ଆସନ୍ତାକାଲି ପରଠାରୁ ପାଗରେ ଆସିପାରେ ପରିବର୍ତନ ! ଉତର ଓ ପଶ୍ଚିମ ଓଡିଶାରେ ବର୍ଷା ସମ୍ଭାବନା

1,145

କନକ ବ୍ୟୁରୋ : ୧୪ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଅଂଚଳ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପାଗ କୋହଲା ରହିବ। ୧୬ ତାରିଖ ଯାଏଁ ଏଭଳି ପାଗ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆସନ୍ତା ୧୪ ଓ ୧୫ ତାରିଖରେ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷା ହେବ। ୧୬ ତାରିଖରେ ଉକ୍ତ ତିନି ଜିଲ୍ଲା ସମେତ ବାଲେଶ୍ବର ଓ ଦେବଗଡ଼ରେ ବି ବର୍ଷା ହେବାର ସମ୍ଭାବନା ରହିଛି। ୩ରୁ ୪ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ହେବନି। ତେବେ ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ତି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଲାଗିରହିବ। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରହିଥିବା ବେଳେ ଫୁଲବାଣୀ ଓ ଅନୁଗୁଳରେ ୧୧, ଟିଟିଲାଗଡ଼ରେ ୧୧.୬, ସୁନ୍ଦରଗଡ଼ରେ ୧୨.୫ ଡିଗ୍ରି ରହିଥିଲା।