ପୁଣି ଘୂର୍ଣ୍ଣିବଳୟ, ୫ରୁ ବର୍ଷା ବଢ଼ିବ

70

କନକ ବ୍ୟୁରୋ: ଆସନ୍ତା ୫ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ସହିତ ଦିନେ ଦୁଇଦିନ ଭିତରେ ଓଡ଼ିଶା ଉପରେ ଆଉ ଏକ ମୌସୁମୀ ଟ୍ରଫ୍ ଲାଇନ ଗତି କରିପାରେ । ଏହାର ପ୍ରଭାବରେ ୫ ତାରିଖରୁ ଉତ୍ତର, ଉତ୍ତର ଉପକୂଳର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଅନ୍ୟାନ୍ୟ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୭/୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଫଳରେ ରାଜ୍ୟରେ ବର୍ଷାର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଛି ।

ଶନିବାର ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହି ପୂର୍ବାନୁମାନ ଅନୁଯାୟୀ, ଉତ୍ତର ଓଡ଼ିଶାର ସ୍ଥଳଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ସ୍ଥଳଭାଗରେ ଏହା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ପ୍ରଭାବରେ ଅଧିକ ଦିନ ଧରି ବର୍ଷା ବା ଅଧିକ ବର୍ଷା ନ ହୋଇପାରେ । କିନ୍ତୁ ଏହା ସହିତ ମୌସୁମୀ ଟ୍ରଫ୍ ଲାଇନ ମଧ୍ୟ ଓଡ଼ିଶା ଦେଇ ବଙ୍ଗୋପ ସାଗରକୁ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଉଭୟ ଘୂର୍ଣ୍ଣିବଳୟ ଏବଂ ଟ୍ରଫ୍ ଯୋଗୁଁ ବର୍ଷାର ପରିମାଣ ବଢ଼ିବ ।

ତେବେ ପାଣିପାଗର ଏଭଳି ଉଭୟ ବ୍ୟବସ୍ଥା ସଂପର୍କରେ କେବଳ ପୂର୍ବାନୁମାନ କରାଯାଇଛି । ଏ ନେଇ ନିର୍ଦିଷ୍ଟ ରୂପରେଖ ମିଳିନାହିଁ। ଏହାଛଡ଼ା ମୌସୁମୀ ଟ୍ରଫ୍ ଲାଇନ ସକ୍ରିୟ ଥିବାରୁ ମୌସୁମୀ ବାୟୁ ସଂସ୍ପର୍ଶରେ ଆସି ତାହା ବର୍ଷା କରାଉଛି । ଶୁକ୍ରବାର ରାଜ୍ୟରେ ପ୍ରବଳ ଘଡ଼ଘଡ଼ି, ବିଜୁଳି ଏବଂ ବଜ୍ରପାତ ସହିତ ବର୍ଷା ହୋଇଥିଲା । କିନ୍ତୁ ୫ ତାରିଖ ବେଳକୁ କାଁ ଭାଁ ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ ।

ଗତ ୪୮ ଘଣ୍ଟା ମଧ୍ୟରେ କାକଟପୁରରେ ସର୍ବାଧିକ ୧୧୪ ମିଲିମିଟର ବର୍ଷା ହୋଇଥିଲା । ସେହିପରି ବାଙ୍କୀ, ଜଳେଶ୍ୱର, ବାଲେଶ୍ୱରର ଏନ୍ଏଚ୍-୫ ଗୋବିନ୍ଦପୁରରେ ୯୦ ମି.ମି., ଅସ୍ତରଙ୍ଗ, ନିମାପଡ଼ା, ବାଙ୍ଗିରିପୋଷୀ, ନିଆଳି, ବାସୁଦେବପୁରରେ ୮୦ ମି.ମି., ରଘୁନାଥପୁର, ରେଙ୍ଗାଲି, ପାରଳାଖେମୁଣ୍ଡି, ଯଶୀପୁର, ରାଇରଙ୍ଗପୁର, ଭୁବନେଶ୍ୱର, ଜାମଶୋଳାଘାଟ, ପାରାଦୀପ, ଦାନଗଦି, ଆଠଗଡ଼ରେ ୭୦ ମି.ମି., ଡେରାବିସ୍, ଆଳିପିଙ୍ଗଳ, କଟକ, ଭୋଗରାଇ, ପାନପୋଷ, ନିଶ୍ଚିନ୍ତକୋଇଲି, ଘଟଗାଁରେ ୬୦ ମି.ମି., ସୋର, କଣ୍ଟାପଡ଼ା, ରେମୁଣା, ପୁରୁଷୋତ୍ତମପୁର, ଲହୁଣୀପଡ଼ା, ତିର୍ତୋଲ, କେନ୍ଦୁଝର, ପିପିଲି, ନୀଳଗିରିରେ ୫୦ ମି.ମି., ଫୁଲବାଣୀ, ଟିକରପଡ଼ା, ଦେବଗଡ଼, ହରିଚନ୍ଦନପୁର, କେନ୍ଦ୍ରାପଡ଼ା, ଟେନସା, ବାଲେଶ୍ୱର, ବଅଁରପାଳ, କଣ୍ଟାମାଳରେ ୪୦ ମି.ମି. ବର୍ଷା ହୋଇଥିଲା । ଗତକାଲି ସନ୍ଧ୍ୟା ସୁଦ୍ଧା ସୋନପୁରରେ ସର୍ବଶଧିକ ୩୫ ମି.ମି. ବର୍ଷା ରେକର୍ଡ ହୋଇଛି । ସେହିପରି ହୀରାକୁଦରେ ୨୦ ମି.ମି., ଦାରିଙ୍ଗିବାଡ଼ିରେ ୧୩ ମି.ମି., ଢେଙ୍କାନାଳରେ ୧୨ ମି.ମି., ଭୁବନେଶ୍ୱରରେ ୭.୭ ମି.ମି. ବର୍ଷା ହୋଇଛି ।