ଯାଦବ ଇଂରାଜୀକୁ ଅନୁବାଦ କରିଥିଲେ । ଏହି ବିବାହରେ ଜର୍ମାନୀ, ଆମେରିକା, ସୁଇଜରଲାଣ୍ଡ, ସ୍ପେନ୍, ଇଟାଲୀ ଏବଂ ଅଷ୍ଟ୍ରେଲିଆରୁ ଅତିଥିମାନେ ଆସି ଯୋଗ ଦେଇଥିବାରୁ ସମସ୍ତେ ଯେଉଁଭଳି ଭାବରେ ମନ୍ତ୍ର ବୁଝି ପାରିବେ, ସେ ନେଇ ୪ଟି ଭାଷାରେ ମନ୍ତ୍ରପାଠ କରାଯାଇଥିଲା ।