ଆଶା ଓ ଆଶଙ୍କାରେ ବୁଣାକାର ! ନୂତନ ଶିକ୍ଷା ବର୍ଷ ପରେ ବି ଆରମ୍ଭ ହୋଇନି ସମ୍ବଲପୁରୀ ୟୁନିଫର୍ମ ଲାଗୁ ପ୍ରକ୍ରିୟା 

31

କନକ ବ୍ୟୁରୋ : ସ୍କୁଲରେ ସମ୍ବଲପୁରୀ ୟୁନିଫର୍ମ ଲାଗୁ କରିବା ନିଷ୍ପତ୍ତିି ପରେ ଖୁସିରେ ଥିଲେ ବୁଣାକାର  । ଦୁର୍ଦ୍ଦିନରେ ଦିନ କାଟୁଥିବା ବୁଣାକାର ଆଶା କରିଥିଲେ ଏଥିରୁ ବେଶ ଦୁଇ ପଇସା ରୋଜଗାର କରି ପରିବାର ଚଳାଇନେବେ । ହେଲେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ସମ୍ବଲପୁରୀ ୟୁନଫର୍ମ ଲାଗୁ କରିବା ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ  । ଫଳରେ ମଉଳି ଯାଇଛି ବୁଣାକାରଙ୍କ ଆଶା ।

ବିଦ୍ୟାଳୟରେ ସମ୍ବଲପୁରୀ ୟୁନିଫର୍ମ ଲାଗୁ କରିବା ନିଷ୍ପତ୍ତି ପରେ ଖୁସିରେ ଥିଲେ ବୁଣାକାର । ୟୁନିଫର୍ମ ଯୋଗାଇ ଭଲ ପଇସା ରୋଜଗାର କରିବେ ବୋଲି ଆଶା କରିଥିଲେ ।  କିନ୍ତୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବା ପରେ ମଧ୍ୟ ଏନେଇ ସରକାରୀ ସ୍ତରରେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ  । ଫଳରେ ନିଜ କୂଳବେଉସାକୁ ବଂଚାଇ ରଖିବା ନେଇ ପୁଣି ଦ୍ୱନ୍ଦ୍ୱରେ ପଡିଛନ୍ତି ବୁଣାକାର । ଏଣେ ବୁଣାକାରଙ୍କ ଦୟନୀୟ ଅବସ୍ଥା । ନିଜ ପୁଂଜିରେ ଶାଢ଼ୀ ବୁଣିବାକୁ ଅକ୍ଷମ, ଏବଂ ଦଲାଲଙ୍କଠାରୁ ମଜୁରୀ ନେଇ ଶାଢ଼ୀ ବୁଣିଲେ ପରିଶ୍ରମ ଅନୁସାରେ ମିଳୁନି ପାରିଶ୍ରମିକ । ପରିବାର ପ୍ରତିପୋଷଣ ପାଇଁ ତିଆରି କରୁଛନ୍ତି କାଗଜ ଠୁଙ୍ଗା । ସେପଟେ ଜିଏସଟି ଲାଗୁ ଯୋଗୁଁ ସୂତା ବଣ୍ଡଲ ଓ ରଙ୍ଗ ଆଦିର ଦର ବୃଦ୍ଧି ପାଇଛି । ଏହାରି ଭିତରେ ମନ୍ତ୍ରୀଙ୍କ ଘୋଷଣା କିଛିଟା ଆଶ୍ୱସ୍ତି ଆଣିଥିଲା । ହେଲେ ତାହା ବି କାର୍ଯ୍ୟକାରୀ ହେଲାନି  ।

ସେପଟେ ସମ୍ବଲପୁର ସର୍ବଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କହିବା କଥା ହେଲା ନୂତନ ଗାଇଡଲାଇନ ଆସିନଥିବାରୁ ପୁରୁଣା ଗାଇଡଲାଇନ ଅନୁଯାୟୀ ଛାତ୍ରଛାତ୍ରୀମାନେ ପୁରୁଣା ୟୁନିଫର୍ମ ପରିଧାନ କରୁଛନ୍ତି  । ଦଲାଲ, ଡୁପ୍ଲିକେଟ ଶାଢୀ ଓ ଜିଏସଟି ବୁଣାକାରଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି  । ଏବେ ଅପେକ୍ଷା ବିଦ୍ୟାଳୟରେ ସମ୍ବଲପୁରୀ ୟୁନିଫର୍ମ ଲାଗୁ ହେଲେ ଦୁଇ ପଇସା ରୋଜଗାର କରିବେ ବୁଣାକାର  ।