ନିଆଁ ପରେ ଅଷ୍ଟ୍ରେଲିଆରେ ଏବେ ବୁଢିଆଣୀ ଆତଙ୍କ । ୧୫ ମିନିଟରେ ଜୀବନ ନେଇଯାଉଛି ଏହି ଭୟଙ୍କର ବୁଢିଆଣୀ ।

411

କନକ ବ୍ୟୁରୋ : ପ୍ରଥମେ ନିଆଁ, ଆଉ ଏବେ ଭୟଙ୍କର ବୁଢିଆଣୀ । ଅଷ୍ଟ୍ରେଲିଆ ଉପରେ ମାଡିଚାଲିଛି ଗୋଟିଏ ପରେ ଗୋଟିଏ ବଡ ବିପଦ । ପ୍ରଥମେ ନିଆଁର ଆଁରେ ଅଷ୍ଟ୍ରେଲିଆର ଜଙ୍ଗଲ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ଚାଲିଯାଇଛି ୫୦ କୋଟିରୁ ଅଧିକ ଜୀବଜନ୍ତୁଙ୍କ ଜୀବନ । ଆଉ ନିଆଁର ତାଣ୍ଡବ ପରେ ଧୂଳି ଝଡ ଅଷ୍ଟ୍ରେଲିଆବାସୀଙ୍କ ନିଜ ହଜାଇ ଦେଇଥିଲା । ଆଉ ଅଷ୍ଟ୍ରେଲିଆ ସହରରେ ଏବେ ମୃତ୍ୟୁର ନୂଆ ନାଁ ହେଉଛି ବୁଢୀଆଣି ।

ଏହା ଏମିତି ଏକ ଭୟଙ୍କର ବୁଢିଆଣି, ଯାହା କାମୁଡିବାର ୧୫ ମିନିଟ୍ ମଧ୍ୟରେ ଲୋକଙ୍କ ମୃତ୍ୟୁ ହୋଇଯାଇଥାଏ । ଏହି ବୁଢିଆଣୀର ନାଁ ହେଉଛି ଫନେଲ୍ ୱେବ ସ୍ପାଇଡର ।

କୁହାଯାଉଛି, ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ସମୟରେ, ଏହି ଭୟଙ୍କର ସ୍ପାଇଡର ଗୁଡିକ ମାଟି ତଳେ ଲୁଚି ଯାଇଥିଲେ । କିନ୍ତୁ ପରେ ହୋଇଥିବା ପ୍ରବଳ ବର୍ଷା କାରଣରୁ ଏମାନେ ମାଟି ଗାତରୁ ବାହାରି ସହରମୁହାଁ ହୋଇଛନ୍ତି । ଆଉ ଅଷ୍ଟ୍ରେଲିଆ ସହରରେ ଏବେ ଫନେଲ୍ ୱେବ ସ୍ପାଇଡରର ଆତଙ୍କ ଖେଳିଯାଇଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆରେ ଫନେଲ୍ ୱେବ ସ୍ପାଇଡରର ୪୦ ପ୍ରକାର ପ୍ରଜାତି ଅଛନ୍ତି । ଯାହାଙ୍କୁ ଦୁନିଆର ସବୁଠାରୁ ମାରାତ୍ମକ ଏବଂ ବିଷାକ୍ତ ସ୍ପାଇଡର ବୋଲି କୁହାଯାଏ । ଏହି ସ୍ପାଇଡର କାମୁଡିଦେଲେ, ମାତ୍ର ୧୫ ମିନିଟ୍ ମଧ୍ୟରେ ଲୋକଙ୍କ ମୃତ୍ୟୁ ହୋଇଯାଏ ।

ଅଷ୍ଟ୍ରେଲିଆର ସିଡନୀ, ନ୍ୟୁ ସାଉଥ ୱେଲ୍ସ ଠାରେ ଏହି ସ୍ପାଇଡର ଗୁଡିକର ପ୍ରକୋପ ଅଧିକ ମାତ୍ରାରେ ବଢିଯାଇଛି । କୁହାଯାଉଛି, ଏହି ଭୟଙ୍କର ଜୀବ କାମୁଡିବା ମାତ୍ରେ ଉକ୍ତ ସ୍ଥାନରେ ଲାଲ ରଙ୍ଗର ଏକ କ୍ଷତ ସୃଷ୍ଟି ହୋଇଥାଏ । ପ୍ରବଳ କଷ୍ଟ ହେବା ସହ ମୁହଁରୁ କ୍ରମାଗତ ଭାବେ ଫେଣ ବାହାରିଥାଏ । ମାଂଶପେଶୀ ଟାଣିହୋଇଯିବା ସହ ବାନ୍ତି ହୋଇଥାଏ । ଆଉ ଶେଷରେ ବ୍ଲଡ ପ୍ରେଶର ବଢିଯିବା ସହ ସମ୍ପୃକ୍ତ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥାଏ ।