୭ଦିନ ଯାଏଁ ତାତିରୁ ମିଳିବନି ତ୍ରାହି: ଜଳୁଛି ତମାମ ଓଡ଼ିଶା, ଅଂଶୁଘାତ ସତର୍କତା ଜାରି, ୨୫ରେ ସକ୍ରିୟ ହୋଇପାରେ ମୌସୁମୀ
କନକ ବ୍ୟୁରୋ: ସକାଳ ୮ଟାରୁ ଆରମ୍ଭ ହୋଇଯାଇଥିଲା ଟାଇଁ ଟାଇଁ ଖରା। ଘରୁ ବାହାରିବା ମୁସ୍କିଲ୍ ହୋଇପଡିଥିଲା। ଯଦି ବି କିଏ ବାହାରିଲା ହାଲ୍ ଏକରକମ ବେହାଲ। ସୂର୍ଯ୍ୟଙ୍କ ପ୍ରଖର ତାତିରେ ଶରୀର ଜଳି ଗଲା ଭଳି ମନେ ହେଉଥିଲା। ଦିନ ଯେତିକି ବଢ଼ୁଥିଲା, ତାତିର ପ୍ରକୋପ ମଧ୍ୟ ସେତିକି ବଢ଼ୁଥିଲା। ତା’ ସାଙ୍ଗକୁ ଗୁଳୁଗୁଳି। ସନ୍ଧ୍ୟା ଯାଏ ବି ଗରମ ହାଓ୍ଵା ଅଣନିଶ୍ୱାସୀ କରିଦେଉଥିଲା। ସ୍ଥିତି ଏମିତି ହୋଇଥିଲା ଯେ ମଧ୍ୟାହ୍ନ ୧ଟା ବେଳକୁ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିଯାଇଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ଏମିତି କଲବଲ କରିଛି ଖରା । ସମଗ୍ର ରାଜ୍ୟରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଗତ ଦୁଇ ଦିନ ଧରି ଲାଗି ରହିଥିବା ତାତିରେ କୌଣସି ପରିବର୍ତ୍ତନର ଆଭାସ ନାହିଁ। ବରଂ ସ୍ଥିତି ବେଳକୁ ବେଳ ଗମ୍ଭୀର ରୂପ ଧାରଣ କରୁଛି।
ଆଜି ରାଜ୍ୟର ଅଧା ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଟପିଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତାକାଲି ପାଇଁ ସାରା ରାଜ୍ୟରେ ହିଟ୍େଓ୍ଵଭ୍ ସତର୍କତା ଜାରି କରିଛି। ଅର୍ଥାତ୍ ଆସନ୍ତାକାଲି ତାତି ଆହୁରି ବଢିଯାଇପାରେ। ଗତକାଲି ପୂର୍ବର୍ାହ୍ନ ବେଳକୁ ମରୀଚିକା ପାଲଟିଯାଇଥିଲା ରାସ୍ତାଘାଟ। ଯଦିଓ ୪ ଦିନ ସରକାରୀ ଛୁଟି ପରେ ଗତକାଲି କାର୍ଯ୍ୟାଳୟମାନ ଖୋଲିଥିଲା, ତଥାପି ରାସ୍ତା ଘାଟ ଖାଁ ଖାଁ ମନେ ହେଉଥିଲା। ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା, ସବୁଠି କେବଳ ନିଆଁ ବର୍ଷା ହୋଇଥିଲା। ଉଲ୍ଲେଖନୀୟ କଥା ହେଲା, ପଶ୍ଚିମ ଓଡ଼ିଶାକୁ ବଳିଯାଇଥିଲା ଉପକୂଳର ତାତି। ଲଗାତାର ଦ୍ୱିତୀୟ ଦିନ ପାଇଁ ଭୁବନେଶ୍ୱର ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏଠାରେ ଗତକାଲି ବି ତାପମାତ୍ରା ୪୨.୨ ଡିଗ୍ରି ରହିଛି। ବାରିପଦାରେ ମଧ୍ୟ ସମାନ ସ୍ଥିତି। ଏଠାରେ ଚଳିତବର୍ଷ ସବୁ ରେକର୍ଡ ଭାଙ୍ଗିଛି ତାତି। ଭୁବନେଶ୍ୱର ସହ ବାରିପଦାରେ ମଧ୍ୟ ୪୨.୨ ଡିଗ୍ରି ରହିଥିଲା ତାପମାତ୍ରା। ଏହି ଦୁଇ ସହର ବ୍ୟତୀତ ବାଲେଶ୍ୱର, ଚାନ୍ଦବାଲି, କଟକ, ପାରାଦ୍ୱୀପରେ ତାତି ରେକର୍ଡ ଭାଙ୍ଗିଚାଲିଛି।
ପାଣିପାଗ ବିଜ୍ଞାନ କେନ୍ଦ୍ର ଗତକାଲି କହିଥିଲା, ୪୮ ଘଣ୍ଟା ପାଇଁ ଏଭଳି ସ୍ଥିତି ଲାଗି ରହିବ। ଗତକାଲି ବି ସମାନ କଥା ଦୋହରାଇଛି। ଅର୍ଥାତ୍ ଆହୁରି ୪୮ ଘଣ୍ଟା ଜାରି ରହିବ ତାତିର ପ୍ରକୋପ। ଉପକୂଳ ଓଡ଼ିଶା ଆହୁରି ତାତିବ। ଗୋଟିଏ ଦୁଇଟି ସ୍ଥାନରେ ୪୩ ଡିଗ୍ରି ଛୁଇଁବ ବା ଡେଇଁବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ତାହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଅଂଶୁଘାତ ସତର୍କତା ଜାରି କରିଛି। ପାଣିପାଗ ବିଭାଗ ଏକଥା ବି କହିଛି ଯେ ତାତି ଭିତରେ ବି କେଉଁଠି କେଉଁଠି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିପାରେ। ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନାକୁ ଏ଼ଡାଇ ଦେଇ ହେବ ନାହିଁ। ଓଡ଼ିଶା ଉପକୂଳ ସମୁଦ୍ରରେ ଘଣ୍ଟା ପ୍ରତି ୩୫ରୁ ୪୫ କି.ମି. ବେଗରେ ପବନ ହେବାର ଆଶଙ୍କା ରହିଛି। ତେଣୁ ସମୁଦ୍ରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଅନ୍ୟପକ୍ଷରେ ପାଣିପାଗର ଏଭଳି ବିଚିତ୍ର ସ୍ଥିତି ଚାଷୀର ମୁଣ୍ଡ ଗୋଳମାଳ କରିଦେଲାଣି। ଧାନ ତଳି ପକାଇ ବର୍ଷାକୁ ଚାହିଁ ରହିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବର୍ଷାର ଦେଖା ନାହିଁ। ଆକାଶରେ ବାଦଲ ଖଣ୍ଡେ ବି ଭାସିବା ଦୃଶ୍ୟ ଦେଖିବାକୁ ପାଉନି ଚାଷୀ। ଅଧିକାଂଶ ସ୍ଥାନରେ ଚାଷ ଜମି ମାଟି ଫାଟି ଆଁ କଲାଣି। ଯେଉଁମାନେ ଆଗତୁରା ବୁଣିଥିଲେ, ସେଠାରେ ଗଜାମରୁଡି ଆଶଙ୍କା ସୃଷ୍ଟି ହେଲାଣି। ଯେଉଁ କେତେକ ସ୍ଥାନରେ ଚାଷୀ ହଳ କରିଥିଲେ ସେମାନେ ଏବେ ଚିନ୍ତାରେ। ବର୍ଷା ଗାଏବ ହେବା ଚଷାର ଚାଷ କାମକୁ ଏକପ୍ରକାର ଠପ୍ କରିଦେଇଛି।
ଉଲ୍ଲେଖଯୋଗ୍ୟ, ବାରିପଦା ଓ ଭୁବନେଶ୍ୱର ସମେତ ୧୫ଟି ସହରର ତାପମାତ୍ରା ଗତକାଲି୪୦ ଡିଗ୍ରି ପାର୍ ହୋଇଯାଇଥିଲା। ତାଳଚେରରେ ୪୨ ଡିଗ୍ରି ରହିଥିବାବେଳେ ଅନୁଗୁଳରେ ୪୧.୯, ଚାନ୍ଦବାଲିରେ ୪୧.୭, ଟିଟିଲାଗଡ଼ରେ ୪୧.୫, ବାଲେଶ୍ୱରରେ ୪୧.୨, ବଲାଙ୍ଗୀରରେ ୪୦.୮, କଟକରେ ୪୦.୬, ଢେଙ୍କାନାଳରେ ୪୦.୫, ସମ୍ବଲପୁର ଓ ସୋନପୁରରେ ୪୦.୨, ପାରାଦ୍ୱୀପ, ହୀରାକୁଦ ଓ ଝାରସୁଗୁଡ଼ାରେ ୪୦.୧ ଡିଗ୍ରି ରହିଥିଲା। ଆଜି ଦିନ ସାରା କୌଣସି ଗୋଟିଏ ସ୍ଥାନରେ ବି ବର୍ଷା ହୋଇ ନ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।