ପ୍ରବଳ ବର୍ଷିବ : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଚେତାବନୀ, ୧୧ ଜିଲ୍ଲାକୁ ସତର୍କ ସୂଚନା

85

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା । ଆସନ୍ତା ୨୪ ଘଂଟା ମଧ୍ୟରେ ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଅଧିକ ଘନିଭୂତ ହେବ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଶେଷକରି ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୪୮ ଘଂଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ଆସନ୍ତା ୧୬ ତାରିଖ ଯାଏଁ ଲଘୁଚାପ ଜନିତ ବର୍ଷା ଲାଗି ରହିବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୪୮ଘଂଟା ମଧ୍ୟରେ ଗଜପତି, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର,କୋରାପୁଟ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ନୟାଗଡ ଓ କଟକରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ, ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ପୌରାଚଂଳ ୭ ନଂ ୱାର୍ଡରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ରିଜର୍ଭ ପୋଲିସ ମୁଖ୍ୟ ରାସ୍ତା ଉପରେ ପାଣି ଜମି ଏକ ପ୍ରକାରର ପୋଖରୀର ଭ୍ରମ ସୃଷ୍ଟି ହୋଇଛି । ଲୋକଙ୍କ ଘର ଭିତରେ ଆଣ୍ଠୁଏ ପାଣି ଜମି ରହିଛି । ଚାରିପଟୁ ପାଣି ଘେରିରହିବା ଯୋଗୁଁ ଲୋକେ ବାହାରକୁ ବାହାରିପାରୁନାହାନ୍ତି । ପୌରସଂସ୍ଥା ପକ୍ଷରୁ ପାଣି ନିଷ୍କାସନ ପାଇଁ ୩୦ଲକ୍ଷ ଖର୍ଚରେ କଲଭର୍ଟ ଓ ଡ୍ରେନ ନିର୍ମାଣ କରାଯାଇଥିଲା । କିନ୍ତୁ ତ୍ରୁଟିପୂର୍ଣ୍ଣ ନିର୍ମାଣଶୈଳୀ ଯୋଗୁଁ ପାଣି ବାହାରିବା ସମ୍ଭବ ହୋଇପାରୁନାହିଁ । ଓଲଟା ଲୋକଙ୍କ ଘରେ ପାଣି ପଶୁଛି ।