ଦାନା ବାନ୍ଧିଲାଣି ପୁଣି ଏକ ଲଘୁଚାପ: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟ, ପ୍ରଭାବରେ ୧୯ରୁ ବଢ଼ିପାରେ ବର୍ଷାର ପରିମାଣ

43

କନକ ବ୍ୟୁରୋ: ଲଘୁଚାପ ଜନିତ ବର୍ଷାରେ ଦକ୍ଷିଣ ଓଡ଼ିଶା ବେଶି ପ୍ରଭାବିତ ହୋଇଛି। ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଲୋକଙ୍କ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। ଦୁଇ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ପ୍ରାୟ ହଜାର ଲୋକଙ୍କୁ ବନ୍ୟାରୁ ଉଦ୍ଧାର କରାଯାଇଛି। ବର୍ଷା କମିଥିଲେ ମଧ୍ୟ ପାଣି ଛାଡ଼ି ନ ଥିବାରୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ତେଣୁ କୌଣସି ଜିଲ୍ଲା ପ୍ରତି ବିପଦ ନଥିବା ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୬୫.୩ ମିମି ବର୍ଷା ହୋଇଛି। ଜିଲ୍ଲାର ଖଇରପୁଟ ଓ ମାଥିଲି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇଯିବା ଯୋଗୁଁ ଯାତାୟତ ବ୍ୟାହତ ହୋଇଛି। କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ମଧ୍ୟ ବହୁ ପରିମାଣରେ ପ୍ରଭାବିତ ହୋଇଛି। ବର୍ଷା ପାଣିରେ ଫସି ରହିଥିବା କଳାହାଣ୍ଡି ଜିଲ୍ଲାର ୭୦୪ ଜଣ ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। କୋରାପୁଟ ଜିଲ୍ଲାର ୧୨୬ ଗ୍ରାମବାସୀ ମଧ୍ୟ ଉଦ୍ଧାର ହୋଇଛନ୍ତି। ଇନ୍ଦ୍ରାବତୀ ରିଜର୍ଭରରୁ ଜଳ ନିସ୍କାସନ ଦ୍ୱାରା ୧୦ ଜଣ ଲୋକ ଫସି ଯାଇଥିଲେ। ସେମାନଙ୍କୁ ସୁରକ୍ଷିତଭାବେ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଲୋକଙ୍କୁ ରିଲିଫ୍ ଦିଆଯାଉଛି। ଏନ୍ଡିଆରଏଫ୍ର ଗୋଟିଏ ଟିମ୍ ଓ ୪ଟି ବୋର୍ଟ ଏବେବି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଚଳିତ ବର୍ଷାରେ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର ନର୍ଲାରେ ଦୁଇ ଜଣଙ୍କ ପ୍ରାଣହାନୀ ହୋଇଥିବା ନେଇ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଦିନ ଅବପାତର ରୂପ ନେଇଥିଲା। ଗତକାଲି ତାହା ଓଡ଼ିଶା ଅତିକ୍ରମ କରିଛି। ଫଳରେ ଗତ ୨୪ ଘଣ୍ଟାରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ଦୁଇ ଦିନ ପାଇଁ ସେଭଳି ବର୍ଷା ହେବା ନାହିଁ। ହେଲେ ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ଘୂର୍ଣ୍ଣିବଳୟ ୧୯ ତାରିଖରେ ଲଘୁଚାପର ରୂପ ନେବ। ପ୍ରଭାବରେ ସେହିଦିନ ରାତିଠାରୁ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର, କଟକ, ପୁରୀ, ଖୋର୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବର୍ଷା ସାଙ୍ଗକୁ ଘନଘନ ବଜ୍ରପାତ ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ। ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ପୁରୀ, ରାୟଗଡ଼ା, ନବରଙ୍ଗପୁର, ନୟାଗଡ଼ ପ୍ରଭୃତି ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ଅଧିକ।