ଗିଫ୍ଟ ପାର୍ସଲରେ ଆସିଲା ମୃତ୍ୟୁର ଉପହାର ! ଖୋଲୁ ଖୋଲୁ ଜଳିଗଲେ ନବ ଦମ୍ପତି, ଆଖିବୁଜିଲେ ବର ଓ ଜେଜେମା, କନ୍ୟା ଗୁରୁତର

55

କନକ ବ୍ୟୁରୋ : ବାହାଘର ଗିଫ୍ଟ ଆଜି ଦୁଇ ଦୁଇଟି ଜୀବନ ନେଇଛି । ବର-କନ୍ୟା ପାଇଁ ଗିଫ୍ଟ ପ୍ୟାକରେ ଆସିଥିଲା ବୋମା । ରାୟପୁରରୁ ଆସିଥିବା ଏହି ଉପହାର ଖୋଲିବା ପରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଳିଯାଇଥିଲେ ଜେଜେମା ଓ ନୂଆ ଦମ୍ପତି । ଗୁରୁତର ଜେଜେମା ଓ ବର ଆଖିବୁଜିଥିବା ବେଳେ ନବବଧୁଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗିଫ୍ଟ ପାର୍ସଲ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର କାନ୍ଥରେ ଫାଟ ହୋଇଯାଇଛି, ଜଳିଯାଇଛି ଜିନିଷପତ୍ର । ବିସ୍ଫୋରଣସ୍ଥଳରୁ ମିଳିଥିବା ଆଲୁମିନିୟମ୍ ଖଣ୍ଡକୁ ଜବତ କରିଛି ତଦନ୍ତ ଚଳାଇଛି ସାଇଂଟିଫିକ୍ ଟିମ୍ । ତେବେ କିଏ ଓ କାହିଁକି ଗିଫ୍ଟ ପାର୍ସଲରେ ବୋମା ପଠାଇଥିଲେ ତାହା ଅସ୍ପଷ୍ଟ ରହିଛି ।

୫ ଦିନ ତଳେ ହସଖୁସିରେ ଫାଟି ପଡୁଥିବା ଘରେ ଆଜି ଦୁଃଖର ଛାୟା । ସବୁ କିଛି ଜାଳିଦେଇଛି ବିବାହ ଉପହାର । ଉପହାର ପାଇ ଖୁସି ହେବା ବଦଳରେ ଜୀବନ ହରାଇଲେ ବର ଓ ତାଙ୍କ ଜେଜେମା ଆଉ, ବଂଚିବାକୁ ସଂଘର୍ଷ କରୁଛନ୍ତି ନବବଧୂ । ସମୟ ଅପରାହ୍ନ ଗୋଟାଏ । ରାୟପୁରରୁ ଆସିଲା ଗିଫ୍ଟ ପ୍ୟାକ୍ । ବାହାଘରର ୫ ଦିନ ପରେ ଆଜି ଘରକୁ ଆସିଥିଲା ଛତିଶଗଡର ରାୟପୁରରୁ ଏକ ଗିଫ୍ଟ ପାର୍ସଲ । ହେଲେ ପାର୍ସଲରେ ପଠାଇଥିବା ଲୋକର ଠିକଣା ଲେଖା ନଥିଲା । ବିବାହ ଉପହାର ଭାବି ଖୁସିରେ ପ୍ୟାକେଟ୍ ଖୋଲିଥିଲେ ଜେଜେମା ଓ ନୂଆ ଦମ୍ପତି । ହେଲେ ପାର୍ସଲରୁ ହଠାତ୍ ଖୁବଜୋରରେ ବିସ୍ଫୋରଣ ହୋଇଥିଲା । କେହି କିଛି ଭାବିବା ପୂର୍ବରୁ ଦୂରକୁ ଛିଟିକି ପଡିଥିଲେ ସମସ୍ତେ । କ୍ଷଣିକ ମଧ୍ୟରେ ଜଳିଯାଇଥିଲା ଘରଦ୍ୱାର । କାନ୍ଥରେ ବିରାଟ ଫାଟ, ଭାଂଗିଯାଇଥିଲା ଲୁହା ଝରକା । ନିଆଁ ଲାଗିଯାଇଥିଲା ଆସବାବପତ୍ରରେ । ଘରର କବାଟ ବାହାରେ ଛିଟିକି ପଡିଥିଲା ଯାହା ବୟାନ କରୁଥିଲା କେତେ ଭୟଙ୍କର ଥିଲା ବିସ୍ଫୋରଣ ।

ଗତ ୧୮ ତାରିଖରେ ଧୁମଧାମରେ ହୋଇଥିଲା ବାହାଘର । ବାଜା, ବାଣ, ରୋସଣୀରେ ଫାଟି ପଡିଥିଲା ବଲାଙ୍ଗୀର ପାଟଣାଗଡ ଭୋଳାନାଥପଡାର ଗାଁ ଦାଣ୍ଡ । ବାଙ୍ଗାଲୋରରେ ଇଂଜିନିୟର ଥିବା ସୌମ୍ୟଶେଖର, ସୋନପୁରର ରିମାଙ୍କୁ ବିବାହ କରିିଥିଲେ । ନୂଆଘରେ ନୂୂଆବୋହୁର ପାଦ ପଡିଥିଲା । ଆଉ ବିବାହର ୫ ଦିନ ପରେ ବଦଳିଯାଇଛି ସବୁକିଛି । ଶୁଣିବାକୁ ମିଳୁଛି ଲଭ୍ ଟ୍ରାଙ୍ଗେଲ୍କୁ ନେଇ ଘଟିଛି ଏଭଳି ବର୍ବର କାଣ୍ଡ । ହେଲେ , ଏବେବି ସ୍ପଷ୍ଟ ହୋଇପାରିନି କେଉଁଠୁ ଆସିଥିଲା ଗିଫ୍ଟ ? ନୂଆ ଦମ୍ପତି ପାଇଁ ଗିଫ୍ଟ ପାର୍ସଲରେ କିଏ ପଠାଇଥିଲା ବୋମା? ଘଟଣାସ୍ଥଳରୁ ମିଳିଥିବା ଆଲୁମିନିୟମ୍ ଖଣ୍ଡକୁ ନେଇ ତଦନ୍ତ କରୁଛି ସାଇଂଟିଫିକ୍ ଟିମ୍ ।