କନକ ବ୍ୟୁରୋ: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇଛି ସାରା ରାଜ୍ୟ । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିବ । ପୁରୀ, ଖୋର୍ଧା, ନୟାଗଡ ସମେତ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ସମ୍ବଲପୁର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ ଅନୁଗୁଳ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଭାରି ବର୍ଷା ଆଶଙ୍କା ରହିଛି । ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବ । ତେବେ ୧୯ ତାରିଖରେ ଆଉ ଏକ ଲଘୁଚାପ ସୃ୍ଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୦ ତାରିଖ ପରେ ପୁଣି ବର୍ଷା ପରିମାଣ ବଢ଼ି ପାରେ ।

ସେପଟେ ଲଘୁଚାପର ପ୍ରଭାବରେ ଅସ୍ତରଙ୍ଗରେ ଅଶାନ୍ତ ସମୁଦ୍ର । ପ୍ରବଳ ବର୍ଷା ପବନ ଜାରି ରହିଥିବା ବେଳେ ସମୁଦ୍ର କୂଳ ଲଙ୍ଘିଛି । ସମୁଦ୍ରରେ ୫ମିଟରର ଜୁଆର ମାଡି ଆସିଛି । ଉପକୂଳର ସୁରକ୍ଷା ପ୍ରାଚୀର ଝାଉଁ ଜଙ୍ଗଲ ଉପରେ ମାଡ ହୋଇଛି ସାମୁଦ୍ରିକ ଢେଉ । ଡାଳୁଆକଣି ନିକଟରେ ବନ ବିଭାଗ ନୂଆଜଙ୍ଗଲ ସୃଷ୍ଟି କରିଥିଲା । ଢେଉ ମାଡରେ ଏହି ଜଙ୍ଗଲରେ ଥିବା ଗଛ ସବୁ ସମୁଦ୍ରରେ ଲିନ ହେବାକୁ ବସିଛି । ୩ଦିନ ମଧ୍ୟରେ ଅନେକ ଗଛକୁ ସମୁଦ୍ର ଢେଉ ଉପାଡି ଦେଇଛି । ସମୁଦ୍ରର ଏହି କରାଳ ରୂପ ଦେଖି ସମୁଦ୍ରକୂଳିଆ ଲୋକେ ଆତଙ୍କିତ ହୋଇପଡିଛନ୍ତି ।