ପୁଣି ବର୍ଷା ସମ୍ଭାବନା !! ୩ ଦି ଲାଗି ୟୋଲୋ ୱାର୍ଣ୍ଣିଂ ଜାରି , ୨ ସପ୍ତାହ ପର୍ଯ୍ୟନ୍ତ ଏତେଟା ବଢିବ ନାହିଁ ତାପମାତ୍ରା
କନକ ବ୍ୟୁରୋ : ଗତ ସପ୍ତାହେ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ବଢ଼ି ଚାଲିଛି। କେଉଁଠି ୨ ଡିଗ୍ରି ତ ଆଉ କେଉଁଠି ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଅଧିକାଂଶ ସ୍ଥାନରେ ସମାନ ସ୍ଥିତି ଲାଗି ରହିଥିଲା। ତେବେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଫେବ୍ରୁଆରି ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ। ଏହାପରେ ତାପମାତ୍ରା ସାମାନ୍ୟ ବଢ଼ିବାକୁ ଥିଲେ ମଧ୍ୟ ଟାଣ ଖରା ହେବନି ବୋଲି ପୂର୍ବାନୁମାନ କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଝଡ଼ତୋଫାନ ଓ ବଜ୍ରପାତ ସହ ବର୍ଷା ହେବ। ୨୩ ତାରିଖ ଅପରାହ୍ନଠାରୁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ବଜ୍ରପାତ ସହ ହାଲୁକା ବର୍ଷା ହୋଇପାରେ। ୨୪ ତାରିଖରେ ଉପରୋକ୍ତ ଜିଲ୍ଲା ସମେତ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ ୨୫ ଓ ୨୬ ତାରିଖରେ ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ହେବନି ବୋଲି ଆକଳନ କରାଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ସେଭଳି ଗରମ ବଢ଼ିବ ନାହିଁ। ମଝିରେ ମଝିରେ ପାଗ ମେଘୁଆ, ବର୍ଷା ଏବଂ ବଙ୍ଗୋପସାଗରୀୟ ବା ଉତ୍ତରା ପବନ ବହିବା ହେତୁ ଅଧିକାଂଶ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ କମ୍ ରହିବ।